କଟକ: ଏଣିକି ଟ୍ରେଡ ଲାସେନ୍ସ ପାଇଁ ଆଉ ସିଏମସିକୁ ଦୌଡିବାକୁ ପଡିବ ନାହିଁ ବ୍ୟବସାୟୀଙ୍କୁ। ଏଥିପାଇଁ ମହାନଗର ନିଗମରେ ଆରମ୍ଭ ହେବାକୁ ଯାଇଛି ‘ଇ-ସୁଯୋଗ’ କାର୍ଯ୍ୟକ୍ରମ। ଟ୍ରେଡ୍‌ ଲାଇସେନ୍ସର ସମସ୍ତ କାମ ଏବେ କେବଳ ଅନ୍‌ଲାଇନ୍‌ରେ କରାଯିବ। ଲାଇସେନ୍ସ ପାଇଁ ଆବେଦନଠାରୁ ସାର୍ଟିଫିକେଟ ମିଳିବା ସବୁକିଛି ଅନ୍‌ଲାଇନ୍‌ରେ ହେବ। ଲାଇସେନ୍ସ ଚାହୁଁଥିବା ବ୍ୟବସାୟୀ ଅନ୍‌ଲାଇନ୍‌ରେ ଆବେଦନ କରିବା ସହିତ ତାଙ୍କର ସମସ୍ତ ତଥ୍ୟ ଏଥିରେ ପ୍ରଦାନ କରିବେ। ସିଏମସି ପକ୍ଷରୁ ୧୫ ଦିନ ମଧ୍ୟରେ ସମସ୍ତ ତଥ୍ୟକୁ ଫିଲଡ୍‌ ଭେରିଫିକେସନ୍‌ କରାଯାଇ ଲାଇସେନ୍ସ ପ୍ରଦାନ କରାଯିବ। ଏଥିରେ ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଗୋଟିଏ ନମ୍ବର କୋଡ୍‌ ରଖାଯିବ। ଯେଉଁଥିରେ ବ୍ୟବସାୟୀଙ୍କ ସମସ୍ତ ତଥ୍ୟ ରହିବ।

Advertisment

ଏପରିକି ସେ ସରକାରଙ୍କୁ କେତେ ଟଙ୍କା କେଉଁ କେଉଁ ଫି’ ବାବଦରେ ଦେଇଛନ୍ତି ଓ କେବେ ଦେଇଛନ୍ତି ସବୁକିଛିର ତଥ୍ୟ ଏଥିରୁ ମଳିଯିବ। ଆଗାମୀ ଦିନରେ ସିଏମସିରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଧିରେ ଧିରେ ନିଗମର ବିଭିନ୍ନ କାମକୁ ଏଥିରେ ଯୋଡାଯିବ। ଅନ୍ୟପଟେ ସିଏମସିରେ ପ୍ରଥମ କରି ଖୋଲିବାକୁ ଯାଉଛି ‘ମ୍ୟୁନିସିପାଲ ସର୍ଭିସ ପାଭିଲିୟନ୍‌’। ଯେଉଁଠାରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ହୋଲଡିଂ ଟିକସ ଆଦାୟ, ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ, ୟୁଜର୍ସ ଫି୍‌ ଆଦାୟ, ପ୍ଲାନିଂ, ଜନ୍ମ-ମୃତ୍ୟୁ ଓ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଓ ପ୍ରମାଣପତ୍ର ମିଳିବା ସହ ଅନ୍ୟାନ୍ୟ ସମସ୍ତ ସେବା ଗୋଟିଏ ସ୍ଥାନରେ ମିଳିବ।