ମଧୁପାଟଣା ଏବଂ ଓଏମ୍‌ପି ଛକରେ ଇ-ଟ‌ଏଲେଟ୍

କଏନ୍ ଗଳାଇଲେ କବାଟ ଫିଟିବ

ମହାନଦୀ ବିହାର: କଟକ ସହରର ମଧୁପାଟଣା ଓ ଓଏମ୍‌ପି ଛକରେ ସ୍ବାଧୀନତା ଦିବସରେ ଲୋକାର୍ପଣ ହେବାକୁ ଯାଉଛି ଇ-ଟଏଲେଟ୍। ଏଚ୍‌ଟି ପାରେଖ ଫାଉଣ୍ଡେସନ ପକ୍ଷରୁ ଏରମ କମ୍ପାନି ରାଜ୍ୟର ୬ଟି ଜାଗାରେ ଏହି ଭଳି ଇ ଟଏଲେଟ ନିର୍ମାଣ କରିବାର ଯୋଜନା ଆରମ୍ଭ କରିଛି। ଭୁବନେଶ୍ଵର, ପୁରୀ ଓ କଟକରେ କମ୍ପାନି ପକ୍ଷରୁ ଏଭଳି ଟାଏଲେଟ ତିଆରି ଚାଲିଥିବା ବେଳେ ଏହାକୁ ଅଗଷ୍ଟ ୧୫, ସ୍ୱାଧୀନତା ଦିବସରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। କଟକ ମହାନଗର ନିଗମ ସହ କମ୍ପାନି ଏଥି ପାଇଁ ଚୁକ୍ତି କରିଥିବା ବେଳେ ସିଏମସି ଟଏଲେଟ ଓ କାଫଟେରିଆ ପାଇଁ ପାଖାପାଖି ୧୫ ଫୁଟ ଜାଗା କମ୍ପାନିକୁ ହସ୍ତାନ୍ତର କରିଛି। କଟକର ମଧୁପାଟଣା ଛକ ଓ ଓ ଏମ ପି ଛକର ପାରଳା ମହାରାଜ ଶିଶୁ ଉଦ୍ୟାନ ନିକଟରେ ଏହି ଇ ଟଏଲେଟ୍ କାମ ଆରମ୍ଭ ହୋଇଛି। ଟଏଲେଟ ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାକୁ ଉଭୟ ମହିଳା ଓ ପୁରୁଷ ବ୍ୟବହାର କରିପାରିବେ।

ଏହାକୁ ବ୍ୟବହାର କରିବାକୁ ହେଲେ ଲୋକଙ୍କୁ କେବଳ କଏନ ପକାଇବାକୁ ପଡିବ। ୧ରୁ ୧୦ ଟଙ୍କା ପର୍ଯ୍ୟନ୍ତ କଏନ୍ ପକାଇଲେ ଟଏଲେଟ୍ କବାଟ ଖୋଲିବ। ଏହା ନିକଟରେ କମ୍ପାନି ପକ୍ଷରୁ ଏକ କାଫେଟେରିଆ ତିଆରି କରାଯିବ। ସେଠାରେ ପାଣି, ଚା, କଫି ଉପଲବ୍ଧ ହେବ। ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁଙ୍କ କହିବା ଅନୁଯାୟୀ ଟଏଲେଟ ତିଆରି ହେଲେ ପ୍ରତିଦିନ ଓଏମପି ଛକ ଉପରେ ନିର୍ଭର କରୁଥିବା ହଜ଼ାର ହଜ଼ାର ଲୋକଙ୍କ ସମସ୍ୟା ଦୂର ହେବ। ଓଏମପି ଛକରେ ଜାଗା ଚିହ୍ନଟ କରାଯାଇ ଲୋକଙ୍କ ସୁବିଧା ପାଇଁ ଅଧିକ ଇ ଟଏଲେଟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର