କୋଟିଏ ଟଙ୍କାର ଇବସ୍‌ ମେସିନ୍ କ’ଣ?

କଟକ: ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲର ପଲ୍ୟୁମନାରି ମେଡିସିନ ବିଭାଗରେ ଆଜି ଅତ୍ୟାଧୁନିକ ଇବସ୍‌ (ଏଣ୍ଡୋ ବ୍ରୋଙ୍କିଆଲ ଅଲଟ୍ରାସାଉଣ୍ଡ ବ୍ରଙ୍କୋସ୍କୋପି) ମେସିନ ପ୍ରତିଷ୍ଠା କରାଯାଇଛି। ସୁଜି ସିଲମ ଇଣ୍ଡିଆ କଂପାନି ନିର୍ମିତ ଏହି ମେସିନର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମେସିନ ଦ୍ବାରା ଛାତି ରୋଗ ପୀଡିତଙ୍କ ଚିକିତ୍ସା ସହଜ ହେବ। କୋଭିଡ ଚିକିତ୍ସାରେ ମଧ୍ୟ ଏହି ମେସିନ କାମ ଦେବ। ଯକ୍ଷ୍ମ‌ା ରୋଗୀ ଚିହ୍ନଟ, ଫୁସଫୁସ କର୍କଟରେ ଫୁସଫୁସ ସଂକ୍ରମଣ ସ୍ଥିତି ଏହି ମେସିନ ଦ୍ବାରା ଜାଣି ହେବ। ବ୍ରଙ୍କୋସ୍କୋପି ଭଳି ଏହି ମେସିନର ବ୍ୟବହାର ରହିଥିଲେ ବି ବ୍ରଙ୍କୋସ୍କୋପି  ଯାହାକୁ ଚିହ୍ନଟ କରି ପାରେ ନାହିଁ ତାହା ଏହି ମେସିନ୍ ଦ୍ବାରା ଚିହ୍ନଟ ହୋଇ ପାରିବ ବୋଲି ପଲ୍ୟୁମନାରି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଂଜନ ପଟ୍ଟନାୟକ କହିଛନ୍ତି।

ଏହି ମେସିନ ସାହାଯ୍ୟରେ ବିନା ଅସ୍ତ୍ର‌ୋପଚାରରେ ଚିକିତ୍ସା ସମ୍ଭବ ହୋଇପାରିବ। ମେସିନରେ ଫୁସଫୁସସର ଭିଡିଓ ଓ ଫଟୋ ଉଠ‌ାଇ ହେବ। ସମଗ୍ର ପୂର୍ବ ଭାରତରେ ଏସସିବିରେ ପ୍ରଥମ କରି ଏହି ମେସିନ ପ୍ରତିଷ୍ଠା କରାଯାଇଛି। ପଲ୍ୟୁମନାରି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଂଜନ ପଟ୍ଟନାୟକଙ୍କ ସମେତ ବିଭାଗର ଅନ୍ୟ ଦୁଇ ଜଣ ଡାକ୍ତର ଏହି ମେସିନ ବ୍ୟବହାର ପାଇଁ ସ୍ବତନ୍ତ୍ର ତାଲିମ ନେଇଛନ୍ତି। ଆଜି ମେସିନ ପ୍ରତିଷ୍ଠା ବେଳେ ପ୍ରଫେସର ପଟ୍ଟନାୟକଙ୍କ ସହିତ ଡାକ୍ତର ଜିତେନ୍ଦ୍ର ପାତ୍ର, କଂପାନି ମ୍ୟାନେଜର ସନ୍ତୋଷ ‌ସେଠୀ, ଅବିନାଶ ରଥ, ଅର୍ଣ୍ଣବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର