ଅଗଷ୍ଟ ୨୭ରେ ଏସ୍‌ସିବି ଏକ୍‌ମୋ ୟୁନିଟର ଉଦ୍‌ଘାଟନ!

କଟକ: ଅଗଷ୍ଟ ୨୭ରେ ହୋଇପାରେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌‌ର ଉଦ୍‌ଘାଟନ। ଯଦିଓ ଏନେଇ କୌଣସି ସ୍ପଷ୍ଟ ଚିଠି ଆସିନି ତଥାପି ଏନେଇ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି।  କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ କଟକ ବଡ଼ ଡାକ୍ତରଖାନା କାର୍ଡିଓଥୋରାସିସି୍‌ ବିଭାଗରେ ପ୍ରସ୍ତୁତ ହୋଇ ରହିଥିବା ଏକ୍‌ମୋ ୟୁନିଟ୍‌ ପରିଦର୍ଶନ କରିଥିଲେ। ଆରଡିସିଙ୍କ ସହ କାର୍ଡିଓଥୋରାସିସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବହୁ ବିଶେଷଜ୍ଞ ଉପସ୍ଥିତ ଥିଲେ। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏସ୍‌ସିବିରେ ପହଞ୍ଚି ଏକ୍‌ମୋ ୟୁନିଟ୍‌ ପରିଦର୍ଶନ କରିଛନ୍ତି। ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଉଦ୍‌ଘାଟନ ନେଇ କର୍ତ୍ତୃପକ୍ଷ ମୁହଁ ଖୋଲୁ ନଥିବାବେଳେ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ୨୭ ତାରିଖ ଉଦ୍‌ଘାଟନ ପାଇଁ ଯୋଜନା କରାଯାଇଛି। ସେହି ଅନୁସାରେ ବ୍ୟବସ୍ଥା କରାଯାଉଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଏସ୍‌ସିବିରେ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏକ୍‌ମୋ ୟୁନିଟ୍‌କୁ ‌ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିଥାନ୍ତେ। ଏଥିପାଇଁ ୯ଟି ଏକ୍‌ମୋ ମେସିନ୍ ଏସ୍‌ସିବିରେ ଇନଷ୍ଟଲେସନ୍‌ ସରିବା ସହ ଦିଲ୍ଲୀ ଓ କୋଲକାତାରୁ କମ୍ପାନିର କର୍ମକର୍ତ୍ତା ପହଞ୍ଚି ଏହାର ଡେମୋ ମଧ୍ୟ ଦେଖାଇଥିଲେ। ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀ ମଧ୍ୟ ଏଥିପାଇଁ ତାଲିମ୍‌ ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର