କଟକ: ପୁରୁଷ ପ୍ରଧାନ ସମାଜରେ ଜଣେ ମହିଳା ନିଜକୁ ମହିଳା ବୋଲି ଗର୍ବ ଅନୁଭବ କରୁ। ଏପରି ଏକ ଉନ୍ନତମାନର ଚିନ୍ତାଧାରାକୁ ପ୍ରତ୍ୟେକ ମହିଳା ଆପଣାଇ ପାରିଲେ ସମାଜରେ ସେମାନେ ନିଜକୁ ପ୍ରତିଷ୍ଠିତ କରାଇପାରିବେ। ସଶକ୍ତୀକରଣ କରିବା ପାଇଁ ମହିଳାମାନଙ୍କୁ ପ୍ରଥମେ ଶିକ୍ଷା ଓ ଦ୍ବିତୀୟରେ ରୋଜଗାର ଦେବାର ଆବଶ୍ୟକ ରହିଛି। ମହିଳାମାନେ ସଶକ୍ତ ହେଲେ ସମାଜର ବିଭିନ୍ନ ବ୍ୟବସ୍ଥାରେ ବହୁ ସଂସ୍କାର ଆସିପାରିବ। ଆଜି ଇନ୍ଦିରା ଗାନ୍ଧି ମହିଳା କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ କଲେଜ ଅଧ୍ୟକ୍ଷା ଡକ୍ଟର ବନ୍ଦିତା ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ, ନିଶାମୁକ୍ତ ସମାଜ ଗଠନ ପାଇଁ ମହିଳା ଜାତି(ଅଧା ବିଶ୍ବ)କୁ ଆଗକୁ ଆସିବାକୁ ପଡ଼ିବ। ଏକ ନିଶାମୁକ୍ତ ସମାଜ ଗଠନ କରିବାରେ ସେମାନଙ୍କ ବିଶେଷ ଭୂମିକା ରହିଛି। ପରିବାରର ସଦସ୍ୟଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ସଂକଳ୍ପ ନେଇ ଏକ ମଧୁର ପାରିବାରିକ ଆନ୍ଦୋଳନ ଆରମ୍ଭ କରିବାକୁ ପଡ଼ିବ।
ସମ୍ମାନିତ ଅତିଥି ଭାବେ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ମୁଖ୍ୟବକ୍ତା ଭାବେ ଆଇଆଇଟିଟିଏମ୍ର ପ୍ରଫେସର ଡକ୍ଟର ଆଦାଶ୍ୟା ଦାସ ଯୋଗଦେଇ ପ୍ରତ୍ୟେକ ଛାତ୍ରୀ ଜୀବନରେ ଏକ ଲକ୍ଷ୍ୟ ରଖି ଆଗକୁ ବଢ଼ନ୍ତୁ ବୋଲି କହିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ରାଜେନ୍ଦ୍ର କୁମାର କୁଅଁର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅର୍ଥନୀତି ବିଭାଗର ମୁଖ୍ୟ ଡକ୍ଟର ବିଜୟଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଘର ସଭାନେତ୍ରୀ ଉପଦେଷ୍ଟା ଜେନା, ଡକ୍ଟର ଜୁଲି ମିଶ୍ର, ସୁନୀତା ମଞ୍ଜରୀ ରାୟ, ସସ୍ମିତା ସୂତାର, ଅର୍ପିତା ଚୌଧୁରୀ, ଗୌରବ ଶର୍ମା, ରୁଚିରା ବାସୁ ପ୍ରମୁଖ ପରିଚାଳନା କରିଥିଲେ।