କଟକ: କଲମ୍ବସଙ୍କ ପୂର୍ବରୁ ଓଡ଼ିଶାରେ ନୌବାଣିଜ୍ୟ ଆରମ୍ଭ ହୋଇଛି। ଉତ୍କଳର ସାଧବ ପୁଅମାନେ ନୌବାଣିଜ୍ୟ ମାଧ୍ୟମରେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ରାଜ୍ୟ ସହ ସାଂସ୍କୃତିକ ସଂପର୍କ ସୁଦୃଢ଼ କରିବା ସହ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେଉଥିଲେ। କିନ୍ତୁ ଉତ୍କଳର ସାଧବ ପୁଅମାନଙ୍କର ଦେଶ ଅକ୍ତିଆର କରିବା ଉଦ୍ଦେଶ୍ୟ ନଥିଲା। ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। କଟକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହାନଦୀର ଗଡ଼ଗଡ଼ିଆପଠାରେ ଆୟୋଜିତ ୯ ଦିନିଆ ବାଲିଯାତ୍ରାକୁ ଶ୍ରୀ ଅମାତ ଉଦ୍ଘାଟନ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଥିଲେ, ନୌବାଣିଜ୍ୟ ପରମ୍ପରାକୁ ନେଇ ଏଭଳି ଯାତ୍ରା ଭାରତରେ କେଉଁଠି ଆୟୋଜିତ ହେବାର ନଜିର ନାହିଁ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ବାଲିଯାତ୍ରା କହିଲେ କେବଳ କଟକ ବାଲିଯାତ୍ରାକୁ ହିଁ ବୁଝାଏ। କଟକ ବାଲିଯାତ୍ରା ରାଜ୍ୟସ୍ତରୀୟ ମାନ୍ୟତା ପାଇଛି। ବରେଣ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଲିଯାତ୍ରାକୁ ଏକ ଅନନ୍ୟ ଗଣପର୍ବ ଭାବେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ମେୟର ସୁବାସ ଚନ୍ଦ୍ର ସିଂହ କହିଥିଲେ ଯେ ବାଲିଯାତ୍ରାର କଳେବର ବଦଳିଛି। ଏହାକୁ ଜାତୀୟ ମାନ୍ୟତା ମିଳିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କୁ ଭେଟି ଆଲୋଚନା କରାଯାଇଛି। ସମସ୍ତଙ୍କ ସହଯୋଗ ରହିଲେ କଟକ ବାଲିଯାତ୍ରା ଆଗାମୀ ଦିନରେ ଜାତୀୟ ମାନ୍ୟତା ଲାଭ କରିବ।
ଅନ୍ୟତମ ସମ୍ମାନିତ ଅତିଥି କଟକ ବିଧାୟକ ମହମ୍ମଦ ମୋକିମ୍, ପ୍ରଶାନ୍ତ ବେହେରା, ଡା. ପ୍ରମୋଦ କୁମାର ମଲ୍ଲିକ, ସୌଭିକ୍ ବିଶ୍ବାଳ ଓ ଦେବୀରଞ୍ଜନ ତ୍ରିପାଠୀ ଏବଂ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ(କୋଲ୍କାତା) ସଚିବ ଆଶିଷ ଗିରି ବାଲିଯାତ୍ରାର ଐତିହ୍ୟ, ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଦଳାଇ, ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଏନ୍ଏସ୍ ଚିଲିକାର ଡେପୁଟି ନାଭାଲ ଅଫିସର କ୍ୟାପ୍ଟେନ୍ ଦିବେଶ କୁମାର ସ୍ବାଇଁ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।