ବାରିପଦା ପରେ ନିଆଳିରେ ବିରୋଧ : ଦାମଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼

ବାଟରେ ପ୍ରତିବାଦ ଜଣାଇଲେ ଅଙ୍ଗନବାଡ଼ି କର୍ମୀ, ଆସିଲେନି ପଞ୍ଚାନନ କାନୁନ୍‌ଗୋ, ଯଜ୍ଞେଶ୍ବର ବାବୁ

କଟକ/ନିଆଳି : ବାରିପଦା ପରେ ନିଆଳିରେ ବିଧାୟକ ଦାମୋଦର ରାଉତଙ୍କୁ କଡ଼ା ବିରୋଧ‌ର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼ କରାଯାଇଛି। ଏଥିସହିତ, ତାଙ୍କ ଆଗମନକୁ ବିରୋଧ କରି ଅଙ୍ଗନବାଡ଼ି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହିସବୁ ଘଟଣାକୁ ନେଇ ସମାବେଶରେ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ପୂର୍ବରୁ ପ୍ରଚାର କରାଯାଇଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ଯଜ୍ଞେଶ୍ବର ବାବୁଙ୍କୁ ସମାବେଶରେ ଦେଖିବାକୁ ମିଳିନାହିଁ।

ଓଡିଶା ସୂଚନା ଅଧିକାର ଅଭିଯାନ ଓ ନିଆଳି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଅପର‌ାହ୍ନରେ ନିଆଳି ହାଇସ୍କୁଲ ପଡିଆଠାରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ସଭା ଆରମ୍ଭ ହେବା ମାତ୍ରେ ଅନେକ ଅଙ୍ଗନବାଡି କର୍ମୀ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ଆସି ପୂର୍ବରୁ ଦାମଙ୍କ ‘ସ୍ବାମୀ ଛାଡି ଅଙ୍ଗନବାଡି କର୍ମୀ’ ସଂପର୍କିତ ମନ୍ତବ୍ୟର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଭା କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍‌ ହାଇସ୍କୁଲ ପଡିଆ ପାଚେରି ପଟୁ କେହି ସଭାମଞ୍ଚକୁ ଦୁଇଟି ଅଣ୍ଡାମାଡ କରିଥିଲେ। ଗୋଟିଏ ଅଣ୍ଡା ତଳେ ପଡିଥିବା ବେଳେ ଅନ୍ୟଟି ମଞ୍ଚରେ ଦାମଙ୍କ ନିକଟରେ ବସିଥିବା ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଂପାଦକ ସୁଧୀର ମହାନ୍ତିଙ୍କ ମୁଣ୍ଡରେ ବାଜିଥିଲା। ସେ ତାହାକୁ ରୁମାଲରେ ପୋଛୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସଭାମଂଚରେ ଅଣ୍ଡାମାଡ ଘଟଣାକୁ ଦାମ ଅସ୍ବୀକାର କରିଥିଲେ। ‌ଅଙ୍ଗନବାଡି କର୍ମୀଙ୍କ ଏଭଳି ବିକ୍ଷୋଭ ପାଇଁ ତୃତୀୟ ମହଲା ଓ ନିଆଳି ବିଧାୟକ ପ୍ରଫେସର ପ୍ରମୋଦ ମଲ୍ଲିକଙ୍କୁ ଦାୟୀ କରିଥିଲେ।

ଜଗତସି˚ହପୁର ଲୋକସଭା ମଣ୍ତଳୀର ଯୁବ କ˚ଗ୍ରେସ ସଭାପତି ତଥା ସୂଚନା ଅଧିକାର କର୍ମୀ ଶଶିକାନ୍ତ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ଡା. ରାଉତ ଯୋଗଦେଇ ନିଆଳି ଅଞ୍ଚଳରେ ବ୍ୟାପକ ଦୁର୍ନୀତିକୁ ନେଇ ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ସମାଲୋଚନା କରିବା ସହ ଅରୁଣ ସାହୁ, ଦେବାଶିଷ ସାମନ୍ତରାୟ ପ୍ରମୁଖଙ୍କ ନାମ ନେଇ କଟାକ୍ଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ବରିଷ୍ଠ ସାମ୍ବାଦିକ ରବି ଦାସ, ସତ୍ୟ ପ୍ରକାଶ ନାୟକ, ଓଡ଼ିଶା ସୂଚନା ଅଧିକାର ମଞ୍ଚର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଂପାଦକ ସୁଧିର ମହାନ୍ତି ଓ ପୂର୍ବତନ ସରପଞ୍ଚ ଦୁଃଶାସନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଦୁର୍ନୀତି, ଅପାରଗତା ଓ ଅପରାଧ ବଢିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ସେହିଭଳି, ବ୍ରହ୍ମବିଭ୍ରାଟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ପୂର୍ବରୁ ପ୍ରଚାର ହୋର୍ଡିଂରେ ସୂଚନା ଦିଆଯାଇଥିଲେ ବି ଆଜିର କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନନ୍‌ଗୋ ଓ ଯଜ୍ଞେଶ୍ବର ବାବୁ ଆସି ନଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧୢରେ ଯୁବ ନେତା ବିଜୁ ପାତ୍ର, ସରପଞ୍ଚ ଅନିରୁଦ୍ଧ ମଲ୍ଲିକ, ବ୍ଲକ ଯୁବ କ˚ଗ୍ରେସ ସଭାପତି ସୌଭାଗ୍ୟ ର˚ଜନ ବସ୍ତିଆ, ରାଣୀଓଳା ସମିତିସଭ୍ୟ ସମିନ୍ଦ୍ର ବିଶ୍ବାଳ, ଯୁବ ଦଳିତ ସ˚ଘର ସଭାପତି ଅଭିମନ୍ୟୁ ମଲ୍ଲିକ, ମଦନ ଡ଼ାଳୁଆ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର