ଦଶହରାରେ ସହର ଜଗିବେ ୧୮ ପ୍ଲାଟୁନ୍‌ ଫୋର୍ସ

କଟକ:  ଦଶହରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହି ଫୋର୍ସ ସହରର ବିଭିନ୍ନ ପୂଜାମଣ୍ତପ ଓ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ହେବେ। ଏହାଛଡ଼ା ୨୭ ଜଣ ଆଇଆଇସି ପଦବିର ଅଫିସରଙ୍କ ସହିତ ୨୧୬ ଏସ୍‌ଆଇ/ଏଏସ୍‌ଆଇ, ୪୪ ଜଣ ହାବିଲଦାର, ୪୨୭ କନଷ୍ଟେବଳ, ୨୮୯ହୋମଗାର୍ଡଙ୍କୁ ମୁତୟନ କରାଯିବ। ସହରକୁ ୮ଟି ସେକ୍ଟରରେ ଭାଗ କରି ପ୍ରତ୍ୟେକ ସେକ୍ଟର୍‌ର ସୁରକ୍ଷା ଦାୟିତ୍ବରେ ଜଣେ ଲେଖାଏ ଡିଏସ୍‌ପି ପଦବିର ଅଧିକାରୀଙ୍କୁ ନିୟୋଜିତ କରାଯିବ। ପୂଜା ଆରମ୍ଭରୁ ବିସର୍ଜନ ଯାଏ ୧୧ ଡିଏସ୍‌ପିଙ୍କୁ ନିୟୋଜିତ କରାଯିବ। ୪ ଜଣ ଏଡିସିପି ସମସ୍ତ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବାକୁ ଥିବା ବେଳେ ଡିସିପି ପ୍ରତୀକ ସିଂହ ଏହାର ତଦାରଖ କରିବେ। ଏ ସଂକ୍ରାନ୍ତରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି। ସେହିପରି ଟ୍ରାଫିକ କଟକଣାକୁ ସୁନିୟନ୍ତ୍ରିତ କରିବା ପାଇଁ ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ୨ଜଣ ଏସିପି ତଦାରଖ କରିବେ।

ପୂଜା ସମୟରେ ଶତପ୍ରତିଶତ କୋଭିଡ୍‌ କଟକଣା ପାଳନ ଉପରେ ଗୁରୁତ୍ବ ଦିଆଯିବ। ବ୍ୟାବସାୟିକ ପ୍ରତିଷ୍ଠାନରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ। ଏହା ସହ ରାତ୍ରିକାଳୀନ କର୍ଫ୍ୟୁକୁ ଜୋରଦାର କରାଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେହିପରି ଗତବର୍ଷ ଭଳି ଚଳିତଥର କାଠଯୋଡ଼ି ନଦୀର ଦେବୀଗଡା ଘାଟରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବେ ନାହିଁ। ଦେବୀଗଡ଼ା ସମେତ ଥାନାୱାରୀ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯିବ। ଏଥିଲାଗି ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରାୟ ୧୪ଟି ଅସ୍ଥାୟୀ ଜଳାଶୟ କରାଯିବା ବୋଲି ସୂଚନା ମିଳିଛି। ତେବେ ଦୁଇଦିନ ଧରି ହେବାକୁ ଥିବା ବିସର୍ଜନ ପ୍ରକ୍ରିୟାରେ ସର୍ବାଧିକ ୭ ଜଣ ସଦସ୍ୟ ରହିବେ ଓ କୌଣସି ପ୍ରକାର ବାଦ୍ୟଯନ୍ତ୍ର କିମ୍ବା ଗହଳି ହୋଇପାରିବ ନାହିଁ ବୋଲି କମିସନର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର