କଟକ: କେଉଁଠି ସହକାରୀ ଶିକ୍ଷକ ତ କେଉଁଠି ବ୍ଲକ୍ ଶିକ୍ଷାଧିକାରୀ ତୁଲାଉଛନ୍ତି ପ୍ରଧାନଶିକ୍ଷକ ଦାୟିତ୍ବ। ଏପରି କି ଅଧିକାଂଶ ୫-ଟି ସ୍ମାର୍ଟ ସ୍କୁଲରେ ବି ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। ସ୍ମାର୍ଟ ସ୍କୁଲ ଯୋଜନାରେ ପ୍ରତି ହାଇସ୍କୁଲ ପାଇଁ ୪୫ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁ୍କ୍ତ ନହୋଇ ପାରିବା ଘଟଣା ଶିକ୍ଷାର ବାସ୍ତବ ବିକାଶ ପାଇଁ ଚାଲିଥିବା ‌ଯୋଜନା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ଅନ୍ୟପଟେ ରାଜ୍ୟର ସରକାରୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ୨୦୨୧, ନଭେମ୍ବର ମାସରୁ ଯୋଗ୍ୟ ଶିକ୍ଷକଙ୍କ ତାଲିକା ତିଆରି ହୋଇଥିଲେ ମଧ୍ୟ ଏଯାଏ କ୍ୟାଡର୍ ଲିଷ୍ଟ ପ୍ରକାଶ କରାଯାଉ ନାହିଁ କି ପଦୋନ୍ନତି ଦିଆଯାଉନାହିଁ। କେବେ ନିର୍ବାଚନ ଆଳ‌ରେ ତ ଆଉ କେତେ ବେଳେ ମାଟ୍ରିକ୍ ପରୀକ୍ଷା ଆଳରେ ସରକାର ସମୟ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ୬୧୯୩ଟି ସରକାରୀ ହାଇସ୍କୁଲ ରହିଥିବା ବ‌େଳେ ଏବେ ପାଖାପାଖି ୧୮୦୦ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। କୌଣସି ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ପଦୋନ୍ନତି ବା ଅବସର ପରେ ଆଉ ପ୍ରଧାନଶିକ୍ଷଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନଶିକ୍ଷକ ନଥିବାରୁ ଶିକ୍ଷାଦାନଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା ପର୍ଯ୍ୟନ୍ତ ସବୁଠି ସମସ୍ୟା ସୃଷ୍ଟି ହେଉଛି। ଏପରିକି ଅଧିକାଂଶ ହାଇସ୍କୁଲ ବିନା ପ୍ରଧାନଶିକ୍ଷକରେ ୫-ଟି ରୂପାନ୍ତରଣରେ ସ୍ମାର୍ଟ ସ୍କୁଲ ହୋଇଛି।

Advertisment

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୫ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୬ଟି, ଏହିପରି ୩୯୮୧ଟି ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ କରାଯାଇଛି। ପ୍ରତି ୫-ଟି ସ୍କୁଲକୁ ୪୫ ଲକ୍ଷ ଟଙ୍କା ଅନୁଦାନ ମିଳିଥବା ବେଳେ ପ୍ରଧାନଶିକ୍ଷକ ନଥିବା ସ୍କୁଲରେ ଏହା କିପରି ଓ କାହା ମାଧ୍ୟମ‌ରେ ଖର୍ଚ ହୋଇଛି, ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଧାନଶିକ୍ଷକ ବିନା ଅର୍ଥ ହେରଫେର୍ ସହଜ ସରଳ କରିବା ଲକ୍ଷ୍ୟରେ ଏଭଳି ନିଯୁକ୍ତି ଦିଆଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଜଣେ ବରି‌ଷ୍ଠ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ହାଇସ୍କୁଲରେ ପ୍ରଧାନଶିକ୍ଷକ ନିଯୁକ୍ତି ଦେବାକୁ ସରକାର ୨୦୨୧ ନଭେମ୍ବର ପୂର୍ବରୁ ବରି‌ଷ୍ଠ ଶିକ୍ଷକଙ୍କ ସିସିଆର୍‌ ମଗାଇ ନେଇଛନ୍ତି। ପାଖାପାଖି ୯୫୦ଜଣ ବରି‌ଷ୍ଠ ଶିକ୍ଷକଙ୍କ ନାମକୁ ପ୍ରଧାନଶକ୍ଷକ ନିଯୁକ୍ତି ପାଇଁ ତାଲିକାଭୁକ୍ତ କରାଯାଇଛି। କିନ୍ତୁ ବିଭିନ୍ନ ଆଳ ଦେଖାଇ ତାହାକୁ ମାଧ୍ୟମିକ ଶିକ୍ଷା ବିଭାଗ ଗଡାଇ ଚାଲିଛି ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ପ୍ରଥମେ ପଂଚାୟତ ନିର୍ବାଚନ ଆଳ ଦେଖାଇ ପ୍ରଧାନଶିକ୍ଷକଙ୍କ ପଦୋନ୍ନତିକୁ ଅଟକାଇ ଦିଆଯାଇଥିଲା ଏବଂ ପରେ ମାଟ୍ରିକ୍ ପରୀକ୍ଷା ବାହାନାରେ ଏହାକୁ ଗଡାଇ ଦିଆଯାଇଛି ବୋଲି ସଂପୃକ୍ତ ବରିଷ୍ଠ ଶିକ୍ଷକ କହିଛନ୍ତି। ଏବେ କିନ୍ତୁ ନିର୍ବାଚନ ନଥିବା ବେଳେ ବିଭାଗ କେଉଁ ଉଦ୍ଦେଶ୍ୟରେ ଏଭଳି ସମୟ ଗଡ଼ାଇ ଚାଲିଛି ବୋଲି ପ୍ରଶ୍ନ ଉଠୁଛି। କେବଳ ସ୍କୁଲର ନୂଆ କୋଠା ତିଆରି କରି ଶିକ୍ଷାର ବିକାଶ ସମ୍ଭବ ହେବ କି ବୋଲି ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।