କଟକ: କଟକ ଜିଲ୍ଲାରେ ରହିଛି ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଗୋଟିଏ ଲୋକସଭା ଆସନ। ୨୦୧୯ ସାଧାରଣ ନିର୍ବାଚନରେ ୯ ବିଧାନସଭା ଆସନରୁ ୮ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଥିଲା। କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତାମାନଙ୍କ ଭେଟକୁ ନେଇ ହେଉଥିବା ଚର୍ଚ୍ଚାରୁ ସଂକେତ ମିଳୁଛି ଯେ କଟକ ଜିଲ୍ଲାର ୯ଟି ଯାକ ବିଧାନସଭା ଆସନରେ ୨୦୧୯ର ପ୍ରାର୍ଥୀ ପୁଣି ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ପାଇବେ। ଅର୍ଥାତ ୮ ବିଜୟୀ ପ୍ରାର୍ଥୀ ଓ ବାରବାଟୀ-କଟକ ଆସନରେ ଅଳ୍ପ ଭୋଟରେ ପରାସ୍ତ ହୋଇଥିବା ଦେବାଶିଷ ସାମନ୍ତରାୟ ୨୦୨୪ ନିର୍ବାଚନ ଲଢିବାର ସୁଯୋଗ ପାଇବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସବୁଜ ସଂକେତ ଦେଇ ସାରିଛନ୍ତି ବୋଲି ଚର୍ଚ୍ଚା ସହିତ ସେହି ଅନୁଯାୟୀ ନିଜ ନିଜ ଅଞ୍ଚଳରେ ନେତାମାନେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିବା ବି ଦେଖିବାକୁ ମିଳିଛି। କିନ୍ତୁ ଏହା ଯଦି ସତ ହୁଏ ତେବେ ଏଥିରୁ ଦୁଇଟି ବାର୍ତ୍ତା ସାଧାରଣକୁ ଯାଉଛି। ପ୍ରଥମ ବାର୍ତ୍ତା ହେଉଛି ଯେ ହୁଏତ ଯେଉଁ ଆସନରେ ବାପା ମାନଙ୍କ ସ୍ଥାନରେ ସେମାନଙ୍କ ପୁଅ ଛିଡା ହେବା କଥା ଅଥବା ପୁଅ ମାନଙ୍କ ସ୍ଥାନରେ ସେମାନଙ୍କ ବାପା ଛିଡା ହେବା କଥା, ତାହା ଆଉ ହେବ ନାହିଁ। ଆଉ ବାରବାଟୀ-କଟକ ଆସନର କଂଗ୍ରେସ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ସେହି ଆସନରୁ ବିଜେଡି ପ୍ରାର୍ଥୀ ହୋଇ ପାରିବେ ନାହିଁ। ଯଦିଓ ନିର୍ବାଚନ ପାଇଁ ଆହୁରି ଅନେକ ମାସ ରହିଛି ଏବଂ ରାଜନୀତିରେ ଶେଷ ପର୍ଯ୍ୟନ୍ତ କୌଣସି କଥାକୁ ନିଶ୍ଚିତ ବୋଲି କହି ହେବ ନାହିଁ, ଏ ଅଙ୍କ ବି ବଦଳିବା କିଛି ବିଚିତ୍ର ନୁହେଁ ବୋଲି ଅନେକ ବରିଷ୍ଠ ନେତା ମତ ଦେଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦେବାଶିଷ ସାମନ୍ତରାୟ ସିଡିଏର ଚା’ ଖଟିରେ ବସି ଲୋକଙ୍କ ସହ ଭାବ ବିନିମୟ କରିବା ଘଟଣା ଏବେ ସହର ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ୮ ବିଜେଡି ବିଧାୟକଙ୍କ ମଧ୍ୟରୁ ୩ ଜଣ ପ୍ରଥମ ଥର ଜିତିଥିଲେ।
ସାଲେପୁର ଆସନରୁ ପୂର୍ବରୁ ନିର୍ବାଚନ ହାରିଥିବା ପ୍ରଶାନ୍ତ ବେହେରା ପ୍ରଥମ ଥର ବିଜୟୀ ହୋଇଥିବା ବେଳେ ଚୌଦ୍ବାର-କଟକରେ ବାପା ପ୍ରଭାତ ବିଶ୍ବାଳଙ୍କ ସ୍ଥାନରେ ପ୍ରାର୍ଥୀ ହୋଇ ସୌଭିକ ବିଶ୍ବାଳ ଓ ବାଙ୍କୀରେ ବାପା ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ପ୍ରାର୍ଥୀ ହୋଇ ଦେବୀରଂଜ ତ୍ରିପାଠୀ ପ୍ରଥମ ଥର ବିଧାୟକ ହୋଇଥିଲେ। ଅନ୍ୟ ୫ ଜଣ ବିଧାୟକ ନିଜନିଜ ଅଞ୍ଚଳରେ ଏକାଧିକ ଥର ବିଜୟର ରେକର୍ଡ ରଖିଛନ୍ତି। ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବଡ଼ମ୍ବାରୁ ଦେବୀପ୍ରସାଦ ମିଶ୍ର, ମାହାଙ୍ଗାରୁ ପ୍ରତାପ ଜେନା, ନିଆଳିରୁ ଡାକ୍ତର ପ୍ରମୋଦ ମଲ୍ଲିକ, ସଦରରୁ ଚନ୍ଦ୍ରସାରଥି ବେହେରା ଏକାଧିକ ଥର ବିଜୟୀ ହୋଇ ସାରିଛନ୍ତି। ଚନ୍ଦ୍ରସାରଥି, ପ୍ରମୋଦ ୩ଥର ବିଜୟର ସ୍ବାଦ ଚାଖି ସାରିଥିବା ବେଳେ ପ୍ରତାପ ୫ ଥର, ରଣେନ୍ଦ୍ର ୭ଥର ଓ ଦେବୀ ୬ଥର ବିଜୟର ରେକର୍ଡ ରଖିଛନ୍ତି। ବାରବାଟୀ-କଟକରୁ ପରାସ୍ତ ହୋଇଥିବା ଦେବାଶିଷ ବି ପୂର୍ବରୁ ୩ଥର ବିଧାୟକ (ତିର୍ତ୍ତୋଲରୁ ଥରେ) ହୋଇ ସାରିଛନ୍ତି। ୨୦୨୪ରେ ଦେବୀ ଓ ରଣେନ୍ଦ୍ରଙ୍କ ସ୍ଥାନରେ ସେମାନଙ୍କ ପୁଅ ନିର୍ବାଚନ ଲଢିବାକୁ ନେଇ ଅବଶ୍ୟ ଏବେ ବି ଆକଳନ ଜାରି ରହିଛି। ଜିଲ୍ଲାର ୯ଟି ଯାକ ଆସନରୁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ସମେସ୍ତ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁଜ ସଙ୍କେତ ପାଇଥିବା କୁହାଯାଉଛି। କିନ୍ତୁ ସବୁଠୁ ଶେଷରେ ନିଆଳିର ପ୍ରମୋଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ତାହାକୁ ନେଇ ଅବଶ୍ୟ ପ୍ରମୋଦଙ୍କ ହୃଦସ୍ପନ୍ଦନ ବଢି ଯାଇଥିଲା।
ଅନ୍ୟପଟେ କଟକ ଲୋକସଭା ଆସନରୁ ୧୯୯୮ରୁ ଲଗାତାର ଭାବେ ୬ଟି ନିର୍ବାଚନରେ ବିଜୟୀ ହୋଇ ଆସିଥିବା ଭର୍ତ୍ତୃହରି ମହତାବ ୨୦୨୪ରେ ପୁଣି ବିଜେଡିରୁ ନିର୍ବାଚନ ଲଢିବାର ସୁଯୋଗ ପାଇବେ କି ନାହିଁ, ତାହାକୁ ନେଇ ପୂର୍ବ ନିର୍ବାଚନ ମାନଙ୍କ ଭଳି କଳ୍ପନାଜଳ୍ପନା ଜାରି ରହିଛି।