କଟକ: ଏକାମ୍ରକ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍’ ଅଧିନରେ ନିର୍ମାଣ ଉଚ୍ଛେଦ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। ଏହି ଯୋଜନା ଅଧିନରେ ହାଇକୋର୍ଟଙ୍କ ବିନା ଅନୁମତିରେ ଆଉ କୌଣସି ନର୍ମାଣ ଭଙ୍ଗା ଯାଇ ପାରିବ ନାହିଁ। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଇନଗତ ପ୍ରକ୍ରିୟା ଅନୁସରଣ ନ କରି କୌଣସି ନାଗରିକଙ୍କୁ ତାଙ୍କ ସଂପତ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଏଥି ସହିତ ସରକାରଙ୍କ ପକ୍ଷରୁ ଆବେଦନକାରୀଙ୍କ ଘର ଭାଙ୍ଗି ଦିଆଯିବା ପ୍ରସଂଗକୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାରଙ୍କ ଏପରି କାର୍ଯ୍ୟକୁ ବିଚାରକୁ ନେଇ ଏହି ଯୋଜନାରେ ଆଉ କୌଣସି ନିର୍ମାଣ ଭଙ୍ଗା ଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଏକାମ୍ରକ୍ଷେତ୍ର ଉନ୍ନତିକରଣ ଯୋଜନା ନାଁରେ ତାଙ୍କ ଘରକୁ ଭାଙ୍ଗି ଦେବାକୁ ପ୍ରଶାସନ ଧମକ ଦେଉଛି ବୋଲି ଦର୍ଶାଇ ଆବେଦନକାରୀ ଜେ.କର ନଭେମ୍ବର ପ୍ରଥମ ସପ୍ତାହରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଆଇନ ଅନୁସାରେ ଥଇଥାନ କରିବା ସହିତ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା କଥା। କିନ୍ତୁ ଥଇଥାନ ଓ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ ନ କରି ପ୍ରଶାସନ ତାଙ୍କ ଘର ଉଚ୍ଛେଦ କରିବାକୁ ଧମକ ଦେଉଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ନଭେମ୍ବର ୮ ତାରିଖ ଦିନ ବେଆଇନ ଭାବେ ପ୍ରଶାସନ ତାଙ୍କ ଘର ଭାଙ୍ଗି ଦେଇଛି। ଥଇଥାନ ଓ କ୍ଷତିପୂରଣ ପ୍ରଦାନ ନ କରି ପ୍ରଶାସନ ଏପରି କରିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/lingaraj-aa.jpg)
