କଟକ: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ନିୟମକୁ ଫୁ କରି ଉଡାଇ ଦେଉଛି ଘରୋଇ ବିଦ୍ୟୁତ ଯୋଗାଣ ସଂସ୍ଥା। ସଂସ୍ଥା ନିଜକୁ ସୁହାଇଲା ଭଳି ନିୟମକୁ ବିଦ୍ୟୁତ ଗ୍ରାହକଙ୍କ ଉପରେ ଲଦି ଚାଲିଥିବା ବେଳେ ଗ୍ରାହକଙ୍କ ଅଧିକାର ଓ ସୁରକ୍ଷା ପାଇଁ ରହିଥିବା ନିୟମକୁ ଫାଙ୍କି ଚାଲିଛନ୍ତି। ବିଦ୍ୟୁତ ଗ୍ରାହକମାନେ ନିଜ ଅଧିକାର ସଂପର୍କରେ ସଚେତନ ନଥିବାରୁ ତାହାର ଫାଇଦା ବି ଘରୋଇ ସଂସ୍ଥା ନେଉଛନ୍ତି। ବିଦ୍ୟୁତ ମିଟର ଘରେ ଅଥବା ବିଭିନ୍ନ ସ୍ଥାନରେ ଲାଗିବା ପାଇଁ ସ୍ବତନ୍ତ୍ର ନିୟମ ଆଉ ବ୍ୟବସ୍ଥା ରହିଛି। ଉପଭୋକ୍ତମାନଙ୍କ ଘରେ ଯେଉଁ ମିଟର ଲଗା ଯାଉଛି ସେ ମିଟରର ବୈଧତା, ସ୍ବଚ୍ଛତାକୁ ନେଇ କଂପାନି ଉପଭୋକ୍ତାଙ୍କୁ ମିଟର ସାଟିଫିକେଟ ବା ପ୍ରମାଣପତ୍ର ଦେବାର ନିୟମ ରହିଛି। କିନ୍ତୁ ସଂସ୍ଥା ଜୋରଜବରଦସ୍ତ ଉପଭୋକ୍ତାଙ୍କ ଘରେ ମିଟର ଲଗାଉଥିଲେ ବି ସାର୍ଟିଫିକେଟ୍ କିନ୍ତୁ ଦେଉ ନାହିଁ। ଅର୍ଥାତ କଂପାନି ଉପଭୋକ୍ତାଙ୍କ ଘରେ ଯେଉଁ ମିଟର ଲଗାଉଛି, ସେ ମିଟର ଠିକ ଓ ଏହା ଲାବୋରେଟୋରିରେ ପରିକ୍ଷୀତ ବୋଲି ଉଲ୍ଲେଖ କରାଯାଉନାହିଁ। ପ୍ରତି ଉପଭୋକ୍ତାଙ୍କ ସହିତ ଯୋଗାଣକରୀ ସଂସ୍ଥା ଚୁକ୍ତି କରିବା ଓ ମିଟରର ପ୍ରମାଣପତ୍ର ନ ଦେଇ ମନଇଛା ବିଦ୍ୟୁତ୍ ବିଲ୍ କରାଯାଉଥିବା ଅଭିଯୋଗ ଏବେ ବଢିବାରେ ଲାଗିଛି। ଯଦି ଜଣେ ଉପଭୋକ୍ତାଙ୍କ ଘରୁ ସାଧାରଣ ଭାବେ ଫ୍ୟୁଜ୍ ଉଡ଼ିଯାଏ ବା ଲାଇନ ଚାଲିଯାଏ ଏବଂ ସହରାଞ୍ଚଳର ଉପଭୋକ୍ତା ଯଦି ଏ ସଂପର୍କରେ ଅଭିଯୋଗ କରିବାର ୬ ଘଣ୍ଟା ଯାଏ ଲାଇନ୍ ସଂଯୋଗ ନ ଆସେ ତେବେ କଂପାନି ସଂପୃକ୍ତ ଉପଭୋକ୍ତାଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ଦେବାର ନିୟମ ରହିଛି। ଏହା ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲରୁ କାଟି ଦିଆଯିବାର ବ୍ୟବସ୍ଥା ରହିଛି। ସେହିପରି ଉପଭୋକ୍ତା ଯଦି ଗ୍ରାମାଞ୍ଚଳର ହୋଇଥା’ନ୍ତି ଓ ତାଙ୍କ ଘରେ ୨୪ ଘଣ୍ଟା ଲାଇନ ଯାଇଥାଏ ତେବେ କଂପାନି ସେ ଉପଭୋକ୍ତାଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ଦେବ। ଏ ନିୟମଟି କିନ୍ତୁ କେବଳ ନିୟମ ହୋଇ ରହିଛି।
୨୪ ଘଣ୍ଟାରୁ ୭୨ ଘଣ୍ଟା ଲାଇନ ଯାଉଥିଲେ ବି କେବେ ଉପଭୋକ୍ତାଙ୍କୁ କୌଣସି କଂପାନି ଟଙ୍କାକର କ୍ଷତିପୂରଣ ଦେଇ ନଥାଏ। ଘରୁ ବିଜୁଳି କଟିଗଲେ, ମଟିର ପାଖରେ ତ୍ରୁଟି କିମ୍ବା ବିଦ୍ୟୁତ ଖୁଣ୍ଟି ନିକଟରୁ ଆସିଥିବା ତାରରେ ସମସ୍ୟା ଥିଲେ, ଯୋଗାଣ ତା’ର ଛିଡି ଯାଇଥିଲେ, ପ୍ରବଳ ବର୍ଷା ପବନ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଥିଲେ, ଯୋଗାଣ ଟ୍ରାନସଫର୍ମରରେ ତ୍ରୁଟି ଥିଲେ ଓ ଏ ସମସ୍ୟା ସର୍ବାଧିକ ୨୪ ଘଣ୍ଟା ମଧ୍ୟରେ ସମାଧାନ ନ ହେଲେ ଉପଭୋକ୍ତାକୁ କଂପାନି ୧୦୦ରୁ ୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିୟମ ରହିଛି। ମାତ୍ର କଂପାନି କେବେ ତାହା ଦିଏ ନାହିଁ। ଉପଭୋକ୍ତା ମଧ୍ୟ ଏ ନେଇ ସଚେତନ ନଥା’ନ୍ତି ବୋଲି ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲଢେଇ କରୁଥିବା ଚୌଧୁରୀ ପ୍ରଭାତକେଶରୀ ମିଶ୍ର କହିଛନ୍ତି। ସେହିଭଳି ଲାଇସେନସପ୍ରାପ୍ତ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ୨୪ ଘଣ୍ଟା ପୂର୍ବରୁ ସୂଚନା ନଦେଇ ବିଜୁଳି ଯୋଗାଣ ବିଛିନ୍ନ କଲେ ଓ ଏହାକୁ ନେଇ ଯଦି ଉପଭୋକ୍ତା ଅଭିଯୋଗ କରେ ତେବେ ସେ ଉପଭାକ୍ତାଙ୍କୁ ୨୦୦ ଟଙ୍କାର କ୍ଷତିପୂରଣ ଯୋଗାଣକାରୀ ସଂସ୍ଥା ଦେବାକୁ ବାଧ୍ୟ। ଯାହା ଆପେ ଆପେ ତାଙ୍କ ବିଲ୍ରୁ କଟିବା କଥା। ମାତ୍ର ଏ ନେଇ କଂପାନି ମନମାନି କରିବା, ବିନା ଘୋଷଣାରେ ବିଦ୍ୟୁତ୍ କାଟୁଥିଲେ ବି ଉପଭୋକ୍ତାଙ୍କୁ କେବେ କ୍ଷତିପୂରଣ ମିଳେ ନାହିଁ। ସେହିଭଳି ଓଇଆରସି ଦ୍ବାରା ସ୍ଥିରିକୃତ ବିଜୁଳି ସରବରାହ ଭୋଲଟେଜ୍ ଯଦି ନ ମିଳେ ବା ଭୋଲେଟଜରେ ତାରତମ୍ୟ ହୁଏ ଓ ଏ ନେଇ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ସମାଧାନ ନ ହୁଏ ତେବେ କଂପାନି ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ। ସେହିଭଳି ମିଟର ଭୁଲ ଥିଲେ, ଖରାପ ଥିଲେ ଓ ଏହା ୩୦ ଦିନ ଭିତରେ ବଦଳା ନ ହେଲେ ଉପଭୋକ୍ତାକୁ କଂପାନି ୧୦୦ ଟଙ୍କାର କ୍ଷତିପୂରଣ ଦେବା କଥା। ଖାଉଟିଙ୍କ କୌଣସି ଦୋଷ ନ ଥାଇ ଯଦି ମିଟର ପୋଡିଯାଏ ଓ ୩୦ ଦିନ ଭିତରେ ନୂଆ ମିଟର ନ ଲାଗେ ସଂସ୍ଥା ୨୦୦ ଟଙ୍କା କ୍ଷତିପୂରଣ ଦେବ। ପ୍ରଚଳିତ ବ୍ୟବସ୍ଥାରେ ବିଦ୍ୟୁତ୍ ସଂଯୋଗ ବିଳମ୍ବ ହେଲେ ଖାଉଟିଙ୍କୁ ସଂସ୍ଥା ୧୦୦ ଟଙ୍କା କ୍ଷତିପୂରଣ ଦେବାର ନିୟମ ରହିଛି। ମାତ୍ର ସଂଯୋଗ ପାଇଁ ମାସ ମାସ ବିତୁଥିଲେ ବି ଖାଉଟିଙ୍କୁ ନ୍ୟାୟ ମିଳେ ନାହିଁ। ଟ୍ରାନ୍ସଫର୍ମର ଖରାପ ହେଲେ ସହରାଞ୍ଚଳରେ ୨୪ଘଣ୍ଟା, ଗ୍ରାମାଞ୍ଚଳରେ ୪୮ ଘଣ୍ଟା ଭିତରେ ସଜଡା ନଗଲେ କଂପାନି ଉପଭୋକ୍ତାଙ୍କୁ ୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ହେବ। ନିୟାମକ ଆୟୋଗର ଏସବୁ ନିୟମକୁ ଜାଣିଶୁଣି କଂପାନିମାନେ ଫାଙ୍କି ଚାଲି ଥିଲେ ବି ସରକାର ଏ ଦିଗରେ ହସ୍ତକ୍ଷେପ କରୁ ନାହାନ୍ତି।