ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ତାତି, ବଢ଼ିବନି ୱାର୍ଡ, କେବଳ ପ୍ରକାଶ ପାଇବ ସଂରକ୍ଷଣ ଚିଠା

କଟକ: ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ଚୂଡାନ୍ତ ସଂରକ୍ଷଣ ଚିଠା ପ୍ରକାଶନର ଠିକ୍‌ ଦିନକୁ ପୂର୍ବରୁ ସରକାର ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କଟକ ଜିଲ୍ଲାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଟକ ମହାନଗର ନିଗମ, ଚୌଦ୍ବାର ପୌର ପରିଷଦ, ଆଠଗଡ଼ ଓ ବାଙ୍କୀ ଏନଏସି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଜିଲ୍ଲାରେ ଏବେ ରାଜନୈତିକ ଉଷ୍ମତା ଚରମସୀମାରେ ପହଞ୍ଚିଛି। ଆଜି ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ନଭେମ୍ବର ୧୫ ତାରିଖରେ ପ୍ରକାଶ ପାଇବ। ଡିସେମ୍ବର ୧୨ରୁ ୧୯ ଭିତରେ ଏ ସଂକ୍ରାନ୍ତରେ ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରାଯିବ ଏବଂ ଚୂଡାନ୍ତ ତାଲିକା ଜାନୁଆରି ୨୦ ତାରିଖ ପୂର୍ବରୁ ଜାରି କରାଯିବ। ସେହିଭଳି ପୌର ପରିଷଦ ଓ ଏନଏସି ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ବା ଚିଠା ନଭେମ୍ବର ୯ ତାରିଖ ସୁଦ୍ଧା ପ୍ରକାଶ ପାଇବ। ନଭେମ୍ବର ୧୮ ତାରିଖ ସୁଦ୍ଧା ଅଭିଯୋଗ ଓ ପରାମର୍ଶ ଗ୍ରହଣ କରାଯିବ। ନଭେମ୍ବର ୨୯ରେ ସଂଶୋଧିତ ତାଲିକା ଜାରି କରାଯିବ ଏବଂ ଏହା ବିରୋଧରେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ଭିତରେ ସରକାରଙ୍କ ନିକଟରେ ଆବେଦନ କରାଯାଇ ପାରିବ ବୋଲି ଆଜି ସୂଚନା ଜାରି କରାଯାଇଛି। ଏଥର ମହାନଗର ନିଗମ, ପୌର ପରିଷଦ ଅଥବା ଏନଏସି ୱାର୍ଡ ସଂଖ୍ୟା ବଢିବ ନାହିଁ। କେବଳ ସୀମା ନିର୍ଦ୍ଧାରଣ ଅଥବା ସଂରକ୍ଷଣ ସଂପର୍କିତ ବିଜ୍ଞପ୍ତି ଜାରି କରାଯିବ। ୨୦୧୧ ଜନଗଣନା ରିପୋର୍ଟକୁ ଆଧାର କରି ସଂରକ୍ଷଣ ଚିଠା ପ୍ରକାଶ ପାଇବ। କଟକ ମହାନଗରର ୫୯ଟି ୱାର୍ଡ, ଚୌଦ୍ବାର ପୌରପରିଷଦର ୧୯ଟି ୱାର୍ଡ, ଆଠଗଡ଼ ଏନ୍‌ଏସିର ୧୮ ଟି ଓ ବାଙ୍କୀର ୧୭ଟି ୱାର୍ଡ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ପୌର ପରିଷଦରୁ କଟକ ମହାନଗର ନିଗମ ହେବା ପରେ ଏଯାଏ ୩ ଥର ନିର୍ବାଚନ ହୋଇ ସାରିଛି। ମହାନଗର ନିଗମର ଏହା ଚତୁର୍ଥ ନିର୍ବାଚନ ହେବ। କଟକ ପୌର ପରିଷଦ ପୂର୍ବରୁ ପ୍ରତ୍ୟକ୍ଷ ନଗରପାଳ ନିର୍ବାଚନ ଦେଖିଥିଲେ ବି ମହାନଗର ନିଗମରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ମେୟର ନିର୍ବାଚନ ହେବ। ୫୯ଟି ୱାର୍ଡ ପାଇଁ ଗତଥର ହୋଇଥିବା ନିର୍ବାଚନରେ ମେୟର ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା।
ଚୌଦ୍ବାର ଏନ୍‌ଏସି ୧୯୫୮ରେ ଗଠିତ ହୋଇଥିବା ବେଳେ ଏହା ୧୯୬୯ରୁ ପୌର ପରିଷଦ ଭାବେ ରହି ଆସିଛି।

ଚୌଦ୍ବାର ପୌର ପରିଷଦର ୧୯ଟି ୱାର୍ଡ ପାଖାପାଖି ୫୦ ହଜାର ‌ଜନସଂଖ୍ୟା ଓ ୩୫ ହଜାର ୫୮୧ ଭୋଟରଙ୍କୁ ନେଇ ଗଠିତ। ତେବେ ଏହି ଆସନରେ ପୂର୍ବରୁ ଦୁଇଥର ନଗରପାଳ ଆସନରେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ୧୯୭୯ରେ ପ୍ରତ୍ୟକ୍ଷ ନିର୍ବାଚନରେ କଂଗ୍ରେସ ହାତକୁ ଯାଇଥିଲା ଓ ୧୯୯୨ ନିର୍ବାଚନରେ ଏହି ଆସନ ଜନତା ଦଳ ହାତକୁ ଯାଇଥିଲା। ଗଲା ନିର୍ବାଚନରେ ନଗରପାଳ ଆସନ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ଆଠଗଡ଼ ଏନ୍‌ଏସି ୧୯୭୩ ମସିହାରେ ଗଠିତ ହୋଇଥିଲା। ୧୮ ଟି ୱାର୍ଡ ଓ ୧୭ହଜାର ୨୯୨ ଜନସଂଖ୍ୟା ବିଶିଷ୍ଟ ଆଠଗଡ଼ ଏନ୍‌ଏସି ୧୯୯୨ ମସିହାରେ ପ୍ରଥମ ପ୍ରତ୍ୟକ୍ଷ ଅଧ୍ୟକ୍ଷ ନିର୍ବାଚନ ଦେଖିଥିଲା ଓ ଜନତା ଦଳ ହାତରେ ରହିଥିଲା ଏହି ଆସନ। ତେବେ ଗତ ନିର୍ବାଚନରେ ଏସ୍‌ସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିଲା ଅଧ୍ୟକ୍ଷ ପଦ। ସେହିପରି ୧୭ଟି ୱାର୍ଡକୁ ନେଇ ୧୯୬୬ରେ ବାଙ୍କୀ ଏନଏସି ଗଠନ ହୋଇଥିଲା। ୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ୧୭ ହଜାର ୫୨୧ ଥିବାବେଳେ ଭୋଟର ସଂଖ୍ୟା ୧୨ହଜାର ୧୮୦ । ପୂର୍ବରୁ ଦୁଇଥର ଅର୍ଥାତ୍‌ ୧୯୭୯ ଓ ୧୯୯୨ରେ ହୋଇଥିବା ସିଧାସଳଖ ଅଧ୍ୟକ୍ଷ ନିର୍ବାଚନରେ ପ୍ରଥମ ଥର ସ୍ୱାଧୀନ ପ୍ରାର୍ଥୀଙ୍କ ହାତ‌ରେ ନଗରପାଳ ଆସନ ଥିବାବେଳେ ୧୯୯୨ରେ ଏହା କଂଗ୍ରେସ ହାତକୁ ଯାଇଥିଲା। ଗଲା ନିର୍ବାଚନରେ ନଗରପାଳ ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା।

ସମ୍ବନ୍ଧିତ ଖବର