କଟକ: କଂଗ୍ରେସ ପ୍ରାର୍ଥୀ ଘୋଷଣା ଆଉ ପ୍ରସ୍ତୁତିରେ ଏଯାଏ ଆଗୁଆ ରହିଛି। ମେୟର ପ୍ରାର୍ଥୀ ଓ ଅନେକ ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। କିନ୍ତୁ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିରେ ଏବେ ବି ସସପେନ୍ସ ଜାରି ରହିଛି। ଉଭୟ ଦଳର ମେୟର ଓ କର୍ପୋରେଟର ପ୍ରାର୍ଥୀ ଘୋଷଣା ହୋଇପାରି ନାହାନ୍ତି। ପ୍ରଥମ ଦୁଇ ଦିନ ପ୍ରାର୍ଥିପତ୍ର ଦାଖଲର ଶେଷ ହୋଇ ସାରିଥିବା ବେଳେ କେହି ଜଣେ ବି ପ୍ରାର୍ଥୀ ଏଯାଏ ପ୍ରାର୍ଥିପତ୍ର ଦାଖଲ ନ କରିବା ବି ରୋଚକ ସ୍ଥିତି ସୃଷ୍ଟି କରିଛି। ଆଉ ୪ ଦିନ ପ୍ରାର୍ଥିପତ୍ର ଦାଖଲ ହେବ। ଆଜି କଂଗ୍ରେସ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। କିନ୍ତୁ ବିଜେଡି ଓ ବିଜେପିରୁ ପ୍ରାର୍ଥିପତ୍ର ଦାଖଲ ହୋଇ ପାରିବ ନାହିଁ। ଅନ୍ୟପଟେ ପରକୁ ପର ଶନି ଓ ରବିବାର ଥିବା ବେଳେ ମୁଖ୍ୟତଃ ବିଜେଡି ଓ ବିଜେପି ପ୍ରାର୍ଥୀମାନେ ରବି ଓ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ। ବିଜେଡି ଆସନ୍ତାକାଲି ପ୍ରାର୍ଥୀ ଘୋଷଣା କରିବ ନା ପଂଚାୟତିରାଜ ଦିବସ ଅର୍ଥାତ ବିଜୁ ଜୟନ୍ତୀରେ ପ୍ରାର୍ଥୀ ଘୋଷଣା କରି ଜୋରଦାର ଅଭିଯାନ ସହ ମଇଦାନକୁ ଓହ୍ଲାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପଟେ ବିଜେଡି ଟିକେଟ ପାଇଁ ଅଧିକ ଆଶାୟୀ ଥିବା ବେଳେ ସେ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବି ଅଧିକ। ତେଣୁ ଅଞ୍ଚଳରେ ପ୍ରଭାବ ରଖିଥିବା କିଛି ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଟିକେଟ ଦେବା ସମ୍ଭାବନା ରହିଛି। ତେଣୁ ଏଭଳି ସ୍ଥିତିରେ ବିଜେଡି ବି ସତର୍କତାର ସହିତ ସମୟ ଗଡାଇ ଚାଲିଥିବା କୁହାଯାଉଛି। ବିଜେଡି ପାଇଁ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ସବୁଠୁ ବଡ଼ ଶକ୍ତି। ଏବଂ ସେଥିପାଇଁ ସେମାନଙ୍କ ପାଇଁ ଚିନ୍ତା ନାହିଁ ବୋଲି ସେ ଦଳର ନେତା ଓ କର୍ମୀମାନେ କହି ବୁଲୁଛନ୍ତି। କଂଗ୍ରେସ ଯୋଜନାବଦ୍ଧ ରଣନୀତିରେ ଆଗେଇ ଚାଲିଛି।
ଅନ୍ୟପଟେ କଟକରେ ବିଜେପି ଶିବିର କିନ୍ତୁ ଏଯାଏ ସେଭଳି ଶକ୍ତି ସଂଗ୍ରହ କରି ନିର୍ବାଚନ ମଇଦାନକୁ ଲମ୍ପ ଦେବା ସ୍ଥିତିରେ ପହଞ୍ଚି ପାରି ନାହିଁ। ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇଛି ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଶାରୀରିକ ଅସୁସ୍ଥତା। କଟକରେ ବିଜେପି କହିଲେ ଲୋକଙ୍କ ନିକଟରେ ସମୀରଙ୍କୁ ବୁଝାଏ। ଅନ୍ୟପଟେ ଚୌଦ୍ବାର-କଟକରେ ନୟନ ମହାନ୍ତି ଚୌଦ୍ବାର ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ସେଠି ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ କଟକରେ ମୁକାବିଲାର ରୂପରେଖ କ’ଣ ହେବ, ତାହା ୫ ତାରିଖ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Election-Symbol1.jpg)