କଟକ: କଟକ ବିଜେଡିରେ ଅନୁଭବୀ, ବରିଷ୍ଠ ଆଉ ପୁରୁଣା ସଂଗଠକମାନେ ଏବେ ଅଲୋଡ଼ା। ଏହାକୁ ନେଇ ଦୀର୍ଘ ଦିନରୁ ଚାପା ଅସନ୍ତୋଷ ତ ଲାଗି ରହିଛି, ଏବେ ମହାନଗର ନିଗମ ଆଉ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଥରେ ଏହା ଏକ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ବିଶେଷକରି ସିଧାସଳଖ ମେୟର ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ସମସ୍ୟାର ସମାଧାନ ନ ହେଲେ ଦଳକୁ ହୁଏତ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡି ପାରେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କଟକ ଜିଲ୍ଲାରେ ବିଜେଡିକୁ ଚାଲେଞ୍ଜ ଦେବା ସ୍ଥିତିରେ ବିରୋଧୀ ନାହାନ୍ତି, ଏକଥା ଅନେକାଂଶରେ ସତ। କିନ୍ତୁ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରୁ ବାରବାଟୀ-କଟକରେ ଅଳ୍ପ ଭୋଟରେ ହେଉ ପଛେ ବିଜେଡିର ପରାଜୟ ୨୦୧୯ ନିର୍ବାଚନରେ ଦଳ ପାଇଁ ଏକ ଧକ୍କା ଥିଲା। ଦଳରେ ରାଜ୍ୟସ୍ତରରେ ପ୍ରଭାବ ଆଉ ପତିଆରା ରଖୁଥିବା ଦେବାଶିଷ ସାମନ୍ତରାୟଙ୍କ ପରାଜୟ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା। ଅନେକ ବର୍ଷ ପରେ ବାରବାଟୀ-କଟକରେ କଂଗ୍ରେସର ବିଜୟ ହୋଇଥିଲା। କିନ୍ତୁ ଦୁଇ ବର୍ଷ ଭିତରେ ବିଜେଡି ନିଜର ତ୍ରୁଟି ସୁଧାରିବାକୁ ସେଭଳି କିଛି ଜୋରଦାର ଉଦ୍ୟମ ବା ପଦକ୍ଷେପ ନେଇ ପାରି ନଥିବା ଦଳର ନେତା ଓ କର୍ମୀମାନେ ବି ସ୍ବୀକାର କରୁଛନ୍ତି। ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦଳକୁ ସକ୍ରିୟ କରିବାକୁ ଲଗାତାର ଉଦ୍ୟମ କରି ଆସୁଛନ୍ତି। କିନ୍ତୁ ଏସବୁ ଭିତରେ ଅନେକ ନୂଆ ମୁହଁ ସାମନାକୁ ଆସିବା ସହ ଗୁରୁତ୍ବ ପାଉଥିବା ବେଳେ ପୂର୍ବଭଳି ବରିଷ୍ଠ, ଅନୁଭବୀ ଆଉ ପୁରୁଣା ସଂଗଠକମାନେ କିନ୍ତୁ ଅଲୋଡା ଆଉ କୋଣଠେସା ହେଇ ରହି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଦଳର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲେ ବି ‌ସେମାନଙ୍କୁ ସେତିକି ଗୁରୁତ୍ବ ମିଳୁଥିବା ଭଳି ଅନୁଭବ ହେଉ ନାହିଁ। କେବଳ ବାରବାଟୀ-କଟକରେ ଏ ସ୍ଥିତି ନୁହେଁ, ଚୌଦ୍ବାର-କଟକ ଓ ସଦର ସମେତ ଅଳ୍ପବହୁତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବି ଏ ସମସ୍ୟା ଲାଗି ରହିଛି।

Advertisment

କିନ୍ତୁ ଏହାକୁ ନେଇ ପଂଚାୟତ ନିର୍ବାଚନରେ ଦଳ ଯେତିକି ସମସ୍ୟାରେ ନ ପଡିବ, ମହାନଗର ନିଗମ ନିର୍ବାଚନରେ ତ୍ରୁଟି ନ ସୁଧାରିଲେ ବହୁ ମୂଲ୍ୟ ଦେବାକୁ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି। ନିଜ ନିଜ ଅଞ୍ଚଳରେ ଦୃଢ ସଂଗଠନ ରଖିଥିବା ଅନେକ ପୂର୍ବତନ କର୍ପୋରେଟର ଦଳରେ ଗୁରୁତ୍ବ ନପାଇ ଅସନ୍ତୁଷ୍ଟ। ସିଏ ବିକାଶ ବେହେରା ହୁଅନ୍ତୁ କି କେଦାର ପୃଷ୍ଟି, ପ୍ରଦୀପ ଖୁଣ୍ଟିଆ, ଚିରଂଜୟ ସାହୁ ଅଥବା ପ୍ରଦୀପ ବେହେରା। ବିଜୁ ପଟ୍ଟନାୟକଙ୍କ ଅମଳରୁ କଟକରେ ସକ୍ରିୟ ରହି ଆସିଥିବା ପ୍ରଫୁଲ୍ଲ ବେହେରା, ଯୁଗଳ ନାୟକଙ୍କ ଭଳି ବରିଷ୍ଠଙ୍କୁ ତ ଦଳୀୟ କାର୍ଯ୍ୟକ୍ରମରେ ବିଶେଷ ଦେଖିବାକୁ ମିଳୁନି। ହୁଏତ ସେମାନଙ୍କୁ ସେତିକି ଗୁରୁତ୍ବ ଦେଇ କାର୍ଯ୍ୟକ୍ରମକୁ ଡକାଯାଉନି। ପୂର୍ବତନ ମେୟରଙ୍କ ଭିତରୁ ସୌମେନ୍ଦ୍ର ଘୋଷ, ମୀନାକ୍ଷି ବେହେରାଙ୍କୁ ବି ଆଗଧାଡ଼ିରେ ଦେଖିବାକୁ ମିଳୁ ନାହିଁ। ପ୍ରଫୁଲ୍ଲ ସିଂହ, ପ୍ରଶାନ୍ତ ନାୟକଙ୍କ ଭଳି ବ୍ୟକ୍ତି ଦୀର୍ଘଦିନ ଧରି ସଂଗଠନରେ ରହି ଆସିଥିବା ବେଳେ ସେମାନେ ବି ଆଗଧାଡ଼ିର ଚେହେରା ହୋଇ ନାହାନ୍ତି। ମହାନଗର ଅଞ୍ଚଳରେ ସବୁଠୁ ଅଧିକ ଗୁରୁତ୍ବ ରହିଛି ବାରବାଟୀ-କଟକ ନିର୍ବାଚନ କ୍ଷେତ୍ରର। ସେଠି ଏବେ କଂଗ୍ରେସ ବିଧାୟକ। ୨୦୧୯ ନିର୍ବାଚନ ଫଳାଫଳକୁ ସଂପୂର୍ଣ୍ଣ ଓଲଟାଇବା ପାଇଁ ବିଜେଡିକୁ ଏଠାରେ ପ୍ରବଳ ଝାଳ ବୁହାଇବାକୁ ପଡିବ। ଏ ସତ୍ୟକୁ କେହି ଅସ୍ବୀକାର କରି ପାରିବେ ନାହିଁ। କିନ୍ତୁ ସେହିଭଳି କସରତ ଏଯାଏ ଆରମ୍ଭ ହୋଇ ପାରି ନଥିବାରୁ ବିଜେଡିର ବିନାବାଧା ବିଜୟକୁ ନେଇ ବି ଆଶଙ୍କା ଦୂର ହେଉ ନାହିଁ।