ନିଜ ଅନୁଗତ ଏବେ ବିଦ୍ରୋହୀ, ରାଜା ଓ ଦେବୀଙ୍କୁ ୱାର୍ଡ ଦାୟିତ୍ବ; ମନ୍ତ୍ରୀ ପ୍ରତାପ ଜେନା ବି ଅକଳରେ

କଟକ: କଟକରେ ଏବେ କେତେକ ଗୁରୁତ୍ବପୂର୍ଣ୍ଣ ୱାର୍ଡର ‌ଦାୟିତ୍ବ ନେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର। ମନ୍ତ୍ରୀ ପ୍ରତାପ ଜେନା ସାରା କଟକ ବୁଲୁଛନ୍ତି। ବିଜେଡିର କେତେକ ବରିଷ୍ଠ କର୍ମୀ, ପୂର୍ବତନ କର୍ପୋରେଟର ଏବେ ଅନ୍ୟ ଦଳର ପ୍ରାର୍ଥୀ ହୋଇ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ଏଭଳି ସ୍ଥିତିରେ ସେହିସବୁ ୱାର୍ଡ କିଭଳି ବିଜେଡି ହାତରେ ରହିବ, ମେୟର ପ୍ରାର୍ଥୀ ସୁବାସ ସିଂହ କିଭଳି ଅଧିକ ଭୋଟ ପାଇବେ, ସେହି ରଣନୀତିରେ ଏବେ ରଣେନ୍ଦ୍ର ଓ ଦେବୀଙ୍କୁ ନିର୍ଦ୍ଦିଷ୍ଟ କିଛି ୱାର୍ଡ ଦାୟିତ୍ବ ଦିଆଯାଇଛି। ପୂର୍ବତନ କର୍ପୋରେଟର ଜ୍ଞାନରଂଜନ ସ୍ବାଇଁଙ୍କ ପତ୍ନୀ ଏବେ ୧୦ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ। ସିଏ ଥିଲେ ଆଶୀର୍ବାଦ ବେହେରାଙ୍କ ଅନୁଗତ। ୯ ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପୂର୍ବତନ କର୍ପୋରେଟର ବିକାଶ ବେହେରା। ସିଏ ଦେବୀ ମିଶ୍ରଙ୍କ ଅନୁଗତ ଭାବେ ଜଣା। ଏପଟେ ୨୯ ନମ୍ବର ୱାର୍ଡରୁ ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ। ଏମାନେ ସବୁ ଏକାଧିକ ଥର କର୍ପୋରେଟର ହୋଇଛନ୍ତି। ଅଞ୍ଚଳ ଉପରେ ସେମାନଙ୍କର ନିୟନ୍ତ୍ରଣ ରହିଛି। ଏଭଳି ସ୍ଥିତିରେ ବିଜେଡି ହାତରୁ ସେ ସବୁ ୱାର୍ଡ ଚାଲି ଯିବା ଆଶଙ୍କା କରାଯାଉଛି।

ଅନ୍ୟପଟେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ସାହି ଯୋବ୍ରାରେ ବିଜେଡି ସ୍ଥିତି ଟଳମଳ ବୋଲି କୁହାଯାଉଛି। ୩୯ ନମ୍ବର ୱାର୍ଡରେ ବିଜେଡି ପ୍ରଥମେ ମନ୍ତ୍ରୀ ପ୍ରତାପ ଜେନା (ଲୁଲୁ)ଙ୍କ ଅନୁଗତ ଲୋକନାଥ ଲେଙ୍କାଙ୍କୁ ଟିକେଟ ଦେଇଥିଲା। ପରେ ଦଳ ଟିକେଟ ପ୍ରତ୍ୟାହାର କରି ସ୍ବାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେଙ୍କୁ ସମର୍ଥନ କରୁଛି। ସେଠି କିନ୍ତୁ ଲୋକନାଥ ଏବେ ବି ସ୍ବାଧୀନ ଭାବେ ଲଢୁଛନ୍ତି। ସେ ସବୁ ୱାର୍ଡରେ ପ୍ରତାପ କ’ଣ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

୧୦ ନମ୍ବର ୱାର୍ଡରେ ତ ବିଜେଡି ସପକ୍ଷରେ ପ୍ରଚାର କରୁଥିବା ଆଶୀର୍ବାଦ ବେହେରାଙ୍କ ସମର୍ଥନ ସେଠାରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତି ଥିବା ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଜ୍ଞାନ କଂଗ୍ରେସକୁ ଚାଲିଯିବା ଏବଂ ଆଶୀର୍ବାଦଙ୍କ ଆଶୀର୍ବାଦ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତି ଥିବା ବେଳେ ବିଜେଡି ଅବସ୍ଥା ସେଠି କ’ଣ ହେବ? ସେହି ୱାର୍ଡରେ ପୂର୍ବରୁ କଂଗ୍ରେସରେ ଥିବା ଏବଂ ‌ଏବେ ବିଜେପିର ଯୁବ ନେତା ଦେବାଶିଷ ଘୋଷ ଦଳ ପାଇଁ ବାହାରି ପାରୁ ନାହାନ୍ତି। ଏସବୁ ସ୍ଥିତିରେ ଗୋଳମାଳିଆ ପରିସ୍ଥିତିରୁ ରାଜା ବିଜେଡି ପାଇଁ କେତେ ଫାଇଦା ଆଣି ପାରିବେ, ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜା ଆଜି କୁଆଡେ କଟକର ଡିଲରମାନଙ୍କୁ ପରାମର୍ଶ ଦେଇଛନ୍ତି, ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ। ତାଙ୍କୁ ଏକାଠି କରି ଦଳ ପାଇଁ କିଭଳି କାମ କରି ହେବ, ସେ ପରାମର୍ଶ ଦେଇଛନ୍ତି। କିନ୍ତୁ ରାଜାଙ୍କ ଏ ମନ୍ତ୍ର ବାସ୍ତବରେ କେତେ କାଟୁ କରିବ, ତାହା ହୁଏତ ନିର୍ବାଚନ ଫଳାଫଳ ପ୍ରମାଣ ଦେବ।

ସମ୍ବନ୍ଧିତ ଖବର