୨୦୧୪ରେ ବିଜେଡି ଖାତାରେ ଥିଲା ୯; କଂଗ୍ରେସ ୩, ବିଜେପି ୨, ସ୍ବାଧୀନ ୭

ଶକ୍ତି ଜୁଟାଇ ଲଢ଼ୁଛି କଂଗ୍ରେସ; ଚକ୍‌ମା ଦେଖାଇବା ଯୋଜନାରେ ପ୍ରଭାତ

କଟକ: ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରେ ରହିଛି କଟକ ମହାନଗର ନିଗମର ୨୧ଟି ୱାର୍ଡ। ୩୨, ୩୪ରୁ ୪୯ ଓ ୫୨ରୁ ୫୫ ନମ୍ବର ୱାର୍ଡ ରହିଛି ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରେ। ବିଜେଡି ପାଇଁ ଏହି ୨୧ଟି ୱାର୍ଡର ନିର୍ବାଚନ ପରିଚାଳନା ଦାୟିତ୍ବ ସିଧାସଳଖ ରହିଛି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ହାତରେ। ପ୍ରଭାତ ହୁଅନ୍ତୁ ଅଥବା ତାଙ୍କ ପୁଅ ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ବାଳ, ନିଜେ ଲଢୁଥିବା ନିର୍ବାଚନରେ ସବୁ ବେଳେ ଉଲ୍ଲେଖନୀୟ ସଫଳତା ହାସଲ କରି ଆସିଛନ୍ତି। କିନ୍ତୁ ମହାନଗର ନିର୍ବାଚନରେ ପ୍ରଭାତଙ୍କୁ ପୂର୍ବ ନିର୍ବାଚନ ଗୁଡିକରେ ଝୁଣ୍ଟିବାକୁ ପଡିଛି। ୨୦୧୪ କଟକ ମହାନଗର ନିଗମ ନିର୍ବାଚନରେ ୨୧ ୱାର୍ଡରୁ ମାତ୍ର ୯ଟି ୱାର୍ଡ ଆସିଥିଲା ବିଜେଡି ହାତକୁ। ୭ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଜିତି ଥିବା ବେଳେ ୩ଟିରେ କଂଗ୍ରେସ ଏବଂ ୨ଟିରେ ବିଜେପି ପ୍ରାର୍ଥୀ ଜିତିଥିଲେ। ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ଅବଶ୍ୟ ବିଜେଡିର ଅସନ୍ତୁଷ୍ଟ ଥିଲେ। ପରବର୍ତ୍ତି ସମୟରେ ସେମାନେ ବିଜେଡିର ସହଯୋଗୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥର ନିର୍ବାଚନର ସ୍ଥିତି କିନ୍ତୁ ଭିନ୍ନ। କର୍ପୋରେଟର ସହିତ ସିଧାସଳଖ ମେୟର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଭିନ୍ନ ଢଙ୍ଗରେ ପ୍ରଚାର ହେଉଛି। ଯଦି ୨୦୧୪ ନିର୍ବାଚନ ଅନୁଯାୟୀ ବିଜେଡି (ଶଙ୍ଖ ଚିହ୍ନ) ପ୍ରଦର୍ଶନ କରେ ତେବେ ଦଳକୁ ହୁଏତ ମହଙ୍ଗା ପଡିବ। ୨୦୧୪ ସିଏମ୍‌ସି ନିର୍ବାଚନରେ ଯଦିଓ ବିଜେଡିର ପ୍ରଦର୍ଶନ ଚୌଦ୍ବାର-କଟକ ଅଞ୍ଚଳରେ ଦୁର୍ବଳ ଥିଲା, କିନ୍ତୁ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଭାତରଂଜନ ବିଶ୍ବାଳ ଓ ସୌଭିକ ବିଶ୍ବାଳ ନିଜ ପାଇଁ ଅଧିକ ଭୋଟ ଜୁଟାଇବାରେ ସଫଳ ହୋଇଥିଲେ। ପ୍ରଭାତଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ତାଙ୍କର ପ୍ରତିଦ୍ବନ୍ଦ୍ବୀ ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ, ଏ କଥାକୁ କେହି ଅସ୍ବୀକାର କରୁ ନାହାନ୍ତି। କିନ୍ତୁ ୨୦୧୪ ସିଏମସି ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ ସତ୍ତ୍ବେ ୨୦୨୨ ସିଏମସି ନିର୍ବାଚନରେ ବିଜେଡିର କର୍ପୋରେଟର ଟିକେଟ ବଣ୍ଟନରେ ବ୍ୟାପକ ବିଭ୍ରାଟ ଆଉ ଅସେନ୍ତାଷ ସୃଷ୍ଟି ହୋଇଛି।

ଏହି ଅସନ୍ତୋଷକୁ ମୁକାବିଲା କରିବା ପାଇଁ ପ୍ରଭାତ ଅଣ୍ଟା ଭିଡି ଥିଲେ ବି ସେଥିରେ ସଂପୂର୍ଣ୍ଣ ସଫଳ ହୋଇ ପାରି ନଥିବା ତାଙ୍କର ସମର୍ଥକ ବି ସ୍ବୀକାର କରୁଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ଏଥର ନିର୍ବାଚନରେ ଚୌଦ୍ବାର-କଟକରେ ଦୁଇଟି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। କଂଗ୍ରେସ ସଂପୂର୍ଣ୍ଣ ଶକ୍ତି ଖଟାଇ ନିର୍ବାଚନ ଲଢୁଛି। ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ଜଗଦୀଶ ମହାନ୍ତି ଓ ଅନ୍ୟମାନେ ଏକଜୁଟ୍ ହୋଇ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ସେପଟେ ଚୌଦ୍ବାର-କଟକରେ ବିଜେଡି ପଛକୁ ପ୍ରଭାବ ରଖୁଥିବା ବିଜେପି ପ୍ରଚାରରେ ପଛରେ ପଡି ଯାଇଛି। ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ପ୍ରଭାତଙ୍କ ପୁଅ ସୌଭିକ ନିଜେ ନିର୍ବାଚନ ଲଢି ମଧ୍ୟ ଅଞ୍ଚଳରେ ବିଜେଡି ବିରୋଧୀ ଭୋଟ ୫୧ ପ୍ରତିଶତ ରହିଛି। ଯଦି ବିଜେଡି ବିରୋଧୀ ଭୋଟ କୌଣସି ଗୋଟିଏ ଦିଗକୁ ମୁହାଁଏ ତେବେ ବିଜେଡି ପାଇଁ ସମସ୍ୟା ସୃଷ୍ଟି ହେବ। କିନ୍ତୁ ପ୍ରଭାତ ଅଞ୍ଚଳରେ ଚକ୍‌ମା ଦେଖାଇବାର କୌଶଳ ଜାଣିଛନ୍ତି। ରାତାରାତି ଭୋଟ ଓଲଟପାଲଟ କରିବାର ଦକ୍ଷତା ବି ରଖିଛନ୍ତି। ହାତରେ ଆଉ ମାତ୍ର ଦୁଇ ଦିନର ସମୟ। ପ୍ରଭାତ ସ୍ଥିତି ଓଲଟପାଲଟ କରିବାରେ ସଫଳ ହେବେ ନା ବିରୋଧୀ ଏଠି ବିଜେଡିକୁ ବାଜିମାତ୍ ଦେବାରେ ସଫଳ ହେବ‌େ, ତାହାକୁ ନେଇ ଆଶଙ୍କା ଆକଳନ ଜାରି ରହିଛି।

ସମ୍ବନ୍ଧିତ ଖବର