କଟକ/ବିଦ୍ୟାଧରପୁର: କଟକ ଜିଲ୍ଲା ସଦର ବ୍ଲକ୍ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଦ୍ଭୂତପୂର୍ବ ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରିବାର ହାତରେ ଅଧ୍ୟକ୍ଷ ପଦ ରଖିବା ପାଇଁ ଗଣତନ୍ତ୍ର ସହ ଖେଳ ଖେଳା ଯାଇଛି। ଏହି ଘଟଣାରେ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଭୂମିକାକୁ ନେଇ ବି ପ୍ରଶ୍ନ ଉଠିଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ହେବାକୁ ଥିବା ନିର୍ବାଚନରେ କେହି ନାମାଙ୍କନପତ୍ର ଦାଖଲ ନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଭଳି ସ୍ଥିତିରେ ବିରୋଧୀ ଦଳ ବି ଚୁପ୍ ରହିବା ଘଟଣା ଆଲୋଚନାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଖାଲିଥିବା ଗତିରାଉତପାଟଣା ସମିତିସଭ୍ୟା ପଦ ପାଇଁ ନିର୍ବାଚନ କରାଯାଉ ବୋଲି ୧୯ଜଣ ସମିତିସଭ୍ୟ/ସମିତିସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନିର୍ବାଚନ କମିଶନଙ୍କ ନିକଟକୁ ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ସଦର ପଂଚାୟତ ସମିତି ୨୩ଟି ପଂଚାୟତକୁ ନେଇ ଗଠିତ। ପଂଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ଭାବେ ୨୦ ଓ ୩ଜଣ ବିଜେପି ସମର୍ଥିତ ଭାବେ ନିର୍ବାଚିତ ହୋଇଥିଲେ। ଗତିରାଉତ ପାଟଣା ସମିତି ସଭ୍ୟା ବିଷ୍ଣୁପ୍ରିୟା ରାଉତ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ବିନା ପ୍ରତିଦ୍ବନ୍ଦ୍ବିତାରେ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଏପ୍ରିଲ ୨୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଉପାଧ୍ୟକ୍ଷା ଅମ୍ବିକା ପାତ୍ରଙ୍କୁ କାମଚଳା ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଥିଲା। ନିୟମ ଅନୁଯାୟୀ ଯଦି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ମୃତ୍ୟୁ ହୁଏ ତାହେଲେ ତୁରନ୍ତ ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବେ ଓ ଜିଲ୍ଲାପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦ ଖାଲି ଥିବା ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ। ନିର୍ବାଚନ କମିଶନ ଏ ସଂପର୍କରେ ପଦକ୍ଷେପ ନେବା ସହ ନିର୍ବାଚନ ତାରିଖ ଘୋଷଣା କରିବେ। ସେହି ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଉ ବା ଅଧ୍ୟକ୍ଷାଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସମିତିସଭ୍ୟା ଆସନର ନିର୍ବାଚନ ସମିତ ଅଧ୍ୟକ୍ଷା ନିର୍ବାଚନ ସହ କୌଣସି ସଂପର୍କ ନାହିଁ। କିନ୍ତୁ ଅଧ୍ୟକ୍ଷ ନିର୍ବାଚନ ଅଟକି ରହିଥିବାରୁ ଏହାକୁ ପ୍ରଶ୍ନ କରି ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ଜୁଲାଇ ୬ ତାରିଖରେ ନିର୍ବାଚନ କରାଯିବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁଲାଇ ୬ ତାରିଖ ଦିନ ୧୦ଟା ସମୟରେ ନାମାଙ୍କନପତ୍ର ଦାଖଲ ଓ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଯାଞ୍ଚ, ୧୨ଟା ସୁଦ୍ଧା ପ୍ରତ୍ୟାହାର ଏବଂ ଏକାଧିକ ପ୍ରାର୍ଥୀ ରହିଲେ ଦିନ ୧୨ଟା ୩୦ରୁ ୨ଟା ମଧ୍ୟରେ ନିର୍ବାଚନ କରାଯାଇ ଫଳାଫଳ ଘୋଷଣା କରାଯିବା ପାଇଁ ସୂଚିତ କରାଯାଇଥିଲା। ଏଭଳି ବିଜ୍ଞପ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ହାଇକୋର୍ଟରୁ କୌଣସି ରାୟ ନମିଳିବାରୁ ଆଜି ନିର୍ବାଚନ ପାଇଁ ପଦକ୍ଷେପ ନିଆଯାଇଥିଲା।
କିନ୍ତୁ ନାମାଙ୍କନ ପାଇଁ କେହି ଆସିଲେନି। କେହି ନ ଆସିବାରୁ ନିର୍ବାଚନ ଅଧିକାରୀ ତହସିଲଦାର ସମ୍ବିତ ଗଡନାୟକ ଓ ସହାୟକ ପଞ୍ଚାୟତ ସ°ପ୍ରସାରଣ ଅଧିକାରୀ ଯାଜ୍ଞସେନୀ ଗୋଚ୍ଛାୟତ ନିର୍ବାଚନ ସମୟ ଅତିବାହିତ ପରେ ନିର୍ବାଚନ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିବା ସହ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ନିର୍ବାଚନ ସମୟ ସରିବା ପରେ ଦିନ ଗୋଟାଏ ପରେ ସଦରର କିଛି ବିଜେଡି ନେତାଙ୍କ ସହିତ ୫ଜଣ ବିଭିନ୍ନ ପଞ୍ଚାୟତର ସମିତିସଭ୍ୟ ବ୍ଲକରେ ପହଞ୍ଚି ଉପାଧ୍ୟକ୍ଷାଙ୍କୁ ନେଇ ୧୯ଜଣ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନିର୍ବାଚନ କମିଶନଙ୍କ ନିକଟକୁ ବିଡ଼ିଓଙ୍କ ଜରିଆରେ ପଠାଇଥିଲେ। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୨୩ଟି ପଞ୍ଚାୟତର ସମସ୍ତ ସମିତିସଭ୍ୟ/ସଭ୍ୟା ଗୋଟିଏ ପରିବାର ହୋଇ ଚଳିବାକୁ ଶପଥ ନେଇଥିଲୁ।
ଗତିରାଉତ୍ପାଟଣା ସମିତିସଭ୍ୟା ତଥା ପଞ୍ଚାୟତସମିତି ଅଧ୍ୟକ୍ଷାଙ୍କ ବିୟୋଗରେ ଆମେ ଗଭୀରଭାବେ ମର୍ମାହତ। ତେଣୁ ପ୍ରଥମେ ଗତିରାଉତପାଟଣା ସମିତିସଭ୍ୟା ପଦ ପାଇଁ ଉପନିର୍ବାଚନ କରାଯାଉ, ତାପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯାଉ ବୋଲି ପ୍ରହରାଜପୁରର ଲୀୟାକତ ଅଲ୍ଲୀ ଖାଁ, ଅମଣର ସମିତିସଭ୍ୟ ରାଜକିଶୋର ପଟ୍ଟନାୟକ, ଉରାଳୀର ଶୁକଦେବ ମଲ୍ଲିକ, କନ୍ଦରପୁର ସମିତିସଭ୍ୟ ଶାରଦା ପ୍ରସାଦ ସ୍ବାଇଁଙ୍କ ସହିତ ଉପାଧ୍ୟକ୍ଷା ଅମ୍ବିକା ପାତ୍ର ପ୍ରମୁଖ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର ଘଟଣା ସଂପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କିଛି ଜାଣି ନାହାନ୍ତି ବୋଲି କହିଥିବା ବେଳେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କ ମତ ମିଳିପାରିନି। କିନ୍ତୁ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ମଲ୍ଲିକଙ୍କ କହିବା କଥା ହେଲା ଯେଉଁମାନଙ୍କ ପାଖରେ ସଂଖ୍ୟା ଥିଲା ସେମାନେ ଭାଗ ନେଲେନି। ଆମ ପାଖରେ ସଂଖ୍ୟା ନାହିଁ, ଆମେ କେମିତି ଭାଗ ନେବୁ ବୋଲି ଶ୍ରୀ ମଲ୍ଲିକ ପାଲଟା ପ୍ରଶ୍ନ କରିଛନ୍ତି। କିନ୍ତୁ ସଦର ବିଜେଡି କେଉଁ କାରଣରୁ ଏଭଳି ପଦକ୍ଷେପ ନେଲା ବୋଲି ପ୍ରଶ୍ନ ଉଠୁଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି କୌଣସି ନିୟମ ନଥିଲେ ବି ପ୍ରଥମେ ସମିତି ସଭ୍ୟ ଉପନିର୍ବାଚନ କରି ପରେ ଅଧ୍ୟକ୍ଷ ନିର୍ବାଚନ ପାଇଁ କାହିଁକି ଦାବି କରାଯାଉଛି? ସେହି ପଂଚାୟତର ସମିତି ସଭ୍ୟଙ୍କ ପାଇଁ କ’ଣ ଅଧ୍ୟକ୍ଷ ଆସନ ସଂରକ୍ଷିତ ରହିଛି କି? ବିଷ୍ଣୁପ୍ରିୟାଙ୍କ ପରିବାରରୁ ଆଉ ଜଣଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷ କରିବା ପାଇଁ ବିଜେଡି କେଉଁ ଉଦ୍ଦେଶ୍ୟରେ ଏଭଳି ବିଧିବ୍ୟବସ୍ଥା ବିରୋଧରେ ଯାଇଛି? ଏ ସଂପର୍କରେ ଦଳର ନେତୃବୃନ୍ଦ ଅବଗତ ଅଛନ୍ତି କି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG-20220706-WA0031_6.jpg)