କଟକ: ରାଜନୀତିରେ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଉଛି। କିନ୍ତୁ ତାହା କେବଳ ପଞ୍ଚାୟତ ଓ ପୌର ନିର୍ବାଚନରେ ସୀମିତ ରହି ଯାଉଛି। ବିଧାନସଭା ଅଥବା ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ ଦେଖିଲେ କିନ୍ତୁ ନିରାଶ ହେବାକୁ ପଡୁଛି। କଟକ ଭଳି ଆଗୁଆ ଜିଲ୍ଲାରେ ବି ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ ଅତ୍ୟନ୍ତ ନିରୁତ୍ସାହଜନକ। କଟକ ଜିଲ୍ଲାରେ ରହିଛି ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ। କଟକର ନିଆଳି, ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଭଳି ବ୍ଲକ ବାଣ୍ଟି ହୋଇ ରହିଛି ଜଗତସିଂହପୁର ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ। ଅର୍ଥାତ କଟକ ଜିଲ୍ଲାର ଅଞ୍ଚଳ ୩ଟି ଲୋକସଭା କ୍ଷେତ୍ରରେ ବାଣ୍ଟି ହୋଇ ରହିଛି। କିନ୍ତୁ ରେକର୍ଡ କହୁଛି ଏଯାଏ ମାତ୍ର ୪ ଜଣ ମହିଳା ଜିଲ୍ଲାରୁ ବିଧାନସଭାକୁ ଯାଇଥିବା ବେଳେ ୨ ଜଣ ଲୋକସଭାକୁ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କେବଳ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି। ୨୦୧୯ ନିର୍ବାଚନରେ କଟକ ଜିଲ୍ଲରୁ ଜଣେ ବି ମହିଳା ବିଧାନସଭାକୁ ଯାଇ ନଥିବା ବେଳେ ଜଗତସିଂହପୁରରୁ ଡାକ୍ତର ରାଜଶ୍ରୀ ମଲ୍ଲିକ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ଦେଶ ସ୍ବାଧୀନତା ପରଠାରୁ ହୋଇଥିବା ନିର୍ବାଚନରେ କଟକ ଜିଲ୍ଲାରୁ ଯେଉଁ ମହିଳା ନେତ୍ରୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ରାଣୀ ସାହେବା କନକଲତା ଦେବୀ, ରାସମଞ୍ଜରୀ ଦେବୀ, ବିଜୟଲକ୍ଷ୍ମୀ ସାହୁ ଓ ନିବେଦିତା ପ୍ରଧାନ। ସେଥିରୁ କେବଳ ବିଜୟଲକ୍ଷ୍ମୀ ସାହୁ ରାଜ୍ୟମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ୨୦୧୪ ନିର୍ବାଚନରେ ବିଧାୟକ ଆସନ ପାଇଁ ୭ ମହିଳା ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୨କୁ ଖସି ଆସିଥିଲା।
କଟକ ଜିଲ୍ଲାର ୯ ବିଧାନସଭା କ୍ଷେତ୍ର ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ ସଦର, ମାହାଙ୍ଗା, ସାଲେପୁର, ନିଆଳି, ବାଙ୍କୀ, ଆଠଗଡ ଓ ବଡମ୍ବା ମଧ୍ୟରୁ କେବଳ କଟକ ସଦର, ଆଠଗଡ ଓ ବଡମ୍ବା ନିର୍ବାଚନମଣ୍ଡଳୀରୁ ମହିଳାମାନେ ବିଧାୟିକା ହୋଇପାରିଛନ୍ତି। ବାକି ୬ଟି ନିର୍ବାଚନମଣ୍ଡଳୀରେ ମହିଳାଙ୍କୁ ପ୍ରତିନିଧିତ୍ବର ସୁଯୋଗ ମିଳିନି। ୮୦ଦଶକ ପୂର୍ବରୁ ଅର୍ଥାତ୍ ୧୯୫୭ରେ ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀରେ ଗଣତନ୍ତ୍ର ପରିଷଦରୁ ରାଣୀ ସାହେବା କନକଲତା ଦେବୀ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ। ସେହିପରି ୧୯୭୭ ଆଠଗଡ-ତିଗିରିଆ ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ରାସମଞ୍ଜରୀ ଦେବୀ ବିଧାୟିକା ହୋଇଥିଲେ। ପରବର୍ତ୍ତି ସମୟରେ କଟକ ସଦର ନିର୍ବାଚନମଣ୍ଡଳୀରୁ ଲଗାତାର ଦୁଇଥର ମହିଳାଙ୍କ ହାତକୁ ଯାଇଥିଲା ବିଧାୟକ ଆସନ। ୧୯୯୫ରେ କଟକ ସଦର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ବିଜୟ ଲକ୍ଷ୍ମୀ ସାହୁ ବିଧାୟିକା ହୋଇଥିବା ବେଳେ ୨୦୦୦ରେ ବିଜେପି ଟିକେଟ୍ରେ ନିବେଦିତା ପ୍ରଧାନ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ କଟକ ଲୋକସଭା ଆସନରୁ ଏଯାଏ କେବଳ ଜୟନ୍ତୀ ପଟ୍ଟନାୟକ ଏକମାତ୍ର ମହିଳା ଭାବେ ବିଜୟୀ ହେବାର ଗୌରବ ରଖିଛନ୍ତି। ଅନ୍ୟପଟେ ଜଗତସିଂହପୁ ସାଂସଦ ଭାବେ ୨୦୧୯ରେ ଡାକ୍ତର ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଥିବା ବେଳେ ରାଜଶ୍ରୀଙ୍କ କ୍ଷେତ୍ରରେ କଟକ ଜିଲ୍ଲାର ନିଆଳି, କଣ୍ଟାପଡା ଅଞ୍ଚଳ ରହୁଛି। ୨୦୨୪ ବେଳକୁ ମହିଳାଙ୍କ ପ୍ରତିନିଧିତ୍ବରେ କେତେ ପରିବର୍ତ୍ତନ ହେବ, ତାହା ହୁଏତ ସମୟ କହିବ।