ଘମାଘୋଟ ହେବ କଟକ ମେୟର ଲଢେଇ, ଆଶାୟୀଙ୍କୁ ନେଇ ରୋଚକ ଚର୍ଚ୍ଚା, ପ୍ରଭାତ, ସୁରେଶ, ବିନୋଦ ଲଢିବେ?

କଟକ: ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ମେୟର ପାଇଁ ନିର୍ବାଚନ ଲଢିବେ? ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଆଉ ବିଜେପିର ବରିଷ୍ଠ ନେତା ଶିକ୍ଷାବିତ ବିନୋଦ ଦାସ ବି ମେୟର ନିର୍ବାଚନ ଲଢ‌ିବେ? ଏ ଚର୍ଚ୍ଚା ଆଜି କଟକ ରାଜନୀତିକୁ ସରଗରମ କରିଛି। ସୁରେଶ ମହାପାତ୍ର ଏଭଳି ଚର୍ଚ୍ଚାକୁ ଖୋଲାଖୋଲି ସ୍ବୀକାର କରି ଥିବା ବେଳେ ବିନୋଦ ଦାସ ବି ଏଥିପାଇଁ ଆଶାୟୀ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଯଦିଓ ପ୍ରଭାତ ଏ ସଂପର୍କରେ କିଛି ସ୍ପଷ୍ଟ କରି କହି ନାହାନ୍ତି କିନ୍ତୁ ତାଙ୍କ ପ୍ରଶଂସକ ଆଉ ସମର୍ଥକମାନେ ସେ ହିଁ ଏଭଳି ପଦବି ପାଇଁ ପ୍ରକୃତ ଦାବିଦାର ବୋଲି କହିବା ଆରମ୍ଭ କରି ଦେଇଛନ୍ତି। କଟକ ମହାନଗର ନିଗମର ମେୟର ପଦ ଅସଂରକ୍ଷିତ ରହିବା ଏବଂ ପ୍ରଥମ ଥର ପାଇଁ ମେୟର ସିଧାସଳଖ ନିର୍ବାଚିତ ହେବାକୁ ଯିବା ଘଟଣାକୁ ନେଇ ବିଭିନ୍ନ ଦଳର ହେଭିୱେଟ୍ ମାନେ ମଇଦାନକୁ ଲମ୍ପ ଦେବା ପାଇଁ କ୍ଷେତ୍ରପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଆଶା କରାଯାଉଛି ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ହେବ। ହାତରେ ଆଉ ଦୁଇ ମାସ। ଏଭଳି ସ୍ଥିତିରେ ଦଳୀୟ ଟିକେଟ ହାତେଇବେ, ନାଇଁ ତ ସ୍ବାଧୀନ ଭାବେ ଭାଗ୍ୟ ପରୀକ୍ଷା କରି ନେବା ଯୋଜନାରେ ଏବେ ଅନେକ ବରିଷ୍ଠ ନେତା ଜଣକ ପରେ ଜଣେ ସାମନାକୁ ଆସୁଛନ୍ତି। ସିଧାସଳଖ ନିର୍ବାଚନ ଘୋଷଣା ପରେ ମେୟର ପଦବିର ଗୁରୁତ୍ବ ବଢି ଯାଇଛି। ଜଣେ ଆଉ କର୍ପୋରେଟର ହୋଇ ମେୟର ହେବେ ନାହିଁ। ସିଧାସଳଖ ନିର୍ବାଚନ ଲଢିବେ। ଏବଂ ତାଙ୍କର ପରିସୀମା ତିନି ତିନି ଜଣ ବିଧାୟକଙ୍କ ଅଞ୍ଚଳକୁ ନେଇ ରହିବ। ଅର୍ଥାତ ଜଣେ ବିଧାୟକଙ୍କ ଅଞ୍ଚଳ ତୁଳନାରେ ବି ସେ ଅଧିକ ଅଞ୍ଚଳ ଆଉ ଅଧିକ ଲୋକଙ୍କ ପ୍ରତିନିଧି ହେବେ।

ପୂର୍ବରୁ ଯେଉଁ ଦୁଇ ଥର କଟକ ମ୍ୟୁନିସପାଲିଟି ଅଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା, ସେଥିରେ ତ୍ରିଲୋଚନ କାନୁନଗୋଙ୍କ ଭଳି ନେତା ଭାଗ୍ୟ ପରୀକ୍ଷା କରି ବିଜୟୀ ହୋଇଥିଲେ। ଏବେ ମେୟର ପଦବିର ଆକର୍ଷଣ ସେ ସମୟର ମ୍ୟୁନିସପାଲିଟି ଅଧ୍ୟକ୍ଷ ଆସନଠାରୁ ବହୁଗୁଣା ଅଧିକ। ତେଣୁ ଏହି ଆସନ ପାଇଁ ବିଭିନ୍ନ ଦଳର ବରିଷ୍ଠ ଆଉ ହେଭିୱେଟ୍ ନେତା ଆଗ୍ରହୀ ହେବା କିଛି ଅପ୍ରତ୍ୟାଶିତ ନୁହେଁ। ସବୁଠୁ ଅଧିକ ଆଲୋଚନା ହେଉଛି ବିଜେଡି ଟିକେଟ କିଏ ପାଇବେ? ପୂର୍ବତନ କର୍ପୋରେଟର ତଥା ଯୁବ ସଂଗଠକ ରଂଜନ ବିଶ୍ବାଳ, ଅଭିନେତା ଅରିନ୍ଦମ ରାୟ, ଇଂଜିନିୟର ସୁବ୍ରତ ଘଡେଇ, ଶରତ ପ୍ରଧାନଙ୍କ ଭଳି ଅନେକ ନାଁ ଏଯାଏ ଚର୍ଚ୍ଚାରେ ରହିଛି। ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଭଳି ନେତା ବି ଦଳୀୟ ଟିକେଟ ପାଇଁ ଦାବିଦାର ଅଛନ୍ତି। ଅନେକ ତ ସାଂସଦ ସୁବାସ ସିଂହ ଆଉ ଆଶୀର୍ବାଦ ବେହେରାଙ୍କ ନାଁ ବି ଚର୍ଚ୍ଚାକୁ ଆଣିବାକୁ ପଛାଉ ନାହାନ୍ତି। କିନ୍ତୁ ଏସବୁ ଭିତରେ ଏବେ ପ୍ରଭାତ ବିଶ୍ବାଳଙ୍କ ନାଁକୁ ତାଙ୍କ ସମର୍ଥକମାନେ ଏବେ ଜୋର ଦେଉଥିବା ଦେଖିବାକୁ ମିଳୁଛି। ପ୍ରଭାତଙ୍କ ପୁଅ ସୌଭିକ ବିଶ୍ବାଳ ଏବେ ଚୌଦ୍ବାର-କଟକର ବିଧାୟକ।

ପ୍ରଭାତଙ୍କ ସାଂଗଠନିକ ଦକ୍ଷତା, ଲୋକ ସଂପର୍କ ବେଶ୍ ଭଲ। ବିରୋଧୀ ଦଳର ଲୋକଙ୍କ ଭିତରେ ବି ତାଙ୍କର ପ୍ରବେଶ ରହିଛି। କ୍ଲବ, ପୂଜା କମିଟି ଏବଂ ସାମାଜିକ ସଂଗଠନ ସହ ସିଧାସଳଖ ସଂପର୍କ ଯୋଡିବା ସହିତ ସେ କରୋନା ଦୁଇ ବର୍ଷ ଭିତରେ ବି ସବୁ ବେଳେ ଲୋକଙ୍କ ସହିତ ରହି ଆସିଛନ୍ତି। ତେଣୁ ସେ ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଏବଂ ସେ ପ୍ରତିଦ୍ବନ୍ଦ୍ବିତା କଲେ ବିଜୟ ସୁନିଶ୍ଚିତ ବୋଲି ତାଙ୍କର ସମର୍ଥକ ଦାବି କରୁଛନ୍ତି। କିନ୍ତୁ ଦଳ ସାଧାରଣ ନିର୍ବାଚନରେ ତାଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ ଦେଇଥିବା ବେଳେ ଏବେ ତାଙ୍କୁ ମେୟର ସୁଯୋଗ ଦେବା କେତେଦୂର ସମ୍ଭବ, ତାହାକୁ ନେଇ ଅନେକ ରାଜନୈତିକ ସମୀକ୍ଷକ ସନ୍ଦେହ ରଖୁଛନ୍ତି। ସୁବାସ ସିଂହ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିଲେ ବି ତାଙ୍କର ୬ ବର୍ଷୀୟା ରାଜ୍ୟସଭା କାର୍ଯ୍ୟକାଳ ଅଧାରୁ ସେ ମେୟର ହେବା ପାଇଁ ‌ମନ ବଳାଇବା ସହଜରେ ଗ୍ରହଣୀୟ ହେଉ ନାହିଁ। ଅବଶ୍ୟ ଦଳ ଯଦି ନିଷ୍ପତ୍ତି ନିଏ ତେବେ ତାକୁ ସେ ହୁଏତ ମାନିବେ। ବିଜେଡିରେ ଏବେ ଏଭଳି ସ୍ଥିତିକୁ ନେଇ ଘଣ୍ଟାଚକଟା ଚାଲିଥିବା ବେଳେ କଂଗ୍ରେସର ଗିରିବାଳା ବେହେରାଙ୍କ ମୁଣ୍ଡରେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ହାତ ରଖିଥିବା କୁହାଯାଉଛି। କିନ୍ତୁ ଏପଟେ ପୂର୍ବରୁ ପ୍ରତ୍ୟକ୍ଷ ନିର୍ବାଚନର ଅନୁଭୂତି ରଖିଥିବା ଏବଂ ପୂରା କଟକ ମହାନଗର ନିଗମ ଅଞ୍ଚଳରେ ନିଜର ପରିଚୟ ଆଉ ସମର୍ଥକ ରଖିଥିବା ବରିଷ୍ଠ ନେତା ସୁରେଶ ମହାପାତ୍ର ଖୋଲାଖୋଲି ଭାବେ ନିଜର ଆଶା ବ୍ୟକ୍ତ କରିବା ମେୟର ଲଢେଇକୁ ଘମାଘୋଟ ସ୍ତରକୁ ନେବା ନିଶ୍ଚିତ ହୋଇଯାଇଛି। ଅବଶ୍ୟ କଂଗ୍ରେସ ଟିକେଟ ଆଶାୟୀଙ୍କ ମଧ୍ୟରେ ଶ୍ରୀ ମହାପାତ୍ର କେବଳ ପୂରା ମହାନଗର ଅଞ୍ଚଳରେ ନିଜର ପରିଚୟ ରଖିଛନ୍ତି। କିନ୍ତୁ ତାଙ୍କୁ ବିଧାୟକ ମୋକିମଙ୍କ ସମର୍ଥନ ଦରକାର ପଡୁଥିବାରୁ କଂଗ୍ରେସ ଟିକେଟ ମିଳିବା କେତେ ସହଜ ହେବ ତାହା ସମୟ କହିବ। କିନ୍ତୁ ସେ ନ‌ିଜେ ସ୍ବାଧୀନ ଭାବେ ଲଢେଇ କରି ଅନ୍ୟ ଦଳର ଅସନ୍ତୁଷ୍ଟଙ୍କ ସମର୍ଥନ ନେବେ କି ଆଉ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବିଜେପିରେ ନଗର ସଭାପତି ଲଲାଟେନ୍ଦୁ ବଡୁ ଅନେକ ଦିନରୁ ଏହି ପଦବି ଉପରେ ଆଖି ରଖିଛନ୍ତି। କିନ୍ତୁ ସଂରକ୍ଷଣ ଚିଠା ପ୍ରକାଶ ପାଉପାଉ ଦଳର ବରିଷ୍ଠ ନେତା ତଥା ଶିକ୍ଷାବିତ ବିନୋଦ ଦାସ ଯେଭଳି ଦଳୀୟ ଟିକେଟ ପାଇଁ ଖୋଲାଖୋଲି ଆଶା ବ୍ୟକ୍ତ କଲେଣି, ସେଥିରେ ବିଜେପି ଭିତରେ ବି ଟଣାଓଟରା ଆଗକୁ ଜୋର୍‌ ଚାଲିବ, ତାହା ବି ସ୍ପଷ୍ଟ ହେଲାଣି। ସେପଟେ ପ୍ରଭାତଙ୍କ ଭାଇ ଆର୍ତ୍ତ ବିଶ୍ବାଳ ବି ସୁଯୋଗ ମିଳିଲେ କିଛି କରି ଦେଖାଇବା ଯୋଜନାରେ ରହି ବିଭିନ୍ନ ଗୋଷ୍ଠୀ ଓ ଦଳ ସହ ସଂପର୍କରେ ଅଛନ୍ତି। ବିଶେଷକରି ଚୌଦ୍ବାର-କଟକ ଆଉ ସଦରରେ ସେ ଦଳମତ ନିର୍ବିଶେଷରେ ଅନେକଙ୍କୁ ସାଙ୍ଗରେ ନେଇ ପାରିବେ ବୋଲି ଦାବି କରୁଛନ୍ତି। ସେପଟେ ସାମାଜିକକର୍ମୀ ଡକ୍ଟର ଅଭୟ ପଟ୍ଟନାୟକ ତାଙ୍କୁ ବିଜେଡି ପକ୍ଷରୁ ସିଏମ୍‌ସିର ମେୟର ଟିକଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଅନୁରୋଧ କଲେଣି। ଏଭଳି ସ୍ଥିତିରେ ସବୁ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା ପର୍ଯ୍ୟନ୍ତ ଟିକଟ ଆଶାୟୀମାନେ ଏଭଳି ଧୀରେଧୀରେ ସାମନାକୁ ଆସିବା ଘଟଣା କଟକ ରାଜନୀତି ଚର୍ଚ୍ଚାକୁ ଯେ ଆଗକୁ ଅଧିକ ର‌ୋଚକ କରିବ, ତାହା ଏବେଠୁ ଜଣା ପଡିଗଲାଣି।

ସମ୍ବନ୍ଧିତ ଖବର