ପଞ୍ଚାୟତ ରାଜନୀତିରେ ପରିବାରବାଦ, ସ୍ତ୍ରୀ ପରେ ସ୍ବାମୀ, ସ୍ବାମୀ ପରେ ସ୍ତ୍ରୀଙ୍କ ଦଖଲରେ ପଂଚାୟତ

ସଂରକ୍ଷଣରେ ନିରାଶ ନେତାଙ୍କୁ ଉପାଧ୍ୟକ୍ଷ ଥୋପ

କଟକ: ସରପଞ୍ଚ ହେଉ କି ସମିତି ସଭ୍ୟ ଅଥବା ଜିଲ୍ଲାପରିଷଦ ଆସନ। ଥରେ କବଜାକୁ ଆସିଲେ ସଂରକ୍ଷଣ ଅନୁଯାୟୀ ସ୍ବାମୀ-ସ୍ତ୍ରୀ ଅଥବା ପରିବାର ବାହାରକୁ ଯିବା ମୁସ୍କିଲ। ଏଥର ବି ସମାନ ଘଟଣା ଦେଖିବାକୁ ମିଳିଛି। କେଉଁଠି ସ୍ବାମୀଙ୍କ ସ୍ଥାନରେ ସ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ତ ପୁଣି କେଉଁଠି ସ୍ତ୍ରୀଙ୍କ ଆସନରେ ଲଢିବା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ସ୍ବାମୀ। ପଂଚାୟତ ରାଜନୀତିରେ ଏଭଳି ପରିବାରବାଦ ଅନେକ ସ୍ଥାନରେ ନୂଆ ମୁହଁଙ୍କୁ ସୁଯୋଗରେ ପ୍ରତିବନ୍ଧକ ସାଜିଛି। ଅନ୍ୟପଟେ ବିଭିନ୍ନ ପଂଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ଆଗଧାଡ଼ିର ନେତା ସଂରକ୍ଷଣ ବ୍ୟବସ୍ଥାକୁ ନେଇ ନିରାଶ ହୋଇଥିବା ବେଳେ ଏବେ ଦଳ ସେମାନଙ୍କୁ ଉପାଧ୍ୟକ୍ଷ ଥୋପ ଦେଇ ଅଞ୍ଚଳରେ ଦଳୀୟ ପ୍ରଚାରରେ ନିୟୋଜନ କରିବାକୁ ଉଦ୍ୟମ କରୁଛି। ଆଜି ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝାଙ୍କ ସ୍ବାମୀ ଅଶୋକ ଓଝା ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସବିତା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି। ସେହିପରି ନିଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପାଣିଙ୍କ ସ୍ବାମୀ ଆଦିତ୍ୟ ପାଣି ମଧ୍ୟ ସମିତିସଭ୍ୟ ଭାବେ ଜଲ୍ଲାରପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ନିଆଳି ଆସନ ଅସଂରକ୍ଷିତ ରହିବା ପରେ ସେ ତାଙ୍କ ପତ୍ନୀଙ୍କ ଆସନରୁ ଲଢୁଛନ୍ତି। ଟାଙ୍ଗୀର ୧୨ ନମ୍ବର ଜୋନରୁ ବିଜେଡି ପକ୍ଷରୁ ଚିତ୍ତ ରଂଜନ ସାମଲ ନାମାଙ୍କନ ଦାଖଲ କରିଥିବାବେଳେ ଏହି ଆସନରୁ ଗତ ନିର୍ବାଚନରେ ତାଙ୍କ ପତ୍ନୀ ନଳିନୀପ୍ରଭା ନିର୍ବାଚିତ ହୋଇଥିଲେ। ନରସିଂହପୁର ବିଜେପି କଥା ଯଦି ଦେଖାଯାଏ ୨୦୧୭ ନିର୍ବାଚନରେ ଜୋନ ୧୭ରୁ ସରୋଜ ବାରିକ ନିର୍ବାଚନ ଲଢି ଅଳ୍ପଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ସେହି ଆସନରୁ ଆଜି ତାଙ୍କ ସ୍ତ୍ରୀ ମଞ୍ଜୁଲତା ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଟକ ସଦର ୬ନମ୍ବର ଜୋନ ଆସନରୁ ଗତ ନିର୍ବାଚନରେ ସରୋଜ ସାସମଲ ପ୍ରାର୍ଥୀ ହୋଇଥିଲେ। ଯଦିଓ ସେ ପରାସ୍ତ ହୋଇଥିଲେ ତଥାପି ସେହି ଆସନରୁ ଦଳ ପୁଣି ତାଙ୍କ ପତ୍ନୀ ମଧୁସ୍ମିତାଙ୍କୁ ଟିକେଟ୍‌ ଦେଇଛି।

ସେହିପରି ଟାଙ୍ଗୀ-ଚୌଦ୍ବାର ଜୋନ ୧୨ରୁ ଉଚ୍ଚପଦା ସରପଞ୍ଚ ବିରଜା ପ୍ରସାଦ ରାଉତ୍‌ ଯିଏକି ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ଖାସ୍‌ ଅନୁଗତ, ତାଙ୍କୁ ଜିଲ୍ଲାପରିଷଦ ଟିକେଟ୍‌ ଦିଆ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ସ୍ବାମୀଙ୍କ ସ୍ଥାନରେ ସରପଞ୍ଚ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି। ଉକ୍ତ ବ୍ଲକ୍‌ର ନଖରା ପଞ୍ଚାୟତରେ ଗତ ନିର୍ବାଚନରେ ପବିତ୍ର ଉପାଧ୍ୟାୟ ସରପଞ୍ଚ ଥିବାବେଳେ ସଂରକ୍ଷଣ ବ୍ୟବସ୍ଥା ଫଳରେ ଏଥର ତାଙ୍କ ସ୍ତ୍ରୀ ମଧୁଛନ୍ଦା ଉପାଧ୍ୟାୟ ଏହି ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। କୟଳପଡା ପଞ୍ଚାୟତରେ ସରପଞ୍ଚ ଥିବା ରଶ୍ମିରଞ୍ଜନ ପ୍ରଧାନଙ୍କ ପତ୍ନୀ ବନ୍ଦନା ତାଙ୍କ ସ୍ଥାନରେ ଏଥର ନାମାଙ୍କନ ଦାଖଲ କରିଛନ୍ତି। ସାଲେପୁରରେ ପିକଳୋ ପଞ୍ଚାୟତର ସରପଞ୍ଚ ରଣଜିତ୍‌ ଦାସଙ୍କ ପତ୍ନୀ ମାନିନୀ ଏଥର ସମିତିସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ମାହାଙ୍ଗା ୪୦ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ବାଇଁ ଏଥର ନିର୍ବାଚନରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। କିନ୍ତୁ ଏଭଳି ଜଣେ ଜଣେ ନେତାଙ୍କ ପରିବାର ହାତରେ ବର୍ଷ ବର୍ଷ ଧରି ପଂଚାୟତର ବିଭିନ୍ନ ପଦ ରହି ଆସୁଥିବା ବେଳେ ସେମାନେ ବି ସଂରକ୍ଷଣ ଅନୁଯାୟୀ ବିଭିନ୍ନ ପଦ ପାଇଁ ନିର୍ବାଚନ ଲଢିବାର ସୁଯୋଗ ପାଉଛନ୍ତି। ଏଭଳି ସ୍ଥିତିରେ ନୂଆ ଆଶାୟୀଙ୍କ ବାଟ ବନ୍ଦ ହୋଇଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର