କଟକ: ହାତରେ ପ୍ରଚାର ପାଇଁ ଆଉ ମାତ୍ର ଦୁଇ ଦିନ। ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଆଉ ମାର୍ଚ୍ଚ ୨୬ ତାରିଖରେ ଆସି ଯିବ ଫଳାଫଳ। କିଏ ହେବ କଟକର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ମେୟର? କଟକ ମହାନଗର ନିଗମର ୫୯ଟି ୱାର୍ଡରୁ କେଉଁ ଦଳ ଖାତାକୁ କେତୋଟି ୱାର୍ଡ ଯିବ? ଏହାକୁ ନେଇ ଏବେ ସାଧାରଣରେ ଆଲୋଚନା ସହ ଉଷ୍ମତା ବଢୁଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ଯୁଦ୍ଧ ବି ଘମାଘୋଟ ହେବାରେ ଲାଗିଛି। ବର୍ତ୍ତମାନର ବିଭିନ୍ନ ୱାର୍ଡସ୍ତରରେ ସ୍ଥିତି ଯାହା ସେଥିରେ ବିଜେଡି ଆଉ କଂଗ୍ରେସ ମୁଖ୍ୟ ଲଢେଇରେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେପି କେତେକ ୱାର୍ଡରେ ନିଜର ପ୍ରଭାବ ରଖିଛି। କଂଗ୍ରେସର ନିର୍ବାଚନ ମଙ୍ଗ ଧରିଛନ୍ତି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍। ଏବଂ ତାଙ୍କୁ ସହଯୋଗ କରି ଆସୁଛନ୍ତି ଦଳର ବରିଷ୍ଠ ନେତା ସୁରେଶ ମହାପାତ୍ର। ଗଲା କିଛି ବର୍ଷ ଭିତରେ ମୋକିମ୍ ଓ ସୁରେଶ ପ୍ରଥମ ଥର ପାଇଁ ଏଭଳି ଏକାଠି ନିର୍ବାଚନ ଯୁଦ୍ଧ ଲଢିବା ସହରରେ ବି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ମୋକିମ୍-ସୁରେଶଙ୍କ ଯୋଡ଼ି କଟକ ନିର୍ବାଚନୀ ମଇଦାନରେ ସାମନା କରୁଛନ୍ତି ବିଜେଡିର ମହାରଥୀ ମାନଙ୍କୁ। ବାରବାଟୀ-କଟକର ନେତୃତ୍ବ ନେଉଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଚୌଦ୍ବାର-କଟକର ନେତୃତ୍ବ ନେଉଛନ୍ତି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ଓ ସଦର କଟକରେ ବିଜେଡିର ନେତୃତ୍ବ ନେଉଛନ୍ତି ବିଧାୟକ ଚନ୍ଦ୍ରସାରଥି ବେହେରା। କିନ୍ତୁ ଏମାନଙ୍କ ସହ ସାମିଲ ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନେତା ମୁନ୍ନା ଖାଁ। ବିଧାୟକ ଦେବୀରଂଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତରଂଜନ ତ୍ରିପାଠୀ ଓ ବିଧାୟକ ସୌଭିକ ବିଶ୍ବାଳ ବି ସେମାନଙ୍କ ସହିତ ଅଛନ୍ତି। ମନ୍ତ୍ରୀ ରଘୁନନ୍ଦନ ଦାସ ବି ପ୍ରଚାର କରି ଯାଇଛନ୍ତି। ଏମିତିରେ ଦଳର ବରିଷ୍ଠ ନେତା ରାଜ୍ୟସଭା ସଦସ୍ୟ ସୁବାସ ସିଂହ ନିଜେ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି।
ଏଡେ ଏଡେ ମହାରଥୀଙ୍କ ସାମନା କରିବାକୁ ବିରୋଧୀ ଶିବିରରେ କଂଗ୍ରେସର ମୋକିମ୍-ସୁରେଶଙ୍କ ସହିତ ଗୋଟିଏ ଥର ସହଯୋଗ ଦେଇଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ। କଟକର ଆଞ୍ଚଳିକ ନିର୍ବାଚନ। ଏଠି ଆମେ ତୃଣମୂଳସ୍ତରରେ ଏକାଠି ହୋଇ ନିର୍ବାଚନ ଲଢିବୁ ବୋଲି ନାରା ଦେଇ କଂଗ୍ରେସ ଏବେ ବିଜେଡିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛି। ଲଢେଇକୁ ବି ରୋଚକସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ତୃଣମୂଳ ସ୍ତରର ନେତ୍ରୀ ଗିରିବାଳା ବେହେରା କଟକ ସହରବାସୀଙ୍କ ମୌଳିକ ସମସ୍ୟା ସୁଧାରିବା ଦିଗରେ ଲଢେଇ କରିବାର ନାରା ଦେଇ ଏବେ ସୁବାସଙ୍କୁ ଟକ୍କର ଦେଉଛନ୍ତି। ଏଭଳି ସ୍ଥିତିରେ ବିଜେପି ଶିବିର କିନ୍ତୁ କିଛି ପରିମାଣରେ ପଛାଇ ଯାଇଛି। ଦଳ ଯେଉଁମାନଙ୍କ ଉପରେ ଦୀର୍ଘ ବର୍ଷ ଧରି ନିର୍ଭର କରି ଆସୁଥିଲା, ସେମାନେ ବିଭିନ୍ନ କାରଣରୁ ଏବେ ସାମନାକୁ ଆସି ପାରୁ ନାହାନ୍ତି। ବିଜେପିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଅସୁସ୍ଥତା ଏହାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ନୟନ ମହାନ୍ତି ବି ସହରରେ ବିଶେଷ କିଛି ପ୍ରଭାବ ଏଯାଏ ଦେଖାଇ ପାରି ନଥିବା ବେଳେ ଚୌଦ୍ବାରକୁ ଗୁରୁତ୍ବ ଦେଉଛନ୍ତି। ଦଳର ଅନ୍ୟ ନେତା ଏଯାଏ ସହରରେ ସେଭଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ନାହାନ୍ତି। ଏଭଳି ସ୍ଥିତିରେ କେବଳ ଅଭିନେତା ପରିଚୟରେ ଶ୍ରୀତମ ଦାସ କେତେ ଆଗକୁ ବଢି ପାରିବେ, ତାହା ସମୟ କହିବ। କିନ୍ତୁ ଶ୍ରୀତମଙ୍କ ପାଇଁ ଥରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଆସିଥିବା ବେଳେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିନେତ୍ରୀ ପିଙ୍କି ପ୍ରଧାନ, ହାସ୍ୟ ଅଭିନେତା ହରି ପ୍ରଚାର କରି ଯାଇଛନ୍ତି। ତାହା ବି ପ୍ରଭାବୀ ହୋଇ ପାରି ନାହିଁ କି ଦଳର କର୍ମୀ ମାନଙ୍କୁ ବିଶେଷ ଉତ୍ସାହିତ ଏଯାଏ କରି ପାରି ନାହିଁ।
ଏଭଳି ସ୍ଥିତିରେ ବିଜେଡି ବନାମ ବିଜେଡି ବିରୋଧୀ ଭୋଟର ଫଳାଫଳ ଦେଖିବାକୁ ମିଳିବ, ନା ବିରୋଧୀଙ୍କ ଭାଗଭାଗ ଭୋଟ ବିଜେଡିକୁ ସୁହାଇବ, କାହାର ଲୋକବଳ, ଅର୍ଥବଳ କାମ ଦେବ, ତାହା କଟକିଆଙ୍କୁ କେତେ ପ୍ରଭାବିତ କରିବ, ତାହାକୁ ନେଇ ଏଯାଏ ବି ରାଜନୈତିକ ସମୀକ୍ଷକ ନିଶ୍ଚିତ ହୋଇପାରୁ ନାହାନ୍ତି।