ସହରରେ ନିର୍ବାଚନୀ ଭ୍ରମ

କଟକ: କଟକରେ ଦୁଇ ଦିନ ହେଲା ଏକପ୍ରକାର ନିର୍ବାଚନୀ ଭ୍ରମ ସୃଷ୍ଟି ହୋଇଛି। ସହରର ରାସ୍ତାଘାଟରେ ପତାକା, ବ୍ୟାନର, ହୋର୍ଡିଂ ଛାଇଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଉଭୟ ବିଜେଡି ଓ ବିଜେପି ପକ୍ଷରୁ ପ୍ରତିଯୋଗିତାମୂଳକ ଭାବେ ପତାକା, ବ୍ୟାନର, ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ଜଣାଇ ବିଜେପି ପକ୍ଷରୁ ହୋର୍ଡିଂ, ବ୍ୟାନର୍ ବିଭିନ୍ନ ସ୍ଥାନରେ ଲଗାଯିବା ସହିତ ବିଭିନ୍ନ ସ୍ଥାନରେ ଦଳୀୟ ପତାକା ଛାଇ କରି ଦିଆଯାଇଛି। ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଇ ହୋର୍ଡିଂ, ବ୍ୟାନର ଲଗାଯିବା ସହିତ ଦଳୀୟ ପତାକାର ମାଳରେ ରାସ୍ତାଘାଟକୁ ଆଚ୍ଛାଦିତ କରି ଦିଆଯାଇଛି। ଅନ୍ୟପଟେ ଆଜି ଉଭୟ ବିଜେଡି ଓ ବିଜେପି ସମର୍ଥଙ୍କ ଶୋଭାଯାତ୍ରା ଯୋଗୁଁ ସହର ଅଧିକାଂଶ ରାସ୍ତା ଦୀର୍ଘ ସମୟ ଧରି ଜାମ୍ ହୋଇଯାଇଥିଲା। ସାଧାରଣ ଭାବେ ନିର୍ବାଚନ ସମୟରେ ଯେଭଳି ପରିବେଶ ତଥା ଦୃଶ୍ୟ ଦେଖିବାକୁ ମିଳେ, ଆଜି କଟକ ସହରରେ ସେଭଳି ପରିବେଶ ସୃଷ୍ଟି ହୋଇଥିଲା। ନିର୍ବାଚନ ପାଖେଇ ଆସିଲା କି ବୋଲି ଆଜି ସହର‌ରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଗୃହମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ-ସମ୍ବର୍ଦ୍ଧନ‌ା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି କଟକରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଲିଙ୍କରୋଡ ନିଶାମଣି ମଣ୍ଡପ ନିକଟରେ ବିଜେପି ନେତା ନୟନ କିଶୋର ମହାନ୍ତି, ଅରୁଣୋଦୟ ନଗର ଛକରେ ଦିଲ୍ଲୀପ ମଲ୍ଲିକ, ବାଦାମବାଡି ଠାରେ ନାରୀ ନେତ୍ରୀ ରଶ୍ମି‌ରେଖା ଦାସ, ଦୋଳମୁଣ୍ଡାଇଠାରେ ବିନୋଦ ଦାସ, ମାନସ ମହାନ୍ତି, ହରିପୁର ଛକରେ ଲଲାଟେନ୍ଦୁ ବଡୁ, ସେମିନାରି ଛକରେ ଲକ୍ଷ୍ମୀଧର ପ୍ରଧାନ, ଗଗନ ଓଝା, ଦରଘାବଜାର ଛକରେ ସ୍ମୃତି ପଟ୍ଟନାୟକ, ପ୍ରବୀଣା ମହାପାତ୍ର, ତିନିକୋଣିଆ ବଗିଚା ଛକରେ ନମିତା ମିଶ୍ର, ବକ୍ସି ବଜାରରେ ଶ୍ରୀତମ ଦାସ, ସତ୍ୟ ମିଶ୍ର, ଚଣ୍ଡୀଛକରେ ଗୀତା ଦାସ ଓ ଲଲାଟେନ୍ଦୁ ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବି‌ଜେପି ନେତା ଶାରଦା ପ୍ରଧାନ ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସ୍ବାଗତ-ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର, ରାଜ୍ୟ ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ‌ଇନଡୋର ଷ୍ଟାଡିୟମଠାରେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।

ପ୍ରଭାତଙ୍କ ନେତୃତ୍ବରେ ବିରାଟ ସ୍ବାଗତ ଶୋଭାଯାତ୍ରା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାଗତ ଜଣାଇବା ପାଇଁ ଆଜି ଚୌଦ୍ବାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଂଜନ ବିଶ୍ବାଳଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସ୍ବାଗତ ଶୋଭାଯାତ୍ରାରେ ବିଧାୟକ ସୌଭିକ ବିଶ୍ବାଳ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଚୌଦ୍ବାର ନଗରପାଳ ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲ, ଟାଙ୍ଗୀ-ଚୌଦ୍ବାର ପଂଚାୟତ ସମିତି ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ବିଷ୍ଣୁଚରଣ ପରିଡା, ତାପସ ମହାନ୍ତି, ଶିବେନ୍ଦ୍ର ହାତୀ, ପ୍ରଶାନ୍ତ ନାୟକଙ୍କ ସମତେ କଟକର ବିଭିନ୍ନ ୱାର୍ଡର କର୍ପୋରେଟର, ଚୌଦ୍ବାରର କାଉନସିଲର ଓ ୧୫ଶହରୁ ଅଧିକ କର୍ମୀ ସାମିଲ ହୋଇଥିଲେ ବୋଲି ଡକ୍ଟର ବିଶ୍ବାଳ ସୂଚନା ଦେଇଛନ୍ତି।

Sambad

୨୦ କଂଗ୍ରେସ ନେତାଙ୍କୁ ଅଟକ ରଖିଲା ସଦର ପୁଲିସ

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ କଟକ ଗସ୍ତ ଅବ୍ୟବହିତରେ ସଦର ଥାନା ପୁଲିସ ୨୦ ଜଣ କଂଗ୍ରେସ ନେତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଦରଦାମ ପ୍ରସଙ୍ଗ ଏବଂ କଂଗ୍ରେସ ନେତାଙ୍କ ଉପରେ ଉଦ୍ଦେଶ୍ୟମୂଳକ ଅଭିଯୋଗକୁ ନେଇ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କୁ ବିରୋଧ କରାଯିବା ସହିତ କଳା ପତାକା ପ୍ରଦର୍ଶନ କରାଯିବ ବୋଲି ଯୋଜନା ହୋଇଥିଲା। ଏ ବିଷୟରେ ସୂଚନା ପାଇ ପୁଲିସ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଅନିଲ ବେଉରା, ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଆଇନଜୀବୀ ଅନ୍ନପୂର୍ଣ୍ଣା ସାହୁ, ସିଏମ୍‌ସି ୫୮ନମ୍ବର ୱାର୍ଡ଼ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ୫୯ ନମ୍ବର ୱାର୍ଡ଼ ସଭାପତି ପ୍ରଶାନ୍ତ ମହାନ୍ତି, ସନ୍ତୋଷକୁମାର ଲେଙ୍କା, ସମରେନ୍ଦ୍ରକୁମାର ହାତୀ, ବିଜୟ ରାଉତରାୟ, କୃଷ୍ଣଚନ୍ଦ୍ର ଭୋଇ, ବିଜୟକୁମାର ମଲିକ, କରିମ ଶାହ, ପ୍ରତାପ ବେହେରା, ଯୁଧିଷ୍ଠିର ସେଠ, ବୁଲୁ ଦାସ, ପାର୍ଥସାରଥି ସାହୁ, ମନୋଜ ଜତି ଓ ବିଜୟ ଲେଙ୍କାଙ୍କୁ ଥାନାରେ ଅଟକ ରଖି ପରେ ଛାଡ଼ି ଦେଇଥିଲା।

ଗସ୍ତ ପୂର୍ବରୁ କଂଗ୍ରେସ ଯୁବନେତା ଅଟକ

କେନ୍ଦ୍ର ଗୃହମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସନ୍ଦେହ କରି କଂଗ୍ରେସ ଯୁବ ନେତା ମାନସ ପରିଡା ଓ ଜିଲ୍ଲା କଂଗ୍ରେସ ମୁଖପାତ୍ର ବିରେନ ପଶାୟତଙ୍କୁ ବିଡାନାସୀ ପୁଲିସ ଅଟକ ରଖିଥିଲା। ଗତକାଲି ରାତିରୁ ପୁଲିସ ଉଭୟଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଆଜି କାର୍ଯ୍ୟକ୍ରମ ସରିବା ପରେ ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ପୁଲିସ ଛାଡି ଦେଇଥିଲା। ବେକାରୀ, ଦରଦାମ ବୃଦ୍ଧି ପ୍ରତିବାଦ‌ କରି ଉଭୟ କଳାପତାକା ଦେଖାଇବାକୁ ପ୍ରସ୍ତୁତ ହେଉଥିବା ଖବର ପାଇ ପୁଲିସ ଏଭଳି ପଦକ୍ଷେପ ନେଇଥିଲା।

ଫୁଲନଖରାରେ ଅମିତ ଶାହାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଫୁଲନଖରାଠାରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନିଆଳି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଲକ ସମେତ ସଦର ବ୍ଲକ ୪ ନମ୍ବର ଜୋନ୍ ଏବଂ ସିଏମସି ୫୯ନମ୍ବର ୱାର୍ଡ ବିଜେପି ପକ୍ଷରୁ ଶ୍ରୀ ଶାହାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

ଲିଙ୍କ୍‌ରୋଡ-ଦୋଳମୁଣ୍ଡାଇ ରାସ୍ତାରେ ଫୁଲ ବର୍ଷା
କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ଫୁଲ ବର୍ଷା କରାଯାଇଥିଲା। ପରେ ବାଦାମବାଡ଼ି ଇଲେକ୍ଟ୍ରି ଅଫିସ ନିକଟରେ ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଦାମବାଡ଼ି ଟ୍ରାଫିକ ଛକରେ ବିଜେପିର ପୂର୍ବତନ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଦୋଳମୁଣ୍ଡାଇ ଛକରେ ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ତଥା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଜୟ ଜଗନ୍ନାଥ… ଜୟ ମା’ କଟକ ଚଣ୍ଡୀ ଧ୍ବନୀ ଦେଇ ସମସ୍ତଙ୍କୁ ଚୁପ୍ କରାଇଲେ ଧର୍ମେନ୍ଦ୍ର

ଜବାହରଲାଲ୍ ଇନଡୋର୍ ଷ୍ଟାଡିୟମରେ ଆଜି ଏକ ଗଣମାଧ୍ୟମର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଥିଲା। କିନ୍ତୁ ଅତିଥିମାନେ ମଂଚକୁ ଆସିବା ବେଳେ ଗୋଟିଏ ପଟୁ ଭାରତ ମାତା କି ଜୟ… ନରେନ୍ଦ୍ର ମୋଦୀ ଜିନ୍ଦାବାଦ…. ଅମିତ ଶାହା ସ୍ବାଗତମ୍ ନାରା ଶୁଭିଥିବା ବେଳେ ଅନ୍ୟପଟେ ଶୁଭି ଥିଲା ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରା। ଏଭଳି ଦୁଇପକ୍ଷର ନାରାରେ ଇନଡୋର୍ ଷ୍ଟାଡିୟମ୍ ପ୍ରକମ୍ପିତ ହୋଇଥିବା ‌ବେଳେ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଏଭଳି ପରିବେଶ କିଛିଟା ଅଶ୍ବସ୍ତିକର ସ୍ଥିତି ସୃଷ୍ଟି କରିଥିଲା। ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି ଜୟ ଜଗନ୍ନାଥ… ଜୟ ମା’ କଟକ ଚଣ୍ଡୀ… ଧ୍ବନୀ ଦେଇ ସମସ୍ତଙ୍କୁ ଚୁପ୍ ରହିବାକୁ ଅନୁରୋଧ କରିଥିଲେ। ଧର୍ମେନ୍ଦ୍ର କହିଥିଲେ ଯେ ନବୀନ ପଟ୍ଟନାୟକ ଯାହାଙ୍କୁ ଦେଖିବା କଥା ଦେଖି ସାରିଲେଣି। ଅମିତ୍ ଭାଇ ବି ଯେଉଁ ମାନଙ୍କୁ ଦେଖିବା କଥା ଦେଖି ସାରିଲେଣି। ତେଣୁ ଏଭଳି ଏକ କାର୍ଯ୍ୟକ୍ରମରେ କଟକର ଗରିମା ରକ୍ଷା କରି ସମସ୍ତେ ଆଗାମୀ ଏକ ଘଣ୍ଟା ଯାଏ ଚୁପ୍ ରହି ବିଶିଷ୍ଟ ଅତିଥି ମାନଙ୍କୁ ଶୁଣନ୍ତୁ। ଧର୍ମେନ୍ଦ୍ରଙ୍କ ଏଭଳି ଆହ୍ବାନ ପରେ ସଭା କାର୍ଯ୍ୟ ଆଗକୁ ବଢିଥିଲା।

Sambad

ଅମିତ ଶାହାଙ୍କୁ ନେତାଜୀଙ୍କ ଜୀବନୀ ପୁସ୍ତକ ପ୍ରଦାନ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନରେ ଆସିଥିବା ବେଳେ ଭୁବନେଶ୍ବରର ଅଜିତ ଦାସଙ୍କ ଦ୍ବାରା ନେତାଜୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକ ପ୍ରଦାନ କରାଯାଇଛି। ଶ୍ରୀ ଦାସଙ୍କ ଦ୍ବାରା ଲିଖିତ ‘ନ୍ୟାସନାଲିଷ୍ଟ ଆଜ୍‌ ଏ ଡିସପାଟିଭ୍‌’ ବହିଟିକୁ ନେଇ ତାଙ୍କ ମା’ ରାଜଲକ୍ଷ୍ମୀ ମହାନ୍ତି ଭୁବନେଶ୍ବରରୁ କଟକ ଆସିଥିଲେ। ମାତ୍ର ମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ରାଜଲକ୍ଷ୍ମୀଙ୍କୁ ମିଳି ନଥିଲା। ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ବିଜେପି ନେତା ସାରଦା ପ୍ରଧାନଙ୍କ ମାଧ୍ୟମରେ ଶ୍ରୀମତି ମହାନ୍ତି ବହିଟିକୁ ଅମିତ ଶାହାଙ୍କୁ ପ୍ରଦାନ କରିଛନ୍ତି।

ନେତାଜୀ ସଂଗ୍ରହାଳୟରେ ବିତାଇଲେ ଅଧଘଣ୍ଟା

ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ତଥା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ପ୍ରାୟ ଅଧଘଣ୍ଟା ଅତିବାହିତ କରିଥିଲେ। ଶ୍ରୀ ଶାହା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନେତାଜୀଙ୍କ ଜୀବନୀ ସହିତ ଜଡିତ ବିଭିନ୍ନ ବିଷୟକୁ ବୁଲି ଦେଖିଥିଲେ। ଶ୍ରୀ ଶାହାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ସଂଗ୍ରହାଳୟ କାର୍ଯ୍ୟାଳୟରେ ଓଟିଡିସି ପକ୍ଷରୁ ତାଙ୍କୁ ଚା’ ପ୍ରଦାନ କରାଯାଇଥିଲା।

ଅମିତ ଶାହାଙ୍କୁ ମା’ ଦୁର୍ଗାଙ୍କ ମେଢ଼ ସମ୍ବଳିତ ଫଟୋ ଫ୍ରେମ୍ ଉପହାର

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିଶାମଣି କନଭେନସନ୍ ନିକଟରେ କଟକ ନଗର ଯୁବ ମୋର୍ଚ୍ଚାର ଉପସଭାପତି କ୍ଷୀତିଶ କୁମାର ବେହେରା ଦୁର୍ଗାଙ୍କର ଏକ ଫଟୋ ଚିତ୍ର ଉପହାର ଦେଇଥିଲେ। କଟକର ପ୍ରସିଦ୍ଧ ଦୁର୍ଗାପୂଜାରେ ଦୁର୍ଗାଙ୍କ ୬ଟି ସୁନା ଓ ତିନୋଟି ରୁପା ମେଢ଼ର ଫଟୋଚିତ୍ର ସମ୍ବଳିତ ଏକ ଫଟୋ ଫ୍ରେମ୍ ଅମିତ ଶାହାଙ୍କୁ ପ୍ରଦାନ କରାଯାଇଥିଲା। କାରିଗରଙ୍କ କଳାକୃତୀର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏଭଳି ଦିଆଯାଇଥିବା ସେ କହିଛନ୍ତି। ସେଠାରେ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, କର୍ପୋରେଟର ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଶାହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର