ସେକ୍ଟର-୧୩ରେ ଗୁରୁତର ବିଦ୍ୟୁତ ସମସ୍ୟା: ୪ ବର୍ଷ ହେଲା ୬ କୋଟି ଟଙ୍କା ଜମା ପରେ ବି ବସୁନି ଟ୍ରାନ୍ସଫର୍ମର୍‌

କଟକ ସିଡିଏ: ସିଡିଏ ସେକ୍ଟର ୧୩ ଅଞ୍ଚଳରେ ଲୋକେ ଲାଇନ ପାଇଁ ଅସୁବିଧାରେ ପଡୁଛନ୍ତି। ଏଠାରେ ସଂପୂର୍ଣ୍ଣ ବିଦ୍ୟୁତକରଣ ପାଇଁ ୨୦୧୮, ଅଗଷ୍ଟ ୩୦ରେ ସେସୁ ନିକଟରେ ୬ କୋଟି ୮ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଏହି ଟଙ୍କାରେ ଏଠାରେ ମୋଟ ୧୭ଟି ଟ୍ରାନ୍ସଫର୍ମର ବସିବା କଥା। ୬ ପୋଲ୍‌ ବିଶିଷ୍ଟ ୩ଟି ବଡ ଟ୍ରାନ୍ସଫର୍ମର ବସିବ। ହେଲେ ଏଯାଏ ମାତ୍ର ୮ଟି ଟ୍ରାନ୍ସଫର୍ମର ଲାଗିଛି। ୬ ପୋଲ୍‌ ବିଶିଷ୍ଟ ୩ଟି ବଡ ଟ୍ରାନ୍ସଫର୍ମର ବସି ପାରିନି। ଫଳରେ ଲୋକେ ବିଦ୍ୟୁତ ସେବା ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ଲୋକେ ଲୋ ଭୋଲଟେଜର ସମୁଖୀନ ହେଉଛନ୍ତି। ଅନ୍ୟପଟେ ଏଠାରେ ୯୦୦ ଟି ଷ୍ଟ୍ରିଟ୍ ଲାଇଟ ଖୁଣ୍ଟ ଲାଗିବାକୁ ଥିବା ବେଳେ ଆହୁରି ୧୭୦ଟି ଖୁଣ୍ଟ ଲଗାଯାଇ ନାହିଁ। ତେଣୁ ଅନେକ ଜାଗାରେ ଅନ୍ଧାର ରାସ୍ତାରେ ଲୋକ ଚଳପ୍ରଚଳ ହେଉଛନ୍ତି। ଏପରିକି ବହୁ ଲୋକ ବାଉଁଶ ଖୁଣ୍ଟ ପୋତି ଲାଇନ ନେଇଛନ୍ତି।

ସମୁଦାୟ ସେକ୍ଟର ଭିତରେ ୩୪ କିମି ଷ୍ଟ୍ରିଟ୍ ଲାଇଟ ତାର ଟାଣିବାକୁ ଥିବା ବେଳେ କେବଳ ୧୮ କିମି ତାର ଟଣା ଯାଇଛି। ବାକି ୧୬ କିମି ତାର ଟଣା ଯାଇପାରୁନି। ଏଭଳି ସମସ୍ୟାକୁ ନେଇ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କିଛି ସୁଫଳ ମିଳୁ ନଥିବା କହିଛନ୍ତି ଆବାସିକ ସଂଘର ସଂପାଦକ ସୋମରଂଜନ ପଟ୍ଟନାୟକ। ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ପାଇଁ ବାଧ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର