କଟକ: ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାରେ ୫-ଟି ଅଧୀନରେ କାର୍ଯ୍ୟକାରୀ ହୋଇଥିବା ‘ମୋ ବିଦ୍ୟୁତ୍’ ସେବା ଏବେ ପ୍ରହସନ ପାଲଟିଛି। କଂପାନିର ଅଧିକାରୀ, ଯନ୍ତ୍ରୀଙ୍କ ମନମାନି ‌ଯୋଗୁଁ ‌ସେବା ମିଳିବାରେ ବିଳମ୍ବ ଘଟୁଛି। ଉପଭୋକ୍ତାଙ୍କୁ ତୁରନ୍ତ ସେବା ପ୍ରଦାନ କରିବାକୁ ଆରମ୍ଭ ମୋ ବିଦ୍ୟୁତ ‌ସେବା ଏବେ ବିଫଳ ହେବାକୁ ଯାଉଛି। ନୂତନ ସଂଯୋଗ, ବିଲ ପୈଠ ଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏପରିକି ନୂଆ ବିଦ୍ୟୁତ୍ ସଂଯୋଗ ପ‌ାଇଁ ଆବେଦନ କରୁଥିବା ବିଦ୍ୟୁତ୍ ଲୋକଙ୍କୁ ସର୍ବାଧିକ ୪୮ ଘଣ୍ଟା ଭିତରେ ନୂଆ ବିଦ୍ୟୁତ୍ ସଂଯୋଗ ଦିଆଯିବାର ଯୋଜନା ରହିଥିଲା। ମାତ୍ର ଏହି ଯୋଜନା କେବଳ ଯୋଜନାରେ ରହିଯାଇଛି। ଯୋଜନାର ବାସ୍ତବତା ଭିନ୍ନ ରହିଛି। ୪୮ ଘଣ୍ଟା ତ’ ଦୂରର କଥା ଦୁଇ ମାସ ପରେ ବି ବିଦ୍ୟୁତ୍ ସଂଯୋଗ ମିଳିପାରୁନାହିଁ। ଅନଲାଇନରେ ଆବେଦନ କରିବା ପରେ ସଂ‌ଯୋଗ ନେବାକୁ ଆଶାୟୀ ଥିବା ବ୍ୟକ୍ତିଙ୍କୁ ଅଫିସକୁ ଦୌଡି ହତାଶ ହେବାକୁ ପଡୁଛି। ଦାୟିତ୍ବରେ ଥିବା ଜେଇ ଓ ଏସଡିଓମାନେ ନୂଆ ବିଦ୍ୟୁତ୍ ସଂ‌‌ଯୋଗ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ଉଦାହରଣ ଭାବେ ଦେଖିଲେ, କଟକ ମହାନନଦୀବିହାର ସବଡିଭିଜନ ଅଧୀନରେ ଗତ ସେପ୍ଟେମ୍ବର ୯ ତାରିଖରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ମିଳି ପାରି ନାହିଁ। ଚାଉଳିଆଗଂଜ ମଠସାହିର ଦେବେନ୍ଦ୍ର ପାତ୍ର ଓ ଉମାକାନ୍ତ ପଣ୍ଡା ସେପ୍ଟେମ୍ବର ୯ ତାରିଖରେ ନିଜ ମଠ ସ‌ାହିସ୍ଥିତ ଘର ପାଇଁ ୩ କିଲୋୱାଟର ବିଦ୍ୟୁତ୍ ସଂଯୋଗ ପାଇଁ ଅନଲାଇନରେ ଆବେଦନ କରିଥିଲେ। ୨୪ ଦିନ ପରେ ବି ସେମାନଙ୍କୁ ସଂଯୋଗ ମିଳି ପାରିନାହିଁ। ନୂଆ ସଂ‌ଯୋଗ ପାଇଁ ଆବେଦନ କରିଥିବା ଶହ ଶହ ବ୍ୟକ୍ତି ଏମିତି ନିରାଶ ହେଉଛନ୍ତି। ଏପରିକି ଡକ୍ୟୁମେଣ୍ଟ୍ ବା କାଗଜପତ୍ର ଠିକ୍ ଥାଇ ବି ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଉନାହିଁ। ମୋ ବିଦ୍ୟୁତ୍ ‘ଡାସ ବୋର୍ଡର ତଥ୍ୟ ଅନୁସାରେ ମାଳ ମାଳ ଆବେଦନ ପଡି ରହିଥିଲେ ବି ଏହାର ସମାଧାନ କରଯାଉନାହିଁ।

Advertisment

ତଥ୍ୟ ମୁତାବକ, କେନ୍ଦ୍ରାଞ୍ଚଳ ପାଇଁ କାମ କରୁଥିବା ଟିପିସିଓଡିଏଲରେ ସେପ୍ଟେମ୍ବର ୧ରୁ ଅକ୍ଟୋବର ୨ ମଧ୍ୟରେ ମୋଟ ୫୫୬୬ଟି ଆବେନନ ହୋଇଛି। ୧୯୧୮ଟି ଦରଖାସ୍ତ ପଡି ରହିଛି। ସେଥିରୁ ୩୧୮୩ଟି ଆବେଦନ ସମାଧାନ ହୋଇପାରିଛି। ସେହିଭଳି ପଶ୍ଚିମ ଓଡ଼ିଶା ପାଇଁ କାମ କରୁଥିବା ଟିପିଡବ୍ଲୁଓଡିଏଲରେ ମାସକ ମଧ୍ୟରେ ୩୩୫୯ଟି ନୂତନ ସଂଯୋଗ ପାଇଁ ଆବେଦନ ଆସିଥିବା ବେଳେ ସେଥିରୁ ୯୭୬ଟି ଦରଖାସ୍ତ ପଡି ରହିଛି। ମାତ୍ର ୧୫୯୨ଟି ସଂଯୋଗ ଦିଆଯାଇପାରିଛି। ଉତ୍ତର ଓଡ଼ିଶା ପାଇଁ କାମ କରୁଥିବା ଟିପିଏନଓଡିଏଲରେ ୨୮୩୧ ଆବେଦନ ମଧ୍ୟରୁ ୯୪୯ଟି ଦରଖାସ୍ତ ସମାଧାନ ନ ହୋଇ ପଡି ରହିଛି। ମାତ୍ର ୯୨୦ଜଣଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିଛି। ଦକ୍ଷିଣ ଓଡ଼ିଶାରେ କାମ କରୁଥିବା ଟିପିଏସଓଡିଲରେ ୨୯୦୨ ଆବେଦନ ମଧ୍ୟରୁ ୯୭୯ଟି ଦରଖାସ୍ତ ପଡି ରହିଛି। ସେଥିରୁ ମାତ୍ର ୧୬୮୨ଟି ଦରଖାସ୍ତକାରୀଙ୍କୁ ସଂଯୋଗ ଦିଆଯାଇଛି। ଭିତ୍ତିଭୂମି ଅଭାବ, ମାନବ ସମ୍ବଳର ଅଭାବ ଦର୍ଶାଇ ଲୋକଙ୍କୁ ମାସ ମାସ ଧରି ବିଦ୍ୟୁତ୍ ସଂ‌ଯୋଗ ମିଳୁନାହିଁ। ଗୋଟିଏ ପଟେ ବିଦ୍ୟୁତ ବିଲ ଆ‌ଦାୟ ଓ ଜରିମାନା ଲଦିବା ବେଳେ କଂପାନି କୌଣସି ପ୍ରକାର ହେଳା କରୁନଥିବା ‌ବେଳେ ଲୋକଙ୍କୁ ସେବା ଦେବା ବେଳେ ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଥିବା ଅଭିଯୋଗ ହେଉଛି।