କେବେ ସୁଧୁରିବ ୪୨ ମୌଜା ବାସିନ୍ଦାଙ୍କ ବିଦ୍ୟୁତ ସମସ୍ୟା, ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଢୁଛି ଅସନ୍ତୋଷ

କଟକ: ୪୨ ମୌଜା ବାସିନ୍ଦାଙ୍କ ପାଇଁ ଦୀର୍ଘ ବର୍ଷ ଧିର ଅଘୋଷିତ ବିଦ୍ୟୁତ କାଟ୍‌ ମୁଖ୍ୟ ସମସ୍ୟ‌ା ହୋଇ ରହିଛି। ପୂର୍ବ ସୂଚନା ନ ଦେଇ ବିଭାଗ ପ୍ରତିଦିନ ୮ରୁ ୧୦ ଥର ବିଜୁଳି କାଟୁଥିବାର ଅଭିଯୋଗ ହୋଇଛି। ଥରେ କରେଣ୍ଟ କଟିଲେ ଦୀର୍ଘ ସମୟ ଧରି ଆସୁନାହିଁ। ଏଥିରେ ଗୃହ କାର୍ଯ୍ୟରୁ ଚାଷ ଜମିରେ ପାଣି ମାଡିବା କାମ ବାଧାପ୍ରାପ୍ତ ହେଉଛି। ଏନେଇ ‌ବିଦ୍ୟୁତ ବିଭାଗକୁ ଯୋଗାଯୋଗ କଲେ ବି ସନ୍ତୋଷଜନକ ଉତ୍ତର ମିଳୁ ନଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେପଟେ ଅଞ୍ଚଳରେ ବିଦ୍ୟୁତ ବିଭାଗର ସେକ୍ସନ୍‌ ଅଫିସ ଥିବା ବେଳେ ଏହାକୁ ସବ୍‌ଡିଭିଜନ୍‌ରେ ପରିଣତ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।

ସଦର ନିର୍ବାଚନ ମଣ୍ଡଳି ଅଧିନରେ ଥିବା ୪୨ ମୌଜା ଅଞ୍ଚଳରେ ୨୫ ହଜାରରୁ ଅଧିକ ପରିବାର ବସବାସ କରନ୍ତି। ଅଞ୍ଚଳରେ ୮ବର୍ଷରୁ ଅଧିକ ସମୟ ହେବ ଅଘୋଷିତ ବିଦ୍ୟୁତ କାଟ ଏକ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି। ପ୍ରତିଦିନ ବିନା କାରଣରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଞ୍ଚଳରେ କରେଣ୍ଟ ରହୁନାହିଁ। ଏଥିରେ ଅଞ୍ଚଳବାସୀଙ୍କୁ ପାଣି ଯୋଗାଉଥିବା ସ୍ବଜଳଧାରା ଯୋଜନା ବି‌େଶଷ ଭାବେ ପ୍ରଭାବିତ ହେଉଛି। ବିନା କରେଣ୍ଟ ଓ ପାଣି ଅଭାବରୁ ଲୋକଙ୍କୁ ଘର କାମ କରିବାରରେ ବହୁ ସମସ୍ୟା ହେଉଛି। ସଂଧ୍ୟାରେ କରେଣ୍ଟ କଟିଲେ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ବି ଅସୁବିଧା ହେଉଛି। ଅନ୍ୟପଟେ ଏହା ଏକ କୃଷି ଭିତ୍ତିକ ଅଞ୍ଚଳ ହୋଇଥିବାରୁ ଏଠାରେ ୬ ହଜାରରୁ ଅଧିକ ଚାଷୀ ଥିବା ବେଳେ ୧୩୦ରୁ ଅଧିକ ଲିଫଟ୍‌ ଇରିଗେସନ୍‌ ପଏଣ୍ଟ ରହିଛି। ଦିନର ସବୁ ସମୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଚାଷ ଜମିକୁ ପାଣି ଯୋଗାଇବାରେ ମଧ୍ୟ ସମସ୍ୟା ହେଉଛି।

ଏଭଳି ପରିସ୍ଥିତିରେ ସାଧାରଣ ଜନତା ବିଦ୍ୟୁତ ବିଭାଗକୁ ଫୋନ କଲେ କେହି ଫୋନ୍‌ ଉଠାଉ ନଥିବାର ଅଭିଯୋଗ ହୋଇଛି। ଅଞ୍ଚଳରେ ୨୫ ହଜାରୁ ଅଧିକ ପରିବାରଙ୍କ ପାଇଁ ବିଭାଗର ଏକ ସେକ୍ସନ୍‌ ଅଫିସ ରହିଛି। ମାତ୍ର ଜଣେ ଜୁନିୟର ଇଂଜିନିୟର ଓ ଅଳ୍ପକିଛି କର୍ମଚାରୀଙ୍କୁ ନେଇ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି। ଅନ୍ୟପଟେ ଅଞ୍ଚଳକୁ ୩୩ ଓ ୧୧ କେଭି ଲାଇନ୍‌ ମାଧ୍ୟମରେ କରେଣ୍ଟ ମିଳୁଥିବା ବେଳେ ସେଗୁଡିକ ଇନ୍ସୁଲେଟେଡ୍‌ କେବୁଲ ବଦଳରେ ଖୋଲା କେବୁଲରେ ଚାଲିଛି। ଟିକିଏ ପବନରେ ଗଛ ଡାଳ ତାରରେ ବାଜି ବିଦ୍ୟୁତ କଟୁଛି। ଏପରି ସ୍ଥଳରେ ଅଞ୍ଚଳରେ ଏକ ସବ୍‌ଷ୍ଟେସନ୍‌ ଖୋଲିବା ସହିତ ସମସ୍ତ ତାରକୁ ଇନ୍ସୁଲେଟେଡ୍‌ କେବୁଲରେ ପରିଣତ କରିବାକୁ ଦାବି ହୋଇଛି। ବିଭାଗ ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାନଗଲେ ଆସନ୍ତା ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୟାଳିଶ ମୌଜା ‘ଜମି-ବାସଗୃହ-ଜୀବିକା ମିଳିତ ମଞ୍ଚ’ର ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ଯୁଧିଷ୍ଠିର ପତି, ଜୟ କୃଷ୍ଣ ମୁଦୁଲି, ମନୋଜ ଦେବତା, ଲୋକନାଥ ମହାପାତ୍ର, ଅଜୟ ମଲ୍ଲିକ, ମାନସ ଦେବତା, ସୁବ୍ରତ ପଣ୍ଡା ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର