ବାରଙ୍ଗ: ଗତକାଲି ସନ୍ଧ୍ୟା ପରେ ପୁଣି ଆସି ମୁଣ୍ଡଳୀ ପଞ୍ଚାୟତର ଥୋରିଆପାଟଣା ପାଖ କାଳୀକା ପଡିଆରେ ପହଁଞ୍ଚିଥିଲେ ଗୋଟିଏ ଦନ୍ତା ସହିତ ୨ଟି ମାଈ ଓ ୩ଟି ଛୁଆଙ୍କୁ ମିଶାଇ ୬ ଟିକିଆ ହାତୀ ପଲ। ହାତୀ ଆସିଥିବା ଶୁଣି ମୁଣ୍ଡଳୀ, ତଳଗଡ, ଥୋରିଆପାଟଣା ଓ ନରାଜ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଡମପଡା ବନ ବିଭାଗ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଲୋକଙ୍କୁ ଘରୁ ନବାହାରିବାକୁ ସତର୍କ କରିଛନ୍ତି। ଗତ ରାତିରେ ନରାଜ ଗ୍ରାମର ସୁଶାନ୍ତ ବେହେରା(୩୬)ଙ୍କୁ ଦନ୍ତା ହାତୀ ମାରି ଦେଇଥିଲା। ହାତୀମାନେ ନରାଜ ଆଡକୁ ଯିବାର ଆଶଙ୍କା ରହିଛି। ଲଗାତର ଭାବେ ଚନ୍ଦକା – ଡମପଡା ଅଭୟାରଣ୍ୟରୁ ବାହରି ହାତୀ ପଲ ମୁଣ୍ଡଳୀ ଓ ନରାଜ ଆଡକୁ ଆସୁଥିବା ବେଳେ ଏବେ ବିଡାନାସୀ, ସିଡିଏ ପାଇଁ ବି ବିପଦ ସୃଷ୍ଟି ହୋଇଛି। ଚନ୍ଦକା – ଡମପଡା ହସ୍ତୀ ଅଭୟାରଣ୍ୟକୁ ଲାଗି ଥିବା ବଡ ବଡ ପାହାଡ ପଥର ଖାଦାନକୁ ଦିନ ରାତି ଜେସିବି ମେସିନ ଲଗାଇ ତଡା ଯିବା, ଅଭୟାରଣ୍ୟ ପାର୍ଶ୍ବବର୍ତ୍ତି ଅଞ୍ଚଳକୁ ଲାଗି ଆପାର୍ଟମେଣ୍ଟ, କଂପାନି ଗଢି ଉଠିବା ଯୋଗୁଁ ହାତୀ ଏଭଳି ଜନବସତି ମୁହାଁ ହେଉଥିବା କୁହାଯାଉଛି।
ଭଗିପୁର ନିକଟ ଦେବୀ ଦ୍ବାର ଠାରୁ କଇଁମୁଣ୍ଡି ମଧ୍ୟରେ ଥିବା ଯେଉଁ ଚିରାଚରିତ ପଥ ଦେଇ ହାତୀମାନେ ମହାନଦୀ କୂଳକୁ ଆସି ପାଣିରେ ପଶି ଆଠଗଡ ଓ ଡମପଡା ଜଙ୍ଗଲକୁ ଯାଆନ୍ତି ଏବେ ସେ ପଥ ହାତୀମାନଙ୍କ ପାଇଁ ସୁରକ୍ଷିତ ମନେ ହେଉ ନଥିବାରୁ ସେମାନେ ସେ ପଥ ବଦଳାଇ ନୂଆ ପଥରେ ଯାତାୟତ କରିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଗତକାଲିର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦଳର ମୁଖିଆ ଦନ୍ତାହାତୀ ଓ ୪ ବର୍ଷର ଛୁଆ ହାତୀକୁ ଏମାନେ ଖୋଜିବା ପାଇଁ ମୁଣ୍ଡଳୀ ଓ ନରାଜ ଅଞ୍ଚଳରେ ବୁଲୁଥିବା ଆଶଙ୍କା କରାଯାଉଛି। ଚନ୍ଦକାରେ ଏବେ ୪ ଦନ୍ତା ସମେତ ୨୦ ହାତୀ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/DSC_0553.jpg)
