ଅପରାଧୀ ଦମନ ପାଇଁ କଟକ ପୁଲିସର ପୁଣି ଏନ୍‌କାଉଣ୍ଟର୍‌ ଅଭିଯାନ!

୮ ଦୁର୍ଦ୍ଦାନ୍ତଙ୍କ ଉପରେ ନଜର ରଖିଛି ସ୍ପେସାଲ୍‌ ସ୍କ୍ବାଡ୍‌, ୧୬ ବର୍ଷରେ ୨୭ ଏନ୍‌କାଉଣ୍ଟର୍‌; ୨ ମୃତ

ମହାନଦୀ ବିହାର: କଟକ କମିସନରେଟ ପୁଲିସରେ ପୁଣି ଆରମ୍ଭ ହୋଇଛି ଅପରାଧୀଙ୍କ ଏନକାଉଣ୍ଟର। କରୋନା କାରଣରୁ ୨୦୨୦ ବର୍ଷରେ ଏନକାଉଣ୍ଟର ଶୂନ ଥିଲା। କିନ୍ତୁ ୨୦୨୧ ମସିହାରେ ପୁଣି ଏନକାଉଣ୍ଟର ଆରମ୍ଭ ହେବା ଯୋଗୁଁ ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି। କିଛି ଅପରାଧୀ ଏବେ କଟକ ଛାଡି ଦେଇଥିବା ସୂଚନା ମିଳିଛି। ୨୦୦୫, ସେପ୍ଟେମ୍ବର ୨୬ରେ ରାଣୀହାଟର ଗ୍ୟାଙ୍ଗଷ୍ଟର ଦୀପୁ ଓରଫ ସଂଗ୍ରାମ ସାହୁ ଶଗଡ଼ିଆ ସାହି ଭିତରେ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା। ଦୀପୁ ସେ ସମୟରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ଛାତରୁ ଠେଲି ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଗୁଳି କରିଥିଲା। ଗୁଳିଟି ତାର ବାମ ପଟ ଛାତିରେ ବାଜିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା।

୨୦୦୫ରେ ଘଟିଥିବା ଏହି ଏନକାଉଣ୍ଟର କଟକ ସହର ସମେତ ସାରା ରାଜ୍ୟରେ ଚର୍ଚା ସୃଷ୍ଟି କରିଥିଲା। ସେତେବେଳେ କଟକର ଏସପି ଥିଲେ ବର୍ତ୍ତମାନର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ୨୦୦୫ରୁ ୬ ବର୍ଷ ପର୍ଯ୍ୟନ୍ତ ଆଉ କଟକରେ ଏନକାଉଣ୍ଟର ଘଟି ନଥିଲା। ୨୦୧୧ ମସିହାରେ ମଙ୍ଗଳାବାଗ ଥାନା ପୁଲିସ ତିନିଘରିଆର ଗ୍ୟାଙ୍ଗଷ୍ଟର ଗୁଗୁ ଓରଫ ଶିବାଶିଷ ଖୁଣ୍ଟିଆକୁ  ଅଗଷ୍ଟ ୧୯ରେ ଏନକାଉଣ୍ଟର କରିଥିଲା। ୨୦୧୧ ରୁ ୨୦୧୬ ଶେଷ ଯାଏ ପୁଲିସ ଏନକାଉଣ୍ଟର ସଂଖ୍ୟା ଶୂନ ଥିବା ବେଳେ ୨୦୧୭ରେ ଗୋଟିଏ ବର୍ଷରେ ୬ଟି ଏନକାଉଣ୍ଟର ହୋଇଥିଲା। ଏପ୍ରିଲ ୧୭ରେ ମଙ୍ଗଳାବାଗ ପୁଲିସ ବକ୍ସିବଜ଼ାର ପେନସନ ଲେନର ଅପରାଧୀ ଶେଖ ବାବୁକୁ ଏନକାଉଣ୍ଟର କରିଥିଲା। ସେହି ବର୍ଷ ଅଗଷ୍ଟ ୧୫ ତାରିଖ ରାତିରେ କାଠଯୋଡ଼ିର ଜଷ୍ଟିସ ଗଡା ଛକରେ ଧଳସାମନ୍ତ ସହଯୋଗୀ ରଘୁନାଥ ଦାସକୁ ମର୍କତ ନଗର ପୁଲିସ ଏନକାଉଣ୍ଟର କରିଥିଲା। ସେହି ବର୍ଷ ସେପ୍ଟେମ୍ବର ୫ ରେ ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ ବାଉଁଶଗଳିର ଶେଖ ରାହୁଲକୁ ପୁରୀଘାଟ ଅଞ୍ଚଳରେ ଏନକାଉଣ୍ଟର କରାଯାଇଥିବା ବେଳେ ସେପ୍ଟେମ୍ବର ୨୫ରେ ଶଙ୍କରପୁର ଉପରସାହିର କାଳନ୍ଦୀ ଖୁଣ୍ଟିଆ, ଅକ୍ଟୋବର ୧୭ରେ ବାଦାମବାଡ଼ିରେ ସିରିଜ ବୋମା ମାଡ଼ କରି ହଇଚଇ ସୃଷ୍ଟି କରିଥିବା ଖୋକନ ଓରଫ ପିନାକୀ ରଞ୍ଜନ ବାରିକକୁ ସନ୍ତୋଷ ପେଟ୍ରୋଲ ପମ୍ପ ନିକଟରେ, ଡିସେମ୍ବର ୮ ତାରିଖ ରାତିରେ ଯୋବ୍ରା ନଦୀକୂଳ ସାହିର ତପନ ନାୟକକୁ ମାଲଗୋଦାମ ଥାନା ପୁଲିସ ତତ୍ୱବଟ ନିକଟରେ ଏନକାଉଣ୍ଟର କରିଥିଲା।

୨୦୧୮ରେ ସର୍ବାଧିକ ୧୧ଟି ଏନକାଉଣ୍ଟର ହୋଇଥିଲା। ଜାନୁଆରି ୪ ରେ ନୟାଗଡ଼ ସରଣକୁଳର ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକକୁ ସଦର ଥାନା ପୁଲିସ ବାଲିକୁଦା ନିକଟ ବଢ଼େଇ ସାହିରେ, ଜାନୁଆରି ୧୧ ରେ ସୁନୀଲ ଓରଫ ସୌମ୍ୟ ରଞ୍ଜନ ସାହୁକୁ ଚୌଦ୍ୱାର ପୁଲିସ ବୋଧଇପଡ଼ିଆରେ, ଫେବ୍ରୁଆରି ୨୮ ରେ ଜଗତପୁରର ଗୁରିଆ ଓରଫ ଗୁରୁଚରଣ ପାତ୍ରକୁ ଜଗତପୁର ପୁଲିସ କେନାଲ ବନ୍ଧ ରାସ୍ତାରେ, ମାର୍ଚ୍ଚ ୪ରେ ସଦର ଅଞ୍ଚଳର ବାଲି ଘାଟ ମାଲିକଙ୍କୁ ବଟି ମାଗିବା ଘଟଣାରେ ଧଳସାମନ୍ତ ସହଯୋଗୀ ସଦା ଓରଫ ସଦା ନାୟକକୁ ସଦର ଥାନା ପୁଲିସ ଶ୍ରୀକୋରୁଆ ରାସ୍ତାରେ, ମାର୍ଚ୍ଚ ୧୧ ତାରିଖ ଦିନ ସଦର ଥାନା ପୁଲିସ ଭାଣପୁରର ମଙ୍ଗୁ ଓରଫ ମନୋଜ କୁମାର ମହାରଣା ଓ ବରହମପୁରର ତାଡ଼ିଆ ଓରଫ ଲିପୁ ଓରଫ ସୁଧାକର ପାତ୍ରକୁ ଏନକାଉଣ୍ଟର କରିଥିଲା। ସେହିଭଳି ଏପ୍ରିଲ ୫ରେ ଚାଉଳିଆଗଞ୍ଜ ଥାନା ପୁଲିସ ଟିଟୋ ସହଯୋଗୀ ଦିୱାନ ବଜ଼ାରର  କାଲା ବାବୁ  ଓ ସାଇଲୋ ଗୋବିନ୍ଦପୁର ଅଞ୍ଚଳର ଡେଙ୍ଗା ଓରଫ ଅଲେଖ ରାଉତରାୟକୁ ଭଦିମୂଳ ଅଞ୍ଚଳରେ, ମେ ୨୦ରେ ସଦର ପୁଲିସ କାବୁ ଓରଫ ଉତ୍ତମ ସିଂହକୁ ତ୍ରିଶୂଳିଆ ନଈ ବନ୍ଧରେ, ଅଗଷ୍ଟ  ୧୭ରେ ରାଣୀହାଟ ଶଗଡ଼ିଆ ସାହିର ଚିକୁ ଓରଫ ଅନୀଲ କୁମାର ବେହେରାକୁ ବାଦାମବାଡ଼ିରେ, ଡ଼ିସେମ୍ବର ୨ରେ ପୁଣି ଗୁରିଆ ଓରଫ ଗୁରୁଚରଣ ପାତ୍ରକୁ ଜଗତପୁର ପୁଲିସ ଏନକାଉଣ୍ଟର କରିଥିଲା।

୨୦୧୯ରେ ପୁଲିସ  ଅଗଷ୍ଟ ୨୧ରେ ଅମିତ ଓରଫ ମନୋଜ ପାତ୍ରକୁ, ସେପ୍ଟେମ୍ବର ୧୧ରେ ବୁଦ୍ଧିଆ ଓରଫ ବିଷ୍ଣୁ ଦାସକୁ, ଅକ୍ଟୋବର ୧୦ ରେ ଅପର୍ଣ୍ଣାନଗରର ଜିତୁ ଓରଫ ଅଜୟ ସାହୁକୁ ମର୍କତନଗରରେ, ଏହାର ଗୋଟିଏ ଦିନ ପରେ  ଜିତୁର ସହଯୋଗୀ ମୁନା ଦେହୁରୀକୁ, ଡିସେମ୍ବର ୧୧ରେ ମହାରାଷ୍ଟ୍ରର ଲୁଟେରା ବାବୁଲ ଓରଫ ସଚିନ ପାୱାରକୁ ବାରଙ୍ଗ ଅଞ୍ଚଳରେ ପୁଲିସ ଏନକାଉଣ୍ଟର କରିଥିଲା।
୨୦୨୧ରେ ଏପର୍ଯ୍ୟନ୍ତ କଟକ ପୁଲିସ ୩ଟି ଏନକାଉଣ୍ଟର କରି ସାରିଛି। ଏପ୍ରିଲ ୩୦ରେ ବାରଙ୍ଗ ପୁଲିସ ସକିଲ ସହଯୋଗୀ ବରଣ ବାବୁକୁ, ଜୁଲାଇ ୨୪ ରେ କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଶେଖ ହାଇଦରକୁ, ଅକ୍ଟୋବର ୧୬ ରେ କନ୍ଦରପୁର ଥାନା ପୁଲିସ ବାଲିକୁଦା ଜଗତସିଂହପୁରର ରାକା ଓରଫ ରାକେଶ ଦାସକୁ ଏନକାଉଣ୍ଟର କରିଛି। ଅଧିକାଂଶ ଗ୍ୟାଙ୍ଗଷ୍ଟର ବିଭିନ୍ନ ଜେଲରେ ଥିଲେ ବି ସହଯୋଗୀଙ୍କ ମାଧ୍ୟମରେ ବଟି ଓ ଟେଣ୍ଡର ଫିକ୍ସିଂ କରି ମୁଣ୍ଡ ଟେକିବାକୁ ଉଦ୍ୟମ କରିବା ତଥ୍ୟ ସାମନାକୁ ଆସିଥିବା ବେଳେ କଟକ ଡି ସି ପି ପ୍ରତୀକ ସିଂହ ଓ ସ୍ପେଶାଲ ସ୍କ୍ବାଡ଼ ପୁଣି ଅପରାଧୀ ଦମନ ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ୮ ଜଣ ଅପରାଧୀଙ୍କୁ ତାଲିକା ପ୍ରସ୍ତୁତ କରାଯିବା ସହିତ ପୁଲିସ ଏବେ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର