୧୬ ଠକ ବ୍ୟବସାୟୀଙ୍କୁ ଗିରଫ କଲାଣି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ

ଦୁଇ ଶହ କୋଟି ଟଙ୍କାର ଜାଲ ବିଲ୍‌ ରାକେଟର ପର୍ଦ୍ଦାଫାସ

କଟକ: ରାଜ୍ୟର ବେକାର ଯୁବକ, ଗୃହିଣୀ, କୃଷକ ଦିନ ମଜୁରିଆ, ବରିଷ୍ଠ ନାଗରିକଙ୍କ ନାମରେ ଜାଲ ତଥା ଭୂତ ଫାର୍ମ କରି ରାଜ୍ୟର କୋଟି କୋଟି ଟଙ୍କାର ରାଜସ୍ବ ଲୁଟ କରାଯାଉଛି। ଏନେଇ ଆଜି କଟକ କ୍ୟାଣ୍ଟ‌ନମେଣ୍ଟ ରୋଡସ୍ଥିତ ଆୟକର ଭବନରେ ଥିବା ରାଜ୍ୟ ଜିଏସ୍‌ଟି କମିସନର ସୁଶିଲ କୁମାର ଲୋହାନିଙ୍କ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଇତିମଧ୍ୟରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ୧୬ଜଣ ଠକ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏହି ଜାଲ ବ୍ୟବସାୟୀମାନେ ପ୍ରାୟ ୪ହଜାର ୭ଶହ କୋଟି ଟଙ୍କାର ଜାଲ କିଣା ବିକା କରିଥିବାର ଦର୍ଶାଇ ୮୮୧ କୋଟି ଟଙ୍କାର ଜାଲ ଆଇଟିସି ଆତ୍ମସାତ କରିବା ସହିତ ଅନ୍ୟକୁ ଏହା ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ୨୦୧୯-୨୦୨୦ ଓ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୧୯ ହଜାର ୩୩୯ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି ବୋଲି କମିସନର ଶ୍ରୀ ଲୋହାନି ସୂଚନା ଦେଇଛନ୍ତି।

ଶ୍ରୀ ଲୋହାନି ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ଜିଏସ୍‌ଟି ଏନ୍‌‌ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ଜାଲ ବିଲ୍‌ର ଏକ ବଡ ଠକ ରାକେଟକୁ ଠାବ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ୩ଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ରାଉରକେଲାର ହୋଇଥିବା ବେଳେ ଚୌଦ୍ବାରରୁ ଜଣେ ଅଛନ୍ତି। ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦ କୋଟି ୩୬ ଲକ୍ଷ ଟଙ୍କା ଫାଙ୍କି ଥିବା ଅଭ‌ିଯୋଗ ହୋଇଛି। ଗିରଫ ୩ ଜଣ ହେଉଛନ୍ତି ସ୍ମୃତି ରଂଜନ ମହାନ୍ତି, ରାଜୀବ ମିଶ୍ର, ସୌମ୍ୟରଂଜନ ମହାନ୍ତି। ତେବେ ଏଥିରେ ଜଡିତ ଥିବା ଅନ୍ୟ ଦୁଇ ଜଣ ମାଷ୍ଟରମାଇଣ୍ଡ ଶିବରାମ ପାତ୍ର ଓ ଅଙ୍କିତ ଅଗ୍ରୱାଲ ଫେରାର ଅଛନ୍ତି। ଉକ୍ତ ବ୍ୟକ୍ତିମାନେ ୧୨ଟି ଜାଲ ବ୍ୟବସାୟ ପ୍ରତିଷ୍ଠାନ କରି ୮୪ କୋଟିରୁ ଅଧିକ ଟଙ୍କାର ଜାଲ ବିଲ୍‌ କରି ୨୦ କୋଟି ୪୫ ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଆତ୍ମସାତ କରିଛନ୍ତି। ଏହି ଦୁଇ ଶହ କୋଟି ଟଙ୍କାର ଜାଲ ଜିଏସଟି ବିଲ୍‌ ‌ସେମାନେ ମାତ୍ର ୪ରୁ ୫ ମାସ ମଧ୍ୟରେ କରିଥିଲେ। ନକଲି ଫାର୍ମ ଗୁଡିକର ମାଲିକଙ୍କ ନାମରେ ଥିବା ଚେକ୍‌ବୁକ, ଏଟିଏମ୍‌ କାର୍ଡର ଓ ୟୁଜର ଆଇଡି ଓ ପାସ୍‌ୱାର୍ଡ ସହିତ ଆରଟିଜିସି ଫର୍ମରେ ସେମାନଙ୍କ ଦସ୍ତଖତ ନେଇ ସେମାନେ ବ୍ୟାଙ୍କ କାରବାର କରୁଥିଲେ। ଏଥିରେ ଅନ୍‌ଲାଇନ୍‌ ବ୍ୟବସାୟ କରିବାରେ ‌ଏହି ଠକ୍‌ଙ୍କୁ ସୁବିଧା ହେଉଥିଲା। ଉକ୍ତ ୫ଜଣ ଠକ ଗତ ୪ ମାସ ମଧ୍ୟରେ ୧୨ଟି ଭୂତ ବ୍ୟବସାୟ ପ୍ରତିଷ୍ଠାନ କରି ସେଗୁଡିକ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବ୍ୟାଙ୍କିଙ୍ଗ କାରବାର କରୁଥିଲେ।

ସାଧାରଣ ଲୋକଙ୍କୁ ନିଯୁକ୍ତି କିମ୍ବାର ଋଣ କରାଇଦେବା ଆଳରେ କିଛି ଠକ ବ୍ୟକ୍ତି ସେମାନଙ୍କ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ଫଟୋ, ବ୍ୟାଙ୍କ ପାସ୍‌ବୁକ ନେଇ ସେମାନଙ୍କ ନାମରେ ନକଲି ଫାର୍ମ ତିଆରି କରି ରାଜ୍ୟ ରାଜସ୍ବ ଲୁଣ୍ଠନ ପାଇଁ ଉଦ୍ୟମ କରୁଥିବାର ଜିଏସ୍‌ଟି କମିସନରଙ୍କ ପକ୍ଷରୁ କୁହାଯାଇଛି। ସାଧାରଣ ଲୋକେ ସେମାନଙ୍କ ପରିଚୟପତ୍ର ସମ୍ପର୍କିତ କାଗଜପତ୍ର କାହାରିକୁ ପ୍ରଦାନ ନକରିବାକୁ ଏଥିରେ କୁହାଯାଇଛି। ଯଦି କେହି ଏପରି କରିଥାନ୍ତି ତେବେ ତୁରନ୍ତ ଏହାର ଅଭିଯୋଗ ରାଜ୍ୟ ଜିଏସ୍‌ଟି କମିସନରଙ୍କ ନିକଟରେ କରିବାକୁ ସମ୍ମିଳନ‌ୀରେ ନିବେଦନ କରାଯାଇଛି। ଏହାଦ୍ବାର ସେଗୁଡିକୁ ନେଇ ଜାଲ ବ୍ୟବସାୟ ପ୍ରତିଷ୍ଠାନ କରାଯାଇଥିଲେ ତାହାର ସନ୍ଧାନ ମିଳିବା ସହିତ ଏହା ଉପରେ ରୋକ ଲଗାଯାଇ ପାରିବ ବୋଲି କମିସନରଙ୍କ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଏସ୍‌ଟି କମିସନର ସୁଶିଲ କୁମାର ଲୋହାନି, ସ୍ପେସାଲ କମିସନର ଜିଏସଟି ଏନ୍‌ଫୋର୍ସମେଣ୍ଟ ମାନଭଞ୍ଜନ ଆଚାର୍ଯ୍ୟ ଓ ଯୁଗ୍ମ ସଚିବ ବିଶ୍ବଜିତ ପାଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର