ସିଏମ୍‌ସିରେ ସିଟି ଇଂଜିନିୟର ପଦବିକୁ ନେଇ ବିବାଦ: ପଦୋନ୍ନତି ପରେ ବି ଅଧିକାରୀଙ୍କୁ ମିଳୁନି ଦାୟିତ୍ବ

କଟକ: ସିଏମ୍‌ସ‌ିରେ ସିଟି ଇଂଜିନୟର ପଦବିକୁ ନେଇ ଏବେ ଲାଗି ରହିଛି ବିବାଦ। ମହାନଗର ନିଗମର ଇଂଜିନିୟର ବିଭାଗରେ ୨ଜଣ ସିଟି ଇଂଜିନିୟର୍‌ଙ୍କୁ ନେଇ ଦେଖାଦେଇଛି ଅଚଳାବସ୍ଥା। ନିଗମର ଇଂଜିନିୟରିଂ ବିଭାଗରେ ଜଣେ ସିଟି ଇଂଜିନିୟରଙ୍କ ଅଧୀନରେ ସମସ୍ତ କାମ କରାଯିବାର ନିୟମ ଥିବା ବେଳେ ଏବେ ୨ଜଣ ସିଟି ଇଂଜିନିୟର ଅଛନ୍ତି। ଏହାର ସମାଧାନ ପାଇଁ ସିଏମ୍‌ସି ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲେ ବି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ସୂଚନା ରହିଛି। ସିଏମ୍‌ସି ପକ୍ଷରୁ ସହରର ସମସ୍ତ ଉନ୍ନତିମୂଳକ କାମ ନିଗମର ଜଣେ ସିଟି ଇଂଜିନିୟର ବା ଆଡସିନାଲ ଚିଫ୍‌ ଇଂଜିନିୟରଙ୍କ ତତ୍ତ୍ବାବଧାନରେ କରାଯାଏ। ତାଙ୍କ ଅଧୀନରେ ସିଏମ୍‌ସିର ସିଟି ଡିଭିଜନ୍‌ ୧ ଓ ୨ ରହିଛି। ଦୁଇଟି ଡିଭିଜନ୍‌‌ର ମୁଖ୍ୟ ଭାବେ ଦୁଇଜଣ ନିର୍ବାହୀ ଯନ୍ତ୍ରୀ ରହିଥାନ୍ତି। ମାତ୍ର ଏବେ ନିଗମରେ ଦୁଇଜଣ ସିଟି ଇଂଜିନିୟର ଥିବା ବେଳେ ଜଣେ ନିର୍ବାହୀଯନ୍ତ୍ରୀ ଅଛନ୍ତି। ସିଟି ଇଂଜିନିୟର୍‌ ସୁବାରାଓ ପାତ୍ର ଗତ ଅକ୍ଟୋବର ୩୦ରେ ଚାକିରିରୁ ଅବସର ନେଲେ। ମାତ୍ର ଅକ୍ଟୋବର ୧୯ରେ ଶ୍ରୀ ପାତ୍ରଙ୍କୁ ନିଗମରେ ଓଏସ୍‌ଡି( ଅଫିସର ଅନ୍‌ ସ୍ପେସାଲ ଡ୍ୟୁଟି) ଓ ସିଟି ଇଂଜିନୟର ଭାରପ୍ରାପ୍ତ ଦାୟିତ୍ବରେ ରଖିବାକୁ ସିଏମ୍‌ସି କମିସନର୍‌ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି (ନଂ ୯୮୯୯/୧୯-୧୦-୨୧) ଲେଖିଲେ। ବିଭାଗ ତରଫରୁ ଶ୍ରୀ ପାତ୍ରଙ୍କୁ (ଚିଠି ନଂ-୧୯୦୧୯/୯-୧୧-୨୧ରେ) ନିଗମର ଓଏସ୍‌ଡି ଓ ସିଟି ଇଂଜିନିୟର ଭାରପ୍ରାପ୍ତ ଦାୟିତ୍ବରେ ରଖିବାକୁ ଅନୁମତି ମିଳିଥିଲା।

ପରେ ଗୃହ ଓ ନଗର ଉନ୍ନୟନ ବିଭାଗରୁ ଚିଠି (ନଂ ୨୦୩୫୯/୨୯-୧୧-୨୧)ରେ ସିଏମ୍‌ସି ସିଟି ଡିଭିଜନ୍‌-୧ର ନିର୍ବାହୀଯନ୍ତ୍ରୀ ଭାଗ୍ୟଧର ସାହୁଙ୍କ ପଦୋନ୍ନତି କରାଯାଇ ସିଟି ଇଂଜିନିୟର ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଆସିଥିଲା। ହେଲେ ବିଭାଗ ପକ୍ଷରୁ ସିଟି ଇଂଜିନିୟର ଭାବେ ନିଯୁକ୍ତି ମିଳିଥିବା ଦ୍ବିତୀୟ ନିର୍ଦ୍ଦେଶକୁ ସିଏମ୍‌ସି ପକ୍ଷରୁ ପାଳନ କରାଗଲା ନାହଁ। ନିୟମ ଅନୁସାରେ ଯଦି ଗୋଟିଏ ନିଯୁକ୍ତି ଉପରେ ସରକାରଙ୍କ ଦୁଇଟି ନିର୍ଦ୍ଦେଶ ଥାଏ ତେବେ ପ୍ରଥମ ନିର୍ଦ୍ଦେଶକୁ ବାତିଲ୍‌ କରାଯାଇ ଦ୍ବିତୀୟ ନିର୍ଦ୍ଦେଶକୁ ପାଳନ କରାଯାଏ। ମାତ୍ର ସିଏମ୍‌ସିରେ ଏହା କରାଗଲା ନାହିଁ। ସେପଟେ ଜଣେ ଅବସରପ୍ରାପ୍ତ ଅଧିକାରୀ ଭାରପ୍ରାପ୍ତ ସିଟି ଇଂଜିନିୟର ଥିବା ସମୟରେ ୫୦ ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ଟେଣ୍ଡର କରି ପାରିବେ ନାହିଁ କି ଏହା ଉପରେ କୌଣସି ନି‌ଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିୟମ ରହିଛି। ବିଭାଗର ଦୁଇଟି ନିର୍ଦ୍ଦେଶକୁ ନେଇ ସିଏମ୍‌ସିରେ ବିବାଦ ଦେଖାଯାଇଥିବା ବେଳେ ଗତ ମାସ ୧୪ ତାରିଖରେ ନିଗମର କମିସନରଙ୍କ ପକ୍ଷରୁ ବିଭାଗକୁ ପୁନର୍ବାର ଏକ ଚିଠି (ନଂ-୧୨/୮୮/୧୪-୧୨-୨୧) ଲେଖାଯାଇ ଇଂଜିନିୟର ଭାଗ୍ୟଧର ସାହୁଙ୍କୁ ସିଟି ଇଂଜିନୟର୍‌ ଭାବେ ନିଯୁକ୍ତି ଦେବାପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ଏହା ଉପରେ କୌଣସି ଉତ୍ତର ଆସି ନଥିବା ସୂଚନା ରହିଛି। କୌଣସି ପଦବି ପାଇଁ ଯୋଗ୍ୟ ଅଧିକାରୀ ନଥିବା ବେଳେ ଏଥିରୁ ଅବସର ନେଇଥିବା ଜଣେ ଅଧିକାରୀଙ୍କୁ କିଛି ସମୟ ପାଇଁ ଉକ୍ତ ଦାୟିତ୍ବରେ ରଖାଯାଇଥାଏ। ପଦବି ପାଇଁ ଯୋଗ୍ୟ ବ୍ୟକ୍ତି ଆସିବା ପରେ ତାଙ୍କୁ ଏଥିରୁ ଅବ୍ୟାହତି ଦିଆଯାଏ। ବିଭାଗ ପକ୍ଷରୁ ପୂର୍ବରୁ ଭାଗ୍ୟଧର ସାହୁଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ତାଙ୍କୁ ଏହି ପଦବି ଛଡାଯାଇ ନଥିଲା। ଏହାକୁ ନେଇ ନିଗମରେ ବିବାଦ ଲାଗି ରହିଛି।

ସମ୍ବନ୍ଧିତ ଖବର