କଟକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କଲା ଅଗ୍ନିଶମ ବିଭାଗ

କଟକ: ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ୩୦ଜଣଙ୍କ ମୃତ୍ୟୁ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନଜର ରଖି ସତର୍କ ହୋଇଛି ଓଡ଼ିଶା ଅଗ୍ନିଶମ ବିଭାଗ। ରାଜ୍ୟରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଅଟ୍ଟାଳିକା ସମେତ ଶିକ୍ଷାନୁଷ୍ଠାନ ଭଳି ବହୁ କୋଠାଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି ଅଗ୍ନିଶମ ବିଭାଗ। ଏନେଇ ଆଜି କଟକର ଅଶ୍ୱିନୀ ହସ୍ପିଟାଲରେ ପହଁଚି ସେଠାକାର ଅଗ୍ନି ନିରାପତ୍ତା ଯାଞ୍ଚ କରିବା ସହ ଅଗ୍ନୀ ନିରାପତ୍ତା ସମ୍ପର୍କିତ ବିଭିନ୍ନ ଉପକରଣକୁ ଯାଞ୍ଚ କରି ହସ୍ପିଟାଲ କର୍ମଚାରୀଙ୍କ ଅଭିଜ୍ଞତାକୁ ମଧ୍ୟ ପରଖିଛି ଟିମ୍। ଅନ୍ୟପଟେ ଯଦି କୌଣସି ସ୍ଥାନରେ ଖିଲାପି ନଜର ଆସେ ତେବେ ସେ ସମ୍ପର୍କରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରି ସାରିଥିବା ବେଳେ ଏହି ଯାଞ୍ଚକୁ ସ୍ୱାଗତ କରିଛନ୍ତି ବିଭିନ୍ନ ହସ୍ପିଟାଲ କର୍ତ୍ତୃପକ୍ଷ।

ଗତକାଲି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ରାଜ୍ୟବ୍ୟାପୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମା ମୁତାବକ ରାଜ୍ୟର ବିଭିନ୍ନ ସରକାରୀ, ବେସରକାରୀ ଅଟ୍ଟାଳିକା ସମେତ ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ ୨୦୧୭ କିଭଳି ପାଳନ ହେଉଛି ତାହା ଯାଞ୍ଚ କରିବାକୁ କୁହାଯାଇଛି। ଏହାସହ ବିଭିନ୍ନ ସହରର ପ୍ରମୁଖ ବଜାର, ହାଟ ଭଳି ନିୟମିତ ଗହଳି ହେଉଥିବା ସ୍ଥାନରେ ଯାଞ୍ଚ ମଧ୍ୟ କରାଯିବ। ସମସ୍ତ ରେଞ୍ଜ ଅଗ୍ନିଶମ ଅଧିକାରୀ, ଅତିରିକ୍ତ ଓ ଉପ ଅଗ୍ନିଶମ ଅଧିକାରୀମାନେ ଯୁଦ୍ଧକାଳୀନ ଭିତିରେ ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ଵ୍ୟଵସ୍ଥାରେ ସାମାନ୍ୟ ଢିଲାପଣ ଦେଖିବାକୁ ମିଳିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର