କଟକ: ଶେଷରେ ଏସ୍ସିବି ସଂପ୍ରସାରଣ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୫/୧୬ବର୍ଷ ହେଲା ତାଲା ପଡିଥିବା ଏସ୍ସିବି ଚକ୍ଷୁ ମୋବାଇଲ ୟୁନିଟ୍ର ଘର। ଏଥିରେ ଥିବା ଲକ୍ଷାଧିକ ଟଙ୍କାର ପୁରୁଣା ସାମଗ୍ରୀକୁ ସବୁ ଏସ୍ସିବି ଷ୍ଟୋରକୁ ହସ୍ତାନ୍ତର କରାଯାଇଥିବାବେଳେ ଏହି ଘରକୁ ଉଚ୍ଛେଦ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏସ୍ସିବି ଚକ୍ଷୁ ମୋବାଇଲ ୟୁନିଟ୍ର ୧୫ ଲକ୍ଷରୁ ଅଧିକ ଟଙ୍କା ସାମଗ୍ରୀ ୧୫/୧୬ ବର୍ଷ ତଳୁ ଉଭାନ୍ ହୋଇଗଲାଣି। ଏହାକୁ ନେଇ ଅଭିଯୋଗ ହୋଇଥିଲେ ବି ଏଯାବତ୍ କିଛି ଫଳ ମିଳିଲାନି। ଏପରିକି ରାସ୍ତା ସଂପ୍ରସାରଣ ପାଇଁ ଏହାକୁ ଉଚ୍ଛେଦ କରାଯିବା ପାଇଁ ନୋଟିସ୍ ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେହି ଏହାକୁ ଉଚ୍ଛେଦ ପାଇଁ ସାହସ କରି ପାରୁନଥିଲେ। ଏସ୍ସିବି ଅଧୀକ୍ଷକଙ୍କ ଅଫିସ୍ ପାଖରେ ଦୀର୍ଘ ୧୫/୧୬ ବର୍ଷ ହେଲା ତାଲା ବନ୍ଦ ହୋଇ ରହିଥିଲା ଏହି ମୋବାଇଲ ଚକ୍ଷୁ ୟୁନିଟ୍। ଯାହାର ଦାୟିତ୍ବରେ ଥିବା କର୍ମଚାରୀ ଏହାକୁ ହସ୍ତାନ୍ତର କରୁ ନଥିବାବେଳେ ଏହି କୋଠରୀ ତାଲା ବନ୍ଦ ହୋଇ ପଡି ରହିଥିଲା। ତେବେ ଆଜି ମାଜିଷ୍ଟ୍ରେଟ୍ ତଥା ଏସିପି ଅଜୟ କୁମାର ଦାସ, ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍, ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର, କିରାଣୀ ଜୟଦେବ ଦାସ, ଷ୍ଟୋର ଅଫିସର ସୁଧାଂଶୁ ମିଶ୍ରଙ୍କ ଉପସ୍ଥିତିରେ ଏହାର ତାଲା ଭଙ୍ଗାଯିବା ସହ ସମସ୍ତ ପୁରୁଣା ସାମଗ୍ରୀକୁ ଷ୍ଟୋରକୁ ସ୍ଥାନାନ୍ତର କରାଯାଇଥିଲା।
ଏହାପରେ ଏହି ଘରକୁ ଭଙ୍ଗାଯାଇଥିବା ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଏକ ପୁରୁଣା ଚା’ ଦୋକାନକୁ ମଧ୍ୟ ଆଜି ଉଚ୍ଛେଦ କରାଯାଇଛି। ତଥ୍ୟ ଅନୁଯାୟୀ ୧୫/୧୬ର୍ଷ ତଳେ ଚକ୍ଷୁ ବିଭାଗରେ କାର୍ଯ୍ୟ କରୁଥିବା କିରାଣୀ ସେହି ସମୟରୁ ‘ଚକ୍ଷୁ ମୋବାଇଲ ୟୁନିଟ୍’ର ୧୫ଲକ୍ଷରୁ ଅଧିକ ଟଙ୍କାର ସରଞ୍ଜାମ ବିକ୍ରି କରି ଦେଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏପରିକି ଚକ୍ଷୁ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର ହୋଇ ସାରିଥିଲେ ବି ଆଜି ପର୍ଯ୍ୟନ୍ତ ସେ ଏହି ବିଭାଗର ଚାର୍ଜ ଦେଉ ନଥିବା ସଂପର୍କରେ ବିଭିନ୍ନ ଫରୋମରେ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା।