କଟକ: ଗତକାଲି ପୂର୍ବାହ୍ନରେ ପୌର ନିଗମ ମେୟର୍ ଓ କମିସନର୍ ବାଦାମବାଡ଼ି ବସ୍ଷ୍ଟାଣ୍ଡର ବିପର୍ଯ୍ୟସ୍ତ ଅବସ୍ଥା ବୁଲି ଦେଖିବା ପେର ଗତକାଲି ରାତିରୁ ଅନୁଗୁଳ, ଭୁବନେଶ୍ବର(ମାଷ୍ଟରକ୍ୟାଣ୍ଟିନ୍) ଓ ପୁରୀ ଷ୍ଟାଣ୍ଡରୁ କାଦୁଅ ଉଠାଯାଇଥିଲା। ଏହାସହ ବାଦାମବାଡ଼ିରୁ ପାଲାମଣ୍ଡପ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଉଭୟପାର୍ଶ୍ବ ଡ୍ରେନ୍ ଉପରୁ ଆଜି ସକାଳୁ ଜବରଦଖଲ ଉଚ୍ଛେଦ କାମ କରାଯାଇଥିଲା। ଶେଷରେ, ଆଜି ରାତିରେ ମେୟର୍ ସୁବାସ ସିଂହ ବସ୍ଷ୍ଟାଣ୍ଡ୍ରେ ଛିଡ଼ା ହୋଇ ଅନୁଗୁଳ ଓ ମାଷ୍ଟରକ୍ୟାଣ୍ଟିନ୍ ଷ୍ଟାଣ୍ଡରେ ବଜୁରି ଗୁଣ୍ଡ ପକାଇ ସମତଳ କରାଇଛନ୍ତି। ସକାଳ ୯ରୁ ଅପରାହ୍ନ ୧ଟା ମଧ୍ୟରେ ନିଗମର ଏନ୍ଫୋର୍ସ ଟିମ୍ ଓ ବାଦାମବାଡ଼ି ପୁଲିସର ମିଳିତ ସହଯୋଗରେ ବାଦାମବାଡିରୁ ପାଲାମଣ୍ଡପ ପର୍ଯ୍ୟନ୍ତ ରାସ୍ତା ଉଭୟପାର୍ଶ୍ବର ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏଥିରେ ୩୦ରୁ ଅଧିକ କ୍ୟାବିନ୍ ସହିତ ଜରି ଓ ପାଲ ତଳେ ଦୋକାନ କରିଥିବା ୬୦ରୁ ଅଧିକ ଦୋକାନୀଙ୍କୁ ଉଠାଯାଇଛି। ଦୋକାନ ଉଚ୍ଛେଦ ହେବା ପରେ ଡ୍ରେନ୍ଗୁଡିକ ଆବର୍ଜନା ଓ ପଙ୍କରେ ଭରି ରହିଥିବା ଦେଖିବାକୁ ମିଳିଛି।
ସେଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୌର ନିଗମ ତରଫରୁ ସଫା କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ ଅନୁଗୁଳ ଓ ପୁରୀ ଷ୍ଟାଣ୍ଡ୍ରୁ ମାଟି ଉଠିଥିବା ବେଳେ ଆଜି ରାତିରେ ଏଠାରେ ବଜୁରି ପଡ଼ିବ ବୋଲି ମେୟର ସୁବାସ ସିଂହ ଦିନ ୧୧ଟାରେ ଷ୍ଟାଣ୍ଡ ପରିଦର୍ଶନରେ ଆସି ବସ୍ ମାଲିକଙ୍କୁ କହିବା ସହ ଷ୍ଟାଣ୍ଡକୁ ଖାଲି ରଖିବାକୁ କହିଥିଲେ। ମାତ୍ର ରାତି ୧୦ଟାରେ କାମ କରିବାକୁ ଆସିବା ସମୟରେ ସବୁ ଷ୍ଟାଣ୍ଡରେ ବସ୍ ଥିବା ଦେଖି ମେୟର ଅସନ୍ତୋଷ ପ୍ରକାଶ କରିବା ସହ ଗାଡ଼ିଗୁଡ଼ିକ ଖାଲି କରିବାକୁ କହିଥିଲେ। ଷ୍ଟାଣ୍ଡରୁ ଗାଡ଼ିଗୁଡ଼ିକ ଖାଲି ହେବା ପରେ ଷ୍ଟାଣ୍ଡ୍ରେ ବଜୁରି ଗୁଣ୍ଡ ଓ କୋଇଲା ଗୁଣ୍ଡ ପଡ଼ି ସମତଳ କରାଯାଇଥିଲା। ଏଥିରେ ମେୟରଙ୍କ ସହିତ ନିଗମର ଅଧିକାରୀ ଓ ଇଂଜିନୟର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/BADAMBADI-3.jpg)