ଜବରଦଖଲ ଉଚ୍ଛେଦ ଅଭିଯାନକୁ ନେଇ ହଟଚମଟ: କମିସନର୍‌ଙ୍କୁ ଚିଠି; ଉଚ୍ଛେଦ ଉପରେ ରହିଛି ସୁପ୍ରିମ୍‌କୋର୍ଟଙ୍କ ଅଙ୍କୁଶ

କଟକ: କଟକ ପୌର ନିଗମ ପକ୍ଷରୁ ସହରରେ ଜବରଦଖଲ ହଟାଅ ଅଭିଯାନକୁ ନେଇ ଏବେ ଆରମ୍ଭ ହୋଇଛି ହଟଚମଟ। ଗଲା ୧୬ ତାରିଖରେ ବିଭିନ୍ନ ଅଞ୍ଚଳରୁ ଜବରଦଖଲ ହଟାଇବା ପାଇଁ କଟକ ପୌର ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି ସହିତ ମାଇକ ଯୋଗେ ପ୍ରଚାର କରାଯିବା ପରେ ଏହାକୁ ନେଇ ଏବେ ସ୍ଥିତି ମୁହାଁମୁହିଁ ହେବାକୁ ଯାଉଛି। ଏହି ଉଚ୍ଛେଦ ଅଭିଯାନରେ ବିଭିନ୍ନ ଅଞ୍ଚଳରେ ଥିବା ବସ୍ତିବାସିନ୍ଦା ବଳି ପଡ଼ିବାକୁ ଥିବା ବେଳେ ଏହା ସଂପୂର୍ଣ୍ଣ ବେଆଇନ ବୋଲି ଗୋଟିଏ ପଟେ ଯୁକ୍ତି ହେଉଥିବା ବେଳେ ଅନ୍ୟପଟେ ଥଇଥାନ ଅଥବା ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ହଟାଯିବ ନାହିଁ ବରଂ ସେଠାରେ ପରବର୍ତ୍ତି ସମୟରେ ଦଲାଲଙ୍କ ଜରିଆରେ ଜବରଦଖଲରେ ଥିବା ଲୋକଙ୍କୁ ଉଚ୍ଛେଦ କରାଯିବ ବୋଲି ପୌର ନିଗମ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ସିଏମସିର ଜବରଦଖଲ ଅଭିଯାନ କେଉଁ ଦିଗକୁ ଯିବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ପୌର ନିଗମ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସହରର ପୋତାପୋଖରୀ ଅଞ୍ଚଳ, ଧବଳେଶ୍ବର ଗଡା, କାଠଯୋଡ଼ି ବିହାର, ଇପ୍‌ସାର କଲେଜ ଗଡା, ଟାଉନ୍‌ହଲରୁ ଦରଘାବଜାର ଥାନା, ଚୂନଭାଟି ଗଳି ଆଦି ବିଭିନ୍ନ ବସ୍ତି ଅଞ୍ଚଳରେ ଉଚ୍ଛେଦ କରାଯିବ। ଆସନ୍ତା ୨୨ ଓ ୨୩ ତାରିଖରେ ଧବଳେଶ୍ବର ଗଡା, ୨୬ ଓ ୨୭ ତାରିଖରେ ସିଡିଏ କାଠଯୋଡି ଗଡା, ୨୮ ଓ ୨୯ ତାରିଖରେ ଇପ୍‌ସାର କଲେଜ ଗଡା ବସ୍ତିରେ ଉଚ୍ଛେଦ କରାଯିବ। ଏଥିପାଇଁ ପୌର ନିଗମ ପକ୍ଷରୁ ଆବଶ୍ୟକ ପୁଲିସ ସହାୟତା ବି ଲୋଡ଼ା ଯାଇଛି। କିନ୍ତୁ ବିନା ଥଇଥାନରେ ବସ୍ତିରେ ଉଚ୍ଛେଦ ସଂପୂର୍ଣ୍ଣ ବେଆଇନ ଏବଂ ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରହିଥିବା ନିର୍ଦ୍ଦେଶ ଆଧାରରେ ଆଜି ସିଏମସି କମିସନରଙ୍କୁ ଚିଠି ଲେଖିଛନ୍ତି କରୁଣାକର ରଥ। ଚିଠିରେ ରହିଥିବା ଉଲ୍ଲେଖ ଅନୁଯାୟୀ ୨୦୧୦ରୁ ସୁପ୍ରିମକୋର୍ଟରେ ଏହି ମାମଲା ଗଡି ଆସୁଛି। କାଠଯୋଡ଼ି ବିହାର ବସ୍ତି ସମେତ ସହରର ୧୧ଟି ବସ୍ତିରେ ଉଚ୍ଛେଦ ଉପରେ ରହିତାଦେଶ ରହିଛି। ୨୦୧୧, ଅଗଷ୍ଟ ୯ରେ ସୁ୍ପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଏହି ମୂଳ ମାମଲା ସଂପୂର୍ଣ୍ଣ ଫଇସଲା ନ ହେବା ପର୍ଯ୍ୟନ୍ତ କୌଣସି ବସ୍ତି ଉଚ୍ଛେଦ ହୋଇ ପାରିବ ନାହିଁ। ତେଣୁ ଯଦି ବସ୍ତି ଉଚ୍ଛେଦ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଏ ତେବେ ତାହା ଉଦ୍ଦେଶ୍ୟମୂଳକ ଭାବେ ଅଦାଲତ ଅବମାନନା ଭାବେ ବିବେଚନା କରାଯିବ ବୋଲି ଚିଠିରେ ଏକପ୍ରକାର ଚେତାବନୀ ଦିଆଯାଇଛି। ଏହି ଚିଠିର ନକଲ ମେୟର, ଜିଲ୍ଲାପାଳ, କଟକ ଡିସିପିଙ୍କୁ ମଧ୍ୟ ଦିଆଯାଇଛି।
ଗୋଟିଏ ପଟେ କମିସନରଙ୍କୁ ଏ ପ୍ରକାର ଚିଠି ଦିଆଯାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ବସ୍ତିବାସିନ୍ଦା ଆଜି ନ୍ୟାୟ ପାଇଁ ବିଭିନ୍ନ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କୁ ଥଇଥାନ ନ କରାଯାଇ କିଭଳି ଉଚ୍ଛେଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି। ଏମିତିକି ବିଭିନ୍ନ ବସ୍ତିରେ ଦୀପଦାନ, ପୂଜାପାଠ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଆଜି ବସ୍ତି ସୁରକ୍ଷା ପାଇଁ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ବହୁ ବରିଷ୍ଠ ବିଜେଡି ନେତା ବି ବସ୍ତିବାସିନ୍ଦାଙ୍କ ସହ ସାମିଲ ହୋଇଥିଲେ। ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ଧର୍ମେଶ ନାୟକ, ମହମ୍ମଦ ସକିଲଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେମାନଙ୍କୁ ପୂର୍ବରୁ ସୁରକ୍ଷା ଦେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଫଟୋ ରଖି ବସ୍ତିବାସିନ୍ଦା ଓ ବିଜେଡି ନେତାମ‌ାନେ ନାରା ଦେଇଥିଲେ। ଏଭଳି ସ୍ଥିତିରେ ଆଜି ଧବଳେଶ୍ୱରଗଡ଼ା ବସ୍ତିର ଲୋକ ମେୟର ସୁବାସ ସିଂହଙ୍କୁ ଭେଟି ଆଲୋଚନା କରିଥିଲେ। ମେୟର ସୁବାସ ସିଂହ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ‌ଅନୁଯାୟୀ କୌଣସି ସ୍ଥାନରେ ପୁରୁଣା ବସ୍ତି ଭଙ୍ଗାଯିବ ନାହିଁ। ସେହି ବସ୍ତି ନିକଟରେ ଦଲାଲଙ୍କ ଜରିଆରେ ଜବରଦଖଲରେ ନିର୍ମାଣ କରାଯାଇଥିବା କୋଠାଘରଗୁଡ଼ିକ ଭାଂଗି ସେହି ସ୍ଥାନରେ ଖାନ୍‌ନଗର ବସ୍ତି ଏବଂ ତେଲେଙ୍ଗାବଜାର ବସ୍ତି ଲୋକଙ୍କୁ ଥଇଥାନ କରାଯିବ। ନିଗମ ନିକଟରେ ବିଭିନ୍ନ ବସ୍ତିର ବସ୍ତିବାସିନ୍ଦାଙ୍କ ତାଲିକା ରହିଛି। ଯେଉଁମାନଙ୍କ ନାମ ଉକ୍ତ ତାଲିକାରେ ନଥିବ ସେମାନଙ୍କୁ ଉଚ୍ଛେଦ କରାଯିବ। ବସ୍ତିରେ ନିଗମ ଅଜଣାତରେ ଗଢି ଉଠିଥିବା ଘର ଉଚ୍ଛେଦ କରାଯିବା ସହ ଯେଉଁମାନେ ବସ୍ତିର ରାସ୍ତା ଓ ଡ୍ରେନ୍‌କୁ ଅବରୋଧ କରି ଘର ନିର୍ମାଣ କରିଛନ୍ତି ସେମାନଙ୍କ ଘରକୁ ମଧ୍ୟ ଭଙ୍ଗାଯିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ବସ୍ତିର ମୂଳ ବାସିନ୍ଦା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଚିନ୍ତିତ ହେବାର କାରଣ ନାହିଁ ବୋଲି ନିଗମ ତରଫରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଯେ ବହୁବର୍ଷ ପୂର୍ବରୁ ବଡମେଡିକାଲ ରାଣୀହାଟ ନିକଟରେ ଥିବା ବସ୍ତିକୁ ଉଠାଇ ସିଏମ୍‌ସି ଧବଳେଶ୍ୱର ଗଡ଼ା ନିକଟରେ ସେମାନଙ୍କୁ ଥଇଥାନ କରିଥିଲା। ସେହିଦିନଠାରୁ ସେମାନେ ସେଠାରେ ରହି ଆସୁଛନ୍ତି। ଏବେ କିନ୍ତୁ କିଛି ପ୍ରଭାବଶାଳୀ ଲୋକ ବସ୍ତି ନିକଟରେ ଥିବା ଖାଲି ଜାଗାରେ କଂକ୍ରିଟ୍‌ ଘର ତିଆରି କରୁଥିବା ଜଣାପଡ଼ିବା ପରେ ସେଗୁଡିକୁ ଭାଙ୍ଗିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର