ପୂର୍ବତନ କର୍ପୋରେଟର୍‌ଙ୍କ ସ୍ବାମୀ ଗିରଫ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ କମିସନରଙ୍କୁ ପରାମର୍ଶ ଦେଇଥି‌ଲି: ପୂର୍ବତନ ବିଧାୟକ

ନିର୍ବାଚନ ପୂର୍ବରୁ ୫୩ ନମ୍ବର ୱାର୍ଡରେ ଅକଳରେ ବିଜେଡି

କଟକ: ବିଜେଡିର ପୂର୍ବତନ କର୍ପୋରେଟର ରଂଜିତା କରଣଙ୍କ ସ୍ବାମୀ ରାଜା କରଣ ଗିରଫ ହେବା ଘଟଣା ଅଞ୍ଚଳରେ ବିଜେଡି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଥିବା ବେଳେ ୫୩ ନମ୍ବର ୱାର୍ଡରେ ବିଜେଡିର ନେତୃତ୍ବ ନେଉଥିବା ପୂର୍ବତନ କର୍ପୋରେଟର ରଂଜିତା କରଣ ଓ ତାଙ୍କ ସ୍ବାମୀ ରାଜା କରଣ ଏଭଳି ବିବାଦରେ ଫସିବା ଘଟଣା ଦଳ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ମହାନଗର ନିଗମ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାରେ ରଂଜିତା କରଣଙ୍କୁ ବି ଦଳ ପକ୍ଷରୁ ବିଭିନ୍ନ ଦାୟିତ୍ବ ଦିଆଯାଇଥିଲା। ନିର୍ବାଚନ କମିଟି ଓ ୫୪ ନମ୍ବର ୱାର୍ଡର ସଂଯୋଜକ ଭାବେ ଚୟନ କରାଯାଇଥିଲା। ଏଭଳି ସ୍ଥିତିରେ ଦଳ ଏବେ ନୂଆ ପ୍ରାର୍ଥୀ ଚୟନ କଲେ ବି ଏହି ଦୁର୍ନୀତି ଅଭିଯୋଗରୁ କେତେ ନିଜକୁ ଅଲଗା କରି ପାରିବ, ତାହା ଆଲୋଚନାର ପ୍ରସଙ୍ଗ ହୋଇଛି। ବିଜେପି ଓ ଅନ୍ୟ ସଂଗଠନ ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଏମିତିକି ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି। ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କ ହାତରେ ଏହା ଏକ ବଡ଼ ପ୍ରସଙ୍ଗ ଧରାଇ ଦେଇଛି।

ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କହିଛନ୍ତି ଯେ ପ୍ରାୟ ୪ ମାସ ତଳେ ସେ ଏ ସଂପର୍କରେ ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ସିଏମ୍‌ସି କମିସନରଙ୍କୁ ଅବଗତ କରିଥିଲେ। ଏହାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସେତେବେଳେ ବି ସିଏମ୍‌ସି କମିସନର ଅଭିଯୋଗ ପାଇଛନ୍ତି ଏବଂ ତଥ୍ୟ ପ୍ରମାଣ ଆଧାରରେ ପଦକ୍ଷେପ ନେବେ ବୋଲି କହିଥିଲେ। ସିଏମ୍‌ସି ଓ ପୁଲିସ ମିଳିତ ଭାବେ ଏ ଦିଗରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ବିଜେଡି ସରକାରରେ ଦୁର୍ନୀତିକୁ ‌କେବେ ପ୍ରଶ୍ରୟ ଦିଆଯାଇ ନାହିଁ। ଆଇନର ବ୍ୟବସ୍ଥା ଅନୁଯାୟୀ ନିଶ୍ଚୟ ଦୃଢ ପଦକ୍ଷେପ ନିଆଯିବ। ସେ ନିଜେ ବି କେବେ ଦୁର୍ନୀତିକୁ ପ୍ରଶ୍ରୟ ଦେଇ ନାହାନ୍ତି। ତାଙ୍କ ବିରୋଧରେ ପୂର୍ବରୁ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ବି ଲୋକଙ୍କ ଆଗରେ ଧୀରେଧୀରେ ସ୍ପଷ୍ଟ ହେଉଛି। ଆଇନ ଅଦାଲତ ଉପରେ ତାଙ୍କର ଦୃଢ ବିଶ୍ବାସ ରହିଛି। ତାଙ୍କର ସ୍ବଚ୍ଛତା ପ୍ରମାଣିତ ହେବ, ସତ୍ୟର ସବୁ ବେଳେ ଜୟ ହେବ ସେ ବିଶ୍ବାସ ରହିଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର