ଭିଜିଲାନ୍ସ ଅଦାଲତରେ ପୂର୍ବତନ ଓଏଏସ୍‌ ଅଧିକାରୀ ଦୋଷୀ ସାବ୍ୟସ୍ତ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା

କଟକ : ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାର ଶୁଣାଣି କରି ସାଧାରଣ ପ୍ରଶାସନ ବିଭାଗର ପୂର୍ବତନ ଯୁଗ୍ମସଚିବ ସନ୍ତୋଷ କୁମାର ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶ୍ରୀ ଦାସଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜରିମାନା ରାଶି ନ ଦେଲେ ତାଙ୍କୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ। ୯ ଲକ୍ଷ ୫୩ ହଜାର ୫୭ ଟଙ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ, ବରିଷ୍ଠ ଓଏଏସ୍‌ ଅଫିସର ଶ୍ରୀ ଦାସଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ହେବା ପରେ ୨୦୦୧, ଡିସେମ୍ବର ୧ରେ ତାଙ୍କ ଭୁବନେଶ୍ୱର ୟୁନିଟ-୧ସ୍ଥିତ ସରକାରୀ କ୍ୱାର୍ଟର, ଯାଜପୁର ଜିଲ୍ଲା ସଦାଶିବପୁରସ୍ଥିତ ପୈତୃକ ଘର, ସାଧାରଣ ପ୍ରଶାସନ ବିଭାଗରେ ଥିବା ତାଙ୍କ ପ୍ରକୋଷ୍ଠ, ନାଗେଶ୍ୱର ଟାଙ୍ଗୀରେ ଥିବା ଦୁଇ ମହଲା ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା। ଏ ନେଇ ଭିଜିଲାନ୍ସ ୨୦୦୨, ଜାନୁଆରି ୫ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ଇ)ରେ ମାମଲା ରୁଜୁ କରିଥିଲା। ଶ୍ରୀ ଦାସଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା। ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ସୁମନ୍ତ କୁମାର ମହାପାତ୍ର ଘଟଣାର ତଦନ୍ତ କରିଥିଲେ। ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ସୁନିଲ କୁମାର ପତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର