ବଡ଼ ଡାକ୍ତରଖାନାରେ ଗଦା ହୋଇଛି ପେଟି ପେଟି ଔଷଧ: କର୍ତ୍ତୃପକ୍ଷ କହିଲେ ସବୁ ଏକ୍ସପାରି

କଟକ: ଏସ୍‌ସିବିରେ ଗଦା ହୋଇ ପଡ଼ିଛି ପେଟି ପେଟି ଔଷଧ। କେଉଁ ଔଷଧ ଅଧା ଖୋଲା ହୋଇ ପଡ଼ିଛି ତ ପୁଣି କାହାର ପେଟି ସବୁ ଫାଟି ଗଲାଣି। ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ନିରାମୟ ଏବଂ ବିଏସ୍‌କେୱାଇ ଯୋଜନାରେ ଆସିଥିବା ଔଷଧ ରୋଗୀଙ୍କୁ ବଣ୍ଟନ ନହୋଇ ଏଭଳି ନଷ୍ଟ ହେଉଛି। ଏଭଳି ଢଙ୍ଗରେ ଲକ୍ଷାଧିକ ଟଙ୍କ‌ାର ଔଷଧର ଏକ୍ସପାରି ତାରିଖ ଚାଲିଗଲାଣି। ଯଦି ଏହି ଔଷଧର ଆବଶ୍ୟକତା ନଥିଲା ତାହେଲେ ତାକୁ ଯୋଗାଣ ହୋଇଥିଲା କଣ ପାଇଁ ବୋଲି ଏବେ ପ୍ରଶ୍ନ ଉଠୁଛି। ଏପଟେ କରୋନା ପାଇଁ ରୋଗୀ ସଂଖ୍ୟା କମିବାରୁ ଔଷଧ ଏଭଳି ଏକ୍ସପାରି ହୋଇଯାଇଥିବା ଏସ୍‌ସିବିର ଷ୍ଟୋର ମେଡିସିନ୍‌ ଦାୟିତ୍ବରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ଡାକ୍ତରଖାନାକୁ ନିରାମୟ ଓ ବିଏସ୍‌କେୱାଇ ଯୋଜନାରେ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ଔଷଧ ଯୋଗାଣ ହୋଇଥାଏ। ତେବେ ଏସ୍‌ସିବିକୁ ଆସୁଥିବା ଔଷଧ ମଧ୍ୟରୁ ପ୍ରତିବର୍ଷ ପେଟି ପେଟି ଔଷଧ ବ୍ୟବହାର ନହୋଇ ଖତ ଖାଉଛି।

ମେଡିକାଲ ଷ୍ଟୋର ପକ୍ଷରୁ ପ୍ରତି ତିନି ମାସ‌ରେ କେଉଁ କେଉଁ ଔଷଧର ଏକ୍ସପାରି ବା ଅବଧି ତାରିଖ ସରିବାକୁ ବସୁଛି, ତାର ତାଲିକା ପ୍ରସ୍ତୁତ କରାଯାଇ ସବୁ ବିଭାଗକୁ ପଠାଯାଉଥିଲା। ସେହି ଔଷଧର ଆଗ ଚିଠା ଲେଖିବାକୁ ଡାକ୍ତରଙ୍କୁ ଦିଆଯାଉ ଥିଲା। କିନ୍ତୁ ସେଥିରେ କୗଣସି ସୁଫଳ ନ ମିଳି ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇଥିବା ବେଳେ ଏପଟେ ଔଷଧ ନଥିବାରୁ ସ୍ବୀକୃତିପ୍ରାପ୍ତ ଦୋକାନରୁ ଦାମୀ ଔଷଧ ସବୁ ବିଏସ୍‌କେୱାଇରେ କିଣାଯାଉଛି। ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ଔଷଧ ଠିକ୍‌ ଭାବରେ ଆସୁ ନଥିବା ଦର୍ଶାଯାଇ ଏଭଳି ବାହାରୁ କିଣାଯାଉଛି ଔଷଧ। ଏସ୍‌ସିବି ଷ୍ଟୋର ଟେକ୍ନିକାଲ ଅଫିସର କହିବା ଅନୁଯାୟୀ କରୋନା ସମୟରେ ରୋଗୀ ସଂଖ୍ୟା ହ୍ରାସ ପାଇବାରୁ ଔଷଧ ବ୍ୟବହାର ନ ହୋଇ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏସବୁ ଔଷଧ ୱେୟାର ହାଉସ୍‌ର ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପଟେ ଏ ସଂପର୍କରେ ‌ୱେୟାର ହାଉସ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଯାହା ଔଷଧ ଆସିଛି, ସେସବୁକୁ ଏସ୍‌ସିବିକୁ ଦେଇଛୁ। ତାଙ୍କ ପାଖରେ କେତେ ଔଷଧ ଏକ୍ସପାରି ହେଲା, ତାର ତଥ୍ୟ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର