କଟକ: କରୋନା ମହାମାରୀରେ ଗୁରୁତ୍ବ ହରାଇଛି ପୂର୍ବଭାରତର ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ର। ଏସ୍ସିବି ମେଡିକାଲ୍ର ଏକ ଗୁରୁତ୍ବପୂର୍ଣ୍ଣ ଅଂଶଭାବେ ସାରା ଭାରତରେ ମାନ୍ୟତା ପାଇଥିବା ଏହି ଚକ୍ଷୁ ବିଭାଗର ସ୍ଥିତି ଏବେ ଗୌଣ ହୋଇଯାଇଛି। ବିଭାଗ ଉପରେ କୋଭିଡ୍ ଆଇସୋଲେସନ୍ ୱାର୍ଡ ଖୋଲାଯାଇଥିବାରୁ ଚକ୍ଷୁ ରୋଗୀଙ୍କ ପାଇଁ ଭୟ ବଢିଯାଇଛି।
ଏମିତିକି ବିଭାଗର ଓଟି, ୱାର୍ଡ, କ୍ୟାବିନ୍ ଉପରେ ଏବେ ଆଇସୋଲେସନ୍ ସେଣ୍ଟର କବ୍ଜା ହୋଇଯାଇଛି। ଏପରିକି ସଂକ୍ରମଣ ଆଶଙ୍କା ଥିବାରୁ ଭିନ୍ନକ୍ଷମ ପରୀକ୍ଷା ଓ ଡାର୍କ ରୁମ୍କୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।
ପୂର୍ବରୁ ଚକ୍ଷୁ ବିଭାଗକୁ ଦୈନିକ ହାରାହାରି ୫୦୦ ରୋଗୀ ଆସୁଥିଲେ ବି ଏବେ ୫୦ଜଣ ରୋଗୀ ଆସିବା କଷ୍ଟକର ହୋଇପଡ଼ୁଛି। ଯାହାଫଳରେ ବିଭାଗରେ ଅଭ୍ୟାସ କରୁଥିବା ୩୦ଜଣ ପିଜି ଡାକ୍ତରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଥିବା କୁହାଯାଉଛି। କେବଳ ତଳ ମହଲାରେ ବିଭାଗର ଓପିଡି ଚାଲୁଥିବାରୁ ପିଜି ଡାକ୍ତରମାନେ ସେହିଠାରେ ହିଁ ଶିକ୍ଷାଲାଭ କରିବାର ସୁଯୋଗ ରହିଛି।
/sambad/media/post_attachments/wp-content/uploads/2020/10/scb-eye-dept_6.jpg)
ହେଲେ ୫୦ ରୋଗୀଙ୍କ ଭିତରୁ ସେମାନେ କ'ଣ ଶିକ୍ଷାଲାଭ କରିବେ ତାହା ସ୍ପଷ୍ଟଭାବେ ଅନୁମାନ କରାଯାଇପାରେ। କେବଳ ଏତିକି ନୁହେଁ, ଓଟି, ଡାର୍କରୁମ୍ ବନ୍ଦ ହୋଇଯାଇଥିବାରୁ ସର୍ଜରୀ ଜନିତ ଶିକ୍ଷାରୁ ଏହି ଡାକ୍ତରମାନେ ବଞ୍ଚିତ ହେଉଛନ୍ତି। ଏପରିକି ଏହା ଏମ୍ସିଆଇ ନିୟମାବଳୀର ବିରୁଦ୍ଧାଚରଣ କରୁଥବା ବିଭାଗୀୟ କନିଷ୍ଠ ଡାକ୍ତରମାନେ ଅଭିଯୋଗ କରିଛନ୍ତି।
କରୋନା ଆକ୍ରାନ୍ତଙ୍କୁ ବିଭାଗର ପଛପଟ ଦ୍ବାରବାଟେ ଆଇସୋଲେସନ୍କୁ ନେବା ପାଇଁ ନିର୍ଦ୍ଦେଶ ରହିଥିଲା। ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ କିଛିଦିନ ପଛ ଦ୍ବାର ଦେଇ ଲିଫ୍ଟରେ ଉପରକୁ ଯାଉଥିଲା। କିନ୍ତୁ ଲିଫ୍ଟ ଖରାପ ହେବାରୁ ପଛପଟେ ସିଲିଣ୍ଡର ବୋହି କି ନେବାରେ ଅସୁବିଧା ହୋଇଥିଲା। ତେଣୁ ସାମ୍ନା ଦ୍ବାର ଦେଇ ସିଲିଣ୍ଡର ଆଣିବାକୁ ଚକ୍ଷୁ ବିଭାଗର ପରାମର୍ଶ ଲୋଡାଯାଇଥିଲା।
କିନ୍ତୁ କରୋନା ସହ ଜଡ଼ିତ ସାମଗ୍ରୀ ନେବା ଆଣିବା କଲେ ଚକ୍ଷୁ ବିଭାଗରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ ଥିବାରୁ ସକାଳ ୯ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୫ଟା ପରେ ସିଲିଣ୍ଡର ନେବାକୁ ଅନୁମତି ଦିଆଯାଇଥିଲା। ହେଲେ ସଂପୃକ୍ତ କର୍ମଚାରୀମାନେ ଦିନ ୧୨ଟା ପର୍ଯ୍ୟନ୍ତ ମୁଖ୍ୟ ଦ୍ବାରବାଟ ଦେଇ ସିଲିଣ୍ଡର ବୋହୁଛନ୍ତି।
କିଛିଦିନ ତଳେ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତି ବୈଠକରେ ଚକ୍ଷୁ ବିଭାଗ ପକ୍ଷରୁ ଏହାର ବିରୋଧ କରାଯାଇଥିବା ସତ୍ତ୍ବେ ଏହାର ସମାଧାନ ବାଟ ବାହାର କରାଗଲା ନାହିଁ। ଏପରିକି ମେଡିକାଲ୍ର ଲିଫ୍ଟ ପରିଚାଳନା ଓ ମରାମତି ପାଇଁ କର୍ମଚାରୀ ଥିଲେ ବି ଲିଫ୍ଟ କାର୍ଯ୍ୟକ୍ଷମ କରାଯାଉନଥିବା ଅଭିଯୋଗ ହୋଇଛି। ନିକଟରେ ବିଭାଗର ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର କରୋନାରେ ସଂକ୍ରମିତ ହୋଇ ହୋମ୍ ଆଇସୋଲେସନ୍ରେ ଅଛନ୍ତି। ଯଦି ବିଭାଗ ଭିତରେ କରୋନା ପରିଚାଳନା ପାଇଁ ଏଭଳି ହସ୍ତକ୍ଷେପ ଜାରିରହେ, ତା’ହେଲେ ଚକ୍ଷୁ ବିଭାଗରେ ସଂକ୍ରମଣ ବ୍ୟାପିବା ଆଉ ବେଶି ଦିନ ନୁହେଁ ବୋଲି ବିଭାଗୀୟ କର୍ମଚାରୀମାନେ କହିଛନ୍ତି।