ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ବିଷୋଦଗାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ପୂର୍ବତନ କଂଗ୍ରେସ କର୍ପୋରେଟର୍

ମୋ’ ରକ୍ତ କାନ୍ଦୁଛି, ଅନ୍ତରାତ୍ମା କାନ୍ଦୁଛି; ବିଧାୟକ ମହମ୍ମଦ ମୋକିମଙ୍କ ଚିତ୍ର, ଚରିତ୍ର ଦେଖେଇ ଦେବି

କଟକ: ‘ମୋ’ ରକ୍ତ କାନ୍ଦୁଛି, ଅନ୍ତରାତ୍ମା କାନ୍ଦୁଛି। ତମ ଚିତ୍ର, ଚରିତ୍ର ଦେଖେଇ ଦେବି। କଟକ ସହରବାସୀ ତମକୁ ଜବାବ ଦେବେ।’ ଫେସବୁକ୍ ଲାଇଭ୍‌ରେ କଟକ ମହାନଗର ନିଗମ ୧୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଅରୁଣ ସେଠୀଙ୍କ ଏଭଳି କ୍ଷୋଭ ଭରା ବୟାନ ଆଜି ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କଂଗ୍ରେସ ଦଳରେ ଥିବା ଶ୍ରୀ ସେଠୀ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କର୍ପୋରେଟର ଭାବେ କାର୍ଯ୍ୟ କରିଥିଲେ। କାଉନସିଲ୍‌ରେ ବିରୋଧୀ ଦଳ କର୍ପୋରେଟର ଭାବେ ବିଭିନ୍ନ ପ୍ରସଙ୍ଗ ଉତଥାପନ କରିବା, ଶାସକ ଦଳକୁ ଅକଳରେ ପକାଇବାରେ ଶ୍ରୀ ସେଠୀ ଆଗରେ ଥିଲେ। ସେହି ସମୟରେ କଂଗ୍ରେସର ମାତ୍ର ୯ ଜଣ କର୍ପୋରେଟର ଥିଲେ ବି ଶ୍ରୀ ସେଠୀ ହଟଚମଟ ସୃଷ୍ଟି କରିବା ସହିତ ସେତେବେଳେ ନଗର କଂଗ୍ରେସ ସଭାପତି ତଥା ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କର ଜଣେ ଦୃଢ ଅନୁଗତ ଭାବେ ଜଣାଶୁଣା ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କିଛି ମାସ ତଳେ ସେ ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୦୧୮ରେ ତାଙ୍କର ସାନ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏଭଳି ସମୟରେ ବି ସାମାନ୍ୟ ସୌଜନ୍ୟ ଓ ମାନବିକ ସମ୍ବେଦନଶୀଳତା ହରାଇ ବିଧାୟକ ଅଥବା କୌଣସି କଂଗ୍ରେସ କର୍ମୀ ତାଙ୍କ ନିକଟରେ ପହଞ୍ଚି ନଥିବାରୁ ଶ୍ରୀ ସେଠୀ ଫେସ୍ ବୁକ୍ ଲାଇଭ୍ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଶ୍ରୀ ସେଠୀ କହିଛନ୍ତି ଯେ ସେ ଦୀର୍ଘ ୩୦ ବର୍ଷ ଧରି କଂଗ୍ରେସ ସହ ସଂପୃକ୍ତ ରହି ଆସିଥିଲେ। ତାଙ୍କ ବାପା ରାଜକିଶୋର ସେଠୀ ବି କଂଗ୍ରେସର ଆଗଧାଡ଼ିର କର୍ମୀ ଭାବେ ସହରରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କର ଏଭଳି ଦୁଃଖ ସମୟରେ ବିଧାୟକ ମହମ୍ମଦ ମୋକିମ, ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା କି ଜଣେ ବି କଂଗ୍ରେସ କର୍ମୀ ଛିଡ଼ା ନହେବା ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି। ଏଭଳି ଘଟଣାରେ ତାଙ୍କୁ ଯେଉଁ ଆଘାତ ମିଳିଛି, ସେ ତାହାର ଜବାବ ଦେବେ। ବିଧାୟକଙ୍କ ମୁଖା ଖୋଲି ଦେବେ। ଲୋକଙ୍କ ପାଇଁ ରାସନ କାର୍ଡ, ଭତ୍ତା କରି ପାରୁ ନଥିବା ବିଧାୟକ ସହର ପାଇଁ ଅଧିକ କ’ଣ କରିପାରିବେ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିବା ସହିତ ବିଧାୟକ ଶ୍ରୀ ମୋକିମଙ୍କୁ ଆଗାମୀ ଦିନରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ଏହି ଫେସବୁକ୍ ଲାଇଭରେ ଶ୍ରୀ ସେଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ତାଙ୍କର ଲଢେଇ ବିଧାୟକ ମହମ୍ମଦ ମୋକିମ ଓ କଂଗ୍ରେସ ବିରୋଧରେ ହେବ ବୋଲି କହିବା ଘଟଣା ଏବେ ଚର୍ଚ୍ଚାର କାରଣ ହୋଇଛି।

ସମ୍ବନ୍ଧିତ ଖବର