ଏଥର ବିନା ଦର୍ଶକରେ ରାବଣ ପୋଡ଼ି; ଫେସ୍‌ବୁକ୍‌ ଓ ୟୁଟ୍ୟୁବରେ ହେବ ସିଧାପ୍ରସାରଣ

କଟକ: ଚଳିତ ବର୍ଷ କରୋନା ମାଡ଼ରେ କଟକ ଦଶହରା ଫିକା ପଡ଼ିବା ସହିତ ବିଭିନ୍ନ ପରଂପରା ବି ବଦଳି ଯାଇଛି। କଟକର ରାବଣ ପୋଡ଼ି ଉତ୍ସବ ବି ଭିନ୍ନ ଢଙ୍ଗରେ ଆୟୋଜନ ହେବାକୁ ଯାଉଛି। ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡ଼ି ଉତ୍ସବ ଆୟୋଜନ କରାଯିବ। କିନ୍ତୁ ବିନା ଦର୍ଶକରେ ସମସ୍ତ କାର୍ଯ୍ୟକ୍ରମ ହେବ।

ଦର୍ଶକମାନେ ସବୁ କାର୍ଯ୍ୟକ୍ରମକୁ ଅନ୍‌ଲାଇନରେ ଦେଖିବାକୁ ଆୟୋଜକମାନେ ବ୍ୟବସ୍ଥା କରିଛନ୍ତି। ବାରବାଟୀ ସର୍ବଧର୍ମ ସା˚ସ୍କୃତିକ ପରିଷଦ ନାମରେ ଏକ ଫେସ୍‌ବୁକ ପେଜ୍‌ ଓ ୟୁଟ୍ୟୁବ ପେଜ୍‌ ଖୋଲାଯାଇଥିଲା ବେଳେ ସେଥିରେ ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଦିଆଯାଇଛି।

ପରିଷଦର ଆବାହକ ଆଶୀର୍ବାଦ ବେହେରାଙ୍କ ସୂଚନା ଅନୁଯାୟୀ, ଏଥର ବଡ଼ ଆକାରରେ ଏହି ଉତ୍ସବ ପାଳନ କରିବା ଅସମ୍ଭବ ହୋଇ ପଡ଼ିଛି। ପୂର୍ବ ବର୍ଷମାନଙ୍କରେ ତଳ ବାଲିଯାତ୍ରା ପଡ଼ିଆରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା। ହେଲେ ଏଥର ସ˚କ୍ରମଣଜନିତ କାରଣ ଯୋଗୁଁ ସରକାରଙ୍କ କୋଭିଡ୍‌ କଟକଣାକୁ ମାନି ବିନା ଦର୍ଶକରେ ପରମ୍ପରା ବଜାୟ ରଖିବାକୁ ଯୋଜନା କରାଯାଇଛି। ସ˚ଧ୍ୟା ୮ଟାରୁ ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ।

ସେଥିରେ ପାରମ୍ପରିକ ନୃତ୍ୟ ସହ ଆତସବାଜି ଓ ରାବଣପୋଡ଼ି କାର୍ଯ୍ୟକ୍ରମ କରାଯିବ। ପୂର୍ବ ବର୍ଷ ତୁଳନାରେ ଏଥର ଖର୍ଚ୍ଚକୁ ମଧ୍ୟ ଅନେକ ମାତ୍ରାରେ ହ୍ରାସ କରାଯାଇଛି। ଯେଉଁଠାରେ ୫ଲକ୍ଷ ଖର୍ଚ୍ଚ ହେଉଥିଲା, ସେଠାରେ ପାଖାପାଖି ୫୦ ହଜାର ଟଙ୍କାରେ ପରମ୍ପରା ରକ୍ଷା କରିବାକୁ ପ୍ରୟାସ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର