ହଜାରେ ଦିନରେ ହଜା‌ରେ ଶିଳ୍ପ ସ୍ବପ୍ନ ଧୂଳିସାତ୍‌! ୪୦ ପ୍ରତିଶତ ସଂସ୍ଥାରେ ତାଲା

ନକଲି ସାମଗ୍ରୀର ଅମରାବତୀ ଜଗତପୁର ଶିଳ୍ପାଞ୍ଚଳ

କଟକ: ରାଜ୍ୟ ସରକାରଙ୍କ ୧୯୮୦ ଶିଳ୍ପନୀତି ପ୍ରସ୍ତାବ (ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୧୯୮୦) ଆଧାରରେ ରାଜ୍ୟରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନୂତନ ଶିଳ୍ପନୀତି ଓଡ଼ିଶାର ଶିଳ୍ପକୁ ଦେଇଥିଲା ସଂଜୀବନୀ। ହଜାରେ କୋଟି ବିନିଯୋଗ କରି ହଜାରେ ଦିନରେ ହଜାରେ ଶିଳ୍ପ ଗଢି ତୋଳିବାକୁ ସ୍ବର୍ଗତ ଜନାକୀବଲ୍ଲଭ ଯେଉଁ ଆହ୍ବାନ ଦେଇଥିଲେ ତାହା ଇତିହାସ ସୃଷ୍ଟି କରିଥିଲା। କ୍ଷୁଦ୍ର, ମଧ୍ୟମ ତଥା କୃଷି ଭିତ୍ତିକ ଶିଳ୍ପ ଗଢି ଉଠିଥିଲା। ଆତ୍ମପ୍ରକାଶ କରିଥିଲା ଜଗତପୁର ଶିଳ୍ପାଞ୍ଚଳ। ଇଡକୋ ଜରିଆରେ ଏହି ଶିଳ୍ପାଞ୍ଚଳରେ ଶିଳ୍ପ ସଂସ୍ଥାଙ୍କୁ ଜମି ଯୋଗାଇ ଦିଆ ଯାଇଥିଲା। କିନ୍ତୁ ୪୦ ବର୍ଷ ଭିତରେ ଏ ସ୍ବପ୍ନ ଏବେ ଏକପ୍ରକାର ଧୂଳିସାତ ‌ହୋଇଯାଇଛି। ଜଗତପୁର ଶିଳ୍ପାଞ୍ଚଳରେ ଦିନେ ୩୦ ହଜାର ଲୋକ କର୍ମ ନିଯୁକ୍ତି ପାଇଥିଲେ। ଏବେ ଏଠ‌ାରେ ୩ ହଜାର ଲୋକଙ୍କ ପାଇଁ ବି କାମ କରିବାର ସୁଯୋଗ ନାହିଁ। କସବୋର୍ଡ ଠାରୁ ଆରମ୍ଭ କରି ବନସ୍ପତି ଭଳି ମଧ୍ୟମ ଶିଳ୍ପରେ ତାଲା ଝୁଲୁଛି। ଶହ ଶହ ଶିଳ୍ପ ଦେବାଳିଆ ହୋଇଯାଇଛି। ଶିଳ୍ପ ସଂସ୍ଥାକୁ ଋଣ ଦେଇଥିବା ବ୍ୟାଙ୍କ ଟଙ୍କା ପାଉନି କି ଇଡକୋ ତା ଜମି ଫେରି ପାଉନି। ଶତାଧିକ ଶିଳ୍ପସଂସ୍ଥା ମାମଲାରେ ଛନ୍ଦି ହୋଇ ରହିଛନ୍ତି। ଇଡକୋର ସ୍ଥାନୀୟ ଅଧିକାରୀଙ୍କ ମତରେ ଏଠାରେ ପ୍ରାୟ ୫୦୦ ଶିଳ୍ପସଂସ୍ଥା ରହିଛି। ସେଥିରୁ ଶତକଡା ୪୦ ପ୍ରତିଶତ ଆଉ ଚାଲିପାରୁନି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଜଗତପୁରରେ ଏବେ ଚାଲୁଥିବା ଶିଳ୍ପ ସଂସ୍ଥ‌ାରେ କ’ଣ ଉତ୍ପାଦନ ହେଉଛି, ସେ ସଂପର୍କିତ କୌଣସି ନାମଫଳକ ବି ଲଗା ଯାଉନାହିଁ।

Sambad

ଜଗତପୁର ଶିଳ୍ପାଞ୍ଚଳରେ ଇଡକୋ ଜରିଆରେ ବିଭିନ୍ନ ଶିଳ୍ପସଂସ୍ଥାଙ୍କୁ ୪୨୮ ଏକର ଜମି ଲିଜ ଆକାରରେ ରିହାତି ମୂଲ୍ୟରେ ‌ଯୋଗାଇ ଦିଆଯାଇଥିଲା। କିଛି ଶିଳ୍ପ ସଂସ୍ଥା ଏଠାରେ ନିଜର ଶିଳ୍ପ ପ୍ରତିଷ୍ଠା କରି ଉତ୍ପାଦନ କରୁଥିବା ବେଳେ ଆଊ କିଛି ସଂସ୍ଥା କେବଳ ଜମି ମାଡି ବସିଛନ୍ତି। ଆଉ କିଛି ଶିଳ୍ପ ସିଜ୍ ହୋଇପଡି ରହିଛି। ଇଡକୋ ମଧ୍ୟ ଏ ଶିଳ୍ପକୁ ଫେରାଇ ଆଣିପାରୁନି। ଫଳରେ ନୂଆ ଶିଳ୍ପ ପାଇଁ ଆଗ୍ରହୀ ସଂସ୍ଥା ଜମି ପାଇ ପାରୁ ନାହାନ୍ତି। ଏଥିପାଇଁ ଇଡକୋର ମଧ୍ୟ ସ୍ବତନ୍ତ୍ର ନୀତି ନାହିଁ। ସେହିଭଳି ପୁରୁଣା ଶିଳ୍ପାଞ୍ଚଳରେ ୧୬ ଏକର ଜମିରେ ମାତ୍ର ୮ଟି ଶିଳ୍ପ ଚାଲୁଥିବା ବେଳେ ଅଧିକାଂଶ ବନ୍ଦ ରହିଛି। ଜଗତପୁରରେ ଅତିକ୍ଷୁଦ୍ର, କ୍ଷୁଦ୍ର, ମଧ୍ୟମ ଶିଳ୍ପ ମାନ ଚାଲୁଛି। ତେବେ ତଥ୍ୟ ମୁତାବକ ଏଠାରେ ଏବେ ୧୫୦ରୁ ଅଧିକ ଶିଳ୍ପ କାର୍ଯ୍ୟକ୍ଷମ ରହିଛି। ଇଂଜିନିୟରିଂ ବିଭାଗ ପାଇଁ ୬ଟି ଶିଳ୍ପ କାମ କରୁଥିବା ବେଳେ ପ୍ୟାକିଂରେ ୧୪, ଅଟୋମୋବାଇଲରେ ୧୬, ଫାର୍ମାସ୍ୟୁଟିକାଲ ୧୪, ଖାଦ୍ୟ ସଂପର୍କିତ ୩୧, ଏଫଏମସିଜି( ଡ୍ରିଙ୍କସ) ୧୬, ଇଲେକଟ୍ରିକାଲ ୩୦, ପ୍ରିଣ୍ଟିଂ ୮, ବିଲଡିଂ ସଂପର୍କିତ ୭ , ୫ଟି ଡାଏରୀ, ୪ଟି ଆଇଟିସି ଓ ଅନ୍ୟାନ୍ୟ ୮ଟି ଶିଳ୍ପ ଥିବା ଜଣାପଡିଛି। ଶିଳ୍ପାଞ୍ଚଳ ସମସ୍ୟା ବହୁଳ ‌ହୋଇ ରହିଛି। ରାସ୍ତାଘାଟ, ଡ୍ରେନ ଓ ଆଲୋକ ସମସ୍ୟାରେ ସମଗ୍ର ଶିଳ୍ପାଞ୍ଚଳ ଛନ୍ଦି ହୋଇପଡିଛି। ଇଡକୋ କର୍ତୃପକ୍ଷ କେବଳ ଭଡା ନେଉଥିବା ବେଳେ କାମ କରୁଥିବା ଶିଳ୍ପ ସଂସ୍ଥାମାନଙ୍କୁ କୌଣସି ସୁବିଧା ପ୍ରଦାନ କରୁ ନଥିବା ଅଭିଯୋଗ ହୋଇଛି।

ଶିଳ୍ପ ପାଇଁ ପ୍ରଦୂଷିତ ମହାନଦୀ, ପ୍ରଦୂଷଣ ବିଭାଗ ଚୁପ୍
ଜଗତପୁର ଶିଳ୍ପାଞ୍ଚଳରେ ଶହ ଶହ ଶିଳ୍ପାନୁଷ୍ଠାନ କାମ କରୁଛି। ତେବେ ଏଠାରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ନିଷ୍କାସନ ଓ ଟ୍ରିଟମେଣ୍ଟ ପାଇଁ କୌଣସି ସୁବିଧା ନାହିଁ। ଫଳ‌ରେ ପ୍ରତିଦିନ କୁଢ କୁଢ ଆବର୍ଜନା ସିଧାସଳଖ ଯାଇ ମହାନଦୀରେ ଫିଙ୍ଗାଯାଉଛି। ନିର୍ଗତ ଦୂଷିତ ଓ ରାସାୟନିକ ମିଶ୍ରିତ ଜଳ ମହାନଦୀ‌ରେ ମିଶି ଏହାକୁ ପ୍ରଦୂଷିତ କରୁଛି। ମହାନଦୀରେ ବଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ସବୁ ବିକ୍ଷିପ୍ତ ହୋଇପଡି ରହିଛି। ରାତାରାତି ବାହାରୁ ମଧ୍ୟ ବହୁ ବିଷ‌ାକ୍ତ ଦ୍ରବ୍ୟ ମହାନଦୀରେ ଫିଙ୍ଗାଯାଉଛି। ଇଡକୋ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନକଲେ ମହାନଦୀ ଜଳଜୀବ ଉପର ଏହା ପ୍ରଭାବ ପକାଇବ। ତେବେ ରାଜ୍ୟ ପ୍ରଦୂଷଣ ବୋର୍ଡ ମଧ୍ୟ ଏ ଦିଗରେ ନିରବ ରହିଛି।

ପରିତ୍ୟକ୍ତ ଶିଳ୍ପାନୁଷ୍ଠାନ ଏବେ ଗୋଦାମ ଗୃହ

ଜଗତପୁର ଶିଳ୍ପାଞ୍ଚଳ ଏବେ ନକଲି କାରବାରର ବଦନାମ ମୁଣ୍ଡାଉଛି। ଏଠାରେ ବହୁ ପ୍ରତିଷ୍ଠିତ ଓ ନାମକରା ଶିଳ୍ପା ସଂସ୍ଥ‌ା ଥିଲେ ବି ନକଲି ସାମଗ୍ରୀ ପାଇଁ ସମଗ୍ର ଜଗତପୁର ଶିଳ୍ପାଞ୍ଚଳକୁ ବଦନାମ ହେବାକୁ ପଡୁଛି। ବନ୍ଦ ପଡିଥିବା ଶିଳ୍ପାନୁଷ୍ଠାନ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ଅଧିକାଂଶ ବନ୍ଦ ପଡିଥିବା ଶିଳ୍ପାନୁ‌ଷ୍ଠାନର ମୁଖ୍ୟ ଫାଟକ, ଗ୍ରିଲ, ସର୍ଟର ବି ତାଡି ନିଆଯାଇଛି। ଅଧିକାଂଶ ଶିଳ୍ପାନୁଷ୍ଠାନ ଏବେ ସନ୍ଦିଗ୍ଧ ଗୋଦାମ ଘରରେ ପରିଣତ ହୋଇଛି। ଏଠାରେ କ’ଣ ରଖାଯାଉଛି, କ’ଣ ପ୍ରସ୍ତୁତ କରାଯାଉଛି, ତାହା ଉପର ନଜର ରଖିବାକୁ ବ୍ୟବସ୍ଥା ନାହିଁ। ଫଳ‌ରେ ଏଠାରେ ଅପମିଶ୍ରିତ ତେଲ, ଖାଦ୍ୟ, ସିମେଣ୍ଟ୍ ଭଳି ଦ୍ରବ୍ୟ ଚାଲୁଛି। ପରିତ୍ୟକ୍ତ ଶିଳ୍ପ ସଂସ୍ଥାଗୁଡିକ ଉପରେ ନଜର ରଖିବା ଓ ସମସ୍ତ ଶିଳ୍ପ ସଂସ୍ଥା ଗୁଡିକୁ ନାମ ଫଳକ ଲେଖିବାକୁ ବାଧ୍ୟତାମୂଳକ କରିବାକୁ ଦାବି ହୋଇଛି। ଇଡକୋ ଡିଭିଜନ କାର୍ଯ୍ୟାଳୟ ଥିଲେ ବି ଏହି କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ।

ମାମଲା ‌ଯୋଗୁଁ ଶିଳ୍ପ ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ
ଜଗତପୁର ଶିଳ୍ପାଞ୍ଚଳରେ ଏବେ ୪୨୮ ଏକର ଜମି ରହିଛି। ଶିଳ୍ପାଞ୍ଚଳର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ନିର୍ଦ୍ଦିଷ୍ଟ ଭ‌ାବେ ଜଗତପୁରରେ କେତେ ଶିଳ୍ପ ରହିଛି ତାହା କହି ହେବ ନାହିଁ। ଏଠାରେ ପାଖାପାଖି ୫୦୦ ଶିଳ୍ପ ରହିଛି। ସେଥିରୁ ୪୦ ପ୍ରତିଶତ ଶିଳ୍ପ ଆଉ ଚାଲି ପାରୁନାହିଁ। ବିଭିନ୍ନ କାରଣରୁ ଏହା ବନ୍ଦ ପଡିଛି। ‌ବ୍ୟାଙ୍କ ଓ କୋର୍ଟରେ ଦୀର୍ଘ ଦିନ ଧରି ମାମଲା ଚାଲିଥିବାରୁ ବହୁ ଶିଳ୍ପ ହସ୍ତାନ୍ତର ପ୍ରକ୍ରିୟା ମଧ୍ୟ ଅଟକି ରହିଛି। ବନ୍ଦ ପଡିଥିବା ଶିଳ୍ପ ଗୁଡିକରେ ନାମଫଳକ ଲାଗି ନାହିଁ। ଶିଳ୍ପ ସଂସ୍ଥା ଗୁଡିକ ଏହା ଲଗାଇବା କଥା। ତେବେ ଡ୍ରେନ ଓ ଆଲୋକକୁ ନେଇ ଯେତେବେଳେ ଅଭିଯୋଗ ଆସୁଛି ତାହାର ସମାଧାନ କରାଯାଉଛି।
ଇଂଜିନିୟର ରବୀନ୍ଦ୍ର କୁମାର ମହାପାତ୍ର; ଇଡକୋ କଟକ ଡିଭିଜନ ମୁଖ୍ୟ

Sambad

ସର୍ବନିମ୍ନ ଭିତ୍ତିଭୂମି ଯୋଗାଇବାରେ ଇଡ୍‌କୋ ବିଫଳ ହୋଇଛି
ଜଗତପୁର ଶିଳ୍ପାଞ୍ଚଳ ୧୯୮୦ ଦଶକରୁ ଆରମ୍ଭ ହେଲାଣି। ଦୀର୍ଘ ୪୦ ବର୍ଷ ପରେ ବି ଇଡକୋ ଶିଳ୍ପ ସଂସ୍ଥାମାନଙ୍କୁ ସାମାନ୍ୟ ସୁବିଧା ଯୋଗାଇ ପାରିନାହିଁ। ଏଠାରେ ବହୁ ଶିଳ୍ପ ପ୍ରତିଷ୍ଠାନ ରହିଛନ୍ତି। ତେବେ ଇଡକୋ କର୍ତୃପକ୍ଷ ଏଠାରେ ଶିଳ୍ପ ସଂସ୍ଥାମାନଙ୍କୁ ସାମାନ୍ୟ ସୁବିଧା ଦେବାରେ ବିଫଳ ହୋଇଛନ୍ତି। ଶିଳ୍ପ ସଂସ୍ଥା ଗୁଡିକର ଯେଉଁ ସବୁ ମୌଳିକ ସମସ୍ୟା ରହିଛି ତାକୁ ଇଡକୋ ଚିହ୍ନଟ ମଧ୍ୟ କରୁନାହିଁ। ରାସ୍ତା, ଡ୍ରେନ ସମସ୍ୟା କଥା ନ କହିଲେ ଭଲ। ଏଠାରେ ଏତେ ଗୁଡିଏ ଶିଳ୍ପାନୁଷ୍ଠାନ ଥାଇ ବି ଇଡକୋ ପକ୍ଷରୁ ଏଠାରେ ବର୍ଜ୍ୟବସ୍ତୁ ପରିଚାଳନାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଡମ୍ପିଂୟାର୍ଡ ବି ନାହିଁ। ଫଳରେ ଯିଏ ଯେଉଁଠି ପାରୁଛି ସେଇଠି ଆବର୍ଜନା ଫିଙ୍ଗୁଛି। ଏହି ସୁଯୋଗରେ ବାହାର ଲୋକ ବି ଆବର୍ଜନା ଫିଙ୍ଗିବାକୁ ଏଠାକୁ ଆସୁଛନ୍ତି।
ଅବନୀ କାନୁନଗୋ; ଅଧ୍ୟକ୍ଷ ଓଡ଼ିଶା ଶିଳ୍ପ ସଂଘ, ଜଗତପୁର ଶିଳ୍ପ ସଂଘ

ମୌଳିକ ସୁବିଧା ମିଳୁନି, ପରିଚାଳନାଗତ ବିଭ୍ରାଟ ପାଇଁ ବଦନାମ ଜଗତପୁର
ଜଗତପୁର ଶିଳ୍ପାଞ୍ଚଳରେ ଇଡକୋ ସାମାନ୍ୟ ମୌଳିକ ସୁବିଧା ଦେଇନାହିଁ। ଆଲୋକ ବ୍ୟବସ୍ଥ‌ା ନାହିଁ। ଅନ୍ଧାରରେ ଶିଳ୍ପ ସଂସ୍ଥ‌ା ଗୁଡିକ ଏବେ ଅସୁରକ୍ଷିତ ରହିଛି। ଶିଳ୍ପାଞ୍ଚଳରେ ରହିଥିବା ୪ଟି ପ୍ରବେଶ ପଥରେ କେଉଁ ଗାଡି ଆସିଲା ଗଲା ତାହା ଜାଣିବାର ବ୍ୟବସ୍ଥ‌ା ନାହିଁ। ସମସ୍ତ ପ୍ରବେଶ ପଥରେ ସିସିଟିଭି ବ୍ୟବସ୍ଥ‌ା ଏବେ ଅପରିହାର୍ଯ୍ୟ ହୋଇପଡିଛି। ଢିଲା ସୁରକ୍ଷା ବ୍ୟବସ୍ଥା ‌ଯୋଗୁଁ କିଛି ଅସାଧୁ ବ୍ୟବସାୟୀ ଏଠାରେ ନକଲି ଦ୍ରବ୍ୟ ମହଜୁଦ ରଖିବା ବା ପ୍ରସ୍ତୁତ କରି ସମଗ୍ର ଜଗତପୁର ଶିଳ୍ପାଞ୍ଚଳକୁ ବଦଦାମ କରୁଛନ୍ତି। ଇଡକୋ ପ୍ରଥମେ ଏହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଜଗତପୁର ଶିଳ୍ପାଞ୍ଚଳରେ ଡ୍ରେନେଜ ସୁବିଧା ନାହିଁ। ଯେତେ ଦାବି ହେଲେ ବି ଇଡକୋ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ପାନୀୟ ଜଳ ଓ ରାସ୍ତାଘାଟର ସୁବିଧା ମଧ୍ୟ ଯୋଗାଇ ଦେଉନାହିଁ। ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇ ନକଲି ବ୍ୟବସାୟୀଙ୍କୁ ଠାବ କରିବା ଅପରିହାର୍ଯ୍ୟ ହୋଇ ପଡିଛି।
ରାଜେଶ କାନୁନଗୋ; ସଭାପତି, ଓଡ଼ିଶା ଶିଳ୍ପ ସଂଘ, ଜଗତପୁର

 

ସମ୍ବନ୍ଧିତ ଖବର