ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ : ୮ହଜାର ବସ୍ତା ସିମେଣ୍ଟ ଜବତ, କାର୍ପଟଦାର୍‌ ଗିରଫ

କଟକ-ଜଗତପୁର : ନକଲି ଘିଅ ପରେ କଟକରେ ଏବେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ଏହି ଘଟଣାରେ ପୁଲିସ ମୁଖ୍ୟ କାର୍ପଟଦାରକୁ ଗିରଫ କରିଥିବାବେଳେ ୮ ହଜାରରୁ ଅଧିକ ନକଲି ସିମେଣ୍ଟ ବସ୍ତା ଜବତ କରିଛି। ଏ ନେଇ ଜଗତପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଜଗତପୁର ଇପିକଲ ଶିଳ୍ପାଞ୍ଚଳର ପ୍ଲଟ ନଂ-୧୨୧ରେ ରହିଛି ଡି.ଡି. ଏଣ୍ଟରପ୍ରାଇଜର୍ସ। ଗତ ତିନି ବର୍ଷ ହେବ ଏହି ଡିଷ୍ଟ୍ରିବ୍ୟୁଟର କମ୍ପାନୀ ରାଶି ଗୋଲଡ, କଂକ୍ରିଟ, କରମଣ୍ଡଳ ସିମେଣ୍ଟର ଡିଷ୍ଟ୍ରିବ୍ୟୁଟରସିପ ନେଇଥିଲା। କିନ୍ତୁ କମ୍ପାନୀ ନାଁରେ ଅପମିଶ୍ରଣର ଅଭିଯୋଗ ହୋଇଆସୁଥିଲା । ଏହି ପରିପ୍ରେକ୍ଷୀରେ ଆଜି ଜଗତପୁର ପୁଲିସ ପକ୍ଷରୁ ସଂପୃକ୍ତ ବ୍ୟବସାୟିକ ସଂସ୍ଥା ଉପରେ ଚଢଉ କରାଯାଇଥିଲା । ସେଠାରେ ୭ହଜାର ୫୪୭ ବସ୍ତା ପ୍ୟାକିଂ ସିମେଣ୍ଟ ଏବଂ ୨ହଜାର ୩୮୦ ବସ୍ତା ଖାଲି ସିମେଣ୍ଟ ଜବତ କରାଯାଇଛି ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଏହି ବ୍ୟବସାୟିକ ସଂସ୍ଥା ସମୟ ଅତିକ୍ରାନ୍ତ କରିଥିବା ସିମେଣ୍ଟକୁ ଅନ୍ୟ କମ୍ପାନି ଜରିଆରେ ପୂରାଇ ବିକ୍ରି କରୁଥିଲା। ଚଢଉ ବେଳେ ପୁଲିସ ସେଠାରୁ କୋଣାର୍କ, ଲାଫାର୍ଜ, ଅଲଟ୍ରାଟେକ ଆଦି ସିମେଣ୍ଟ ଜରି ଅଖା ଜବତ କରିଛି। ନିୟମିତ ଭାବେ ଏହି ସବୁ ନକଲି ସିମେଣ୍ଟ ପାରାଦ୍ୱୀପ, କେନ୍ଦ୍ରାପଡା, ଜଗତସିଂହପୁରକୁ ଚାଲାଣ ହେଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏହି ଘଟଣାରେ ପୁଲିସ ବ୍ୟବସାୟିକ ସଂସ୍ଥାର ପ୍ରୋପ୍ରାଇଟର ଲଲିତ ଜୈନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପଟେ ଗିରଫ ହୋଇଥିବା ଲଳିତ ଜୈନ ଅପମିଶ୍ରଣ ଅଭିଯୋଗକୁ ଅସ୍ୱୀକାର କରିବା ସହ ଫଟା ପ୍ୟାକେଟରୁ ଗଳି ପଡୁଥିବା ସିମେଣ୍ଟକୁ ପୁଣି ପ୍ୟାକ କରି ସେ ବିିକ୍ରି କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର