ନକଲି ଘିଅ କାରଖାନାରେ ଚଢ଼ଉ

ମାଲିକକୁ ଉଠାଇନେଲା ପୁଲିସ

୩୪ କେଜି ନକଲି ଘିଅ, ଲୋଗୋ, ମେସିନ୍‌ ଜବତ

କଟକ : ବର୍ଷେ ହେବ କଟକ ସହରରେ ଚାଲିଥିବା ନକଲି ଘିଅ କାରଖାନାରେ ଚଢ଼ଉ କରି ମଙ୍ଗଳାବାଗ ଥାନା ପୁଲିସ କାରଖାନା ମାଲିକ ଶଗଡ଼ିଆସାହିର ସୁବାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ଏହି ନକଲି ଘିଅ କାରଖାନାରୁ ଦୁର୍ଗା କମ୍ପାନି ନାମରେ ନକଲି ଘିଅ ୪ କେଜି, ଓମ୍‌ଫେଡ୍‌ କମ୍ପାନି ନାମରେ ନକଲି ଘିଅ ୨୪ କେଜି, ଦେବୀ କମ୍ପାନି ନାମରେ ନକଲି ଘିଅ ୬ କେଜିକୁ ମିଶାଇ ୩୪ କେଜି ଘିଅ ଜବତ କରାଯାଇଛି । ଏହା ସହିତ ସିଲିଂ ଜରି ଏକ ହଜାର ପିସ୍‌, ଲୋଗୋ ୪ ହଜାର ପିସ୍‌, ଖାଲି ଘିଅ ଡବା ୨୫୦ଟି, ପାମୋଲିଭ୍‌ ତେଲର ଖାଲି ଜରି ୫୦ଟି, ପ୍ୟାକିଂ ମେସିନ୍‌ ୩ଟି, ସିଲିଂ ମେସିନ୍‌ ୨ଟି, ଡ୍ରାଇଅର୍‌ ମେସିନ୍‌ ଗୋଟାଏ, ଓଜନ ମାପ ମେସିନ୍‌ ଗୋଟିଏ ଜବତ କରାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳାବାଗ ଥାନା ଶଗଡ଼ିଆସାହିର ସୁବାସ ବେହେରା ନିଜ ଦୁଇ ମହଲା କୋଠା ଉପରେ ଏକ ନକଲି ଘିଅ ତିଆରି କାରଖାନା ଖୋଲି ନକଲି ଘିଅ ପ୍ରସ୍ତୁତ କରୁଥିଲା । ଓମ୍‌ଫେଡ୍‌, ଦେବୀ, ଦୁର୍ଗା ଇତ୍ୟାଦି ନାମୀ କମ୍ପାନିର ନକଲି ଲୋଗ ଏବଂ ଡବା ବ୍ୟବହାର କରି ଘିଅ ପ୍ରସ୍ତୁତ ପରେ କଟକ ଜିଲ୍ଲା ସହିତ ପଡ଼ୋଶୀ ଜିଲ୍ଲାକୁ ଏହା ଚାଲାଣ କରାଯାଉଥିଲା। କାରଖାନାରେ ସିଲିଂ ମେସିନ୍‌ ବସାଇ ଏଭଳି କେଳେଙ୍କାରୀ ସୁବାସ ଚଳାଇଥିଲା । ମଙ୍ଗଳାବାଗ ଥାନା ପୁଲିସ ଆଜି ଏ ସମ୍ପର୍କରେ ଖବର ପାଇ ଦିନ ପ୍ରାୟ ଗୋଟାଏ ବେଳେ ଚଢ଼ଉ କରିଥିଲା ।

ଚଢ଼ଉ ବେଳେ ସୁବାସ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା । ତାକୁ ଜେରା ପରେ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ଜାଣିବାକୁ ପାଇଥିଲା। ସୁବାସ ପୋଡ଼ା ମୋବିଲ୍‌ ଏବଂ ପାମୋଲିଭ ଅଏଲ୍‌ ମିଶାଇ ନକଲି ଦେଶୀ ଘିଅ ପ୍ରସ୍ତୁତ କରୁଥିଲା । ଏଥିରେ ତା’ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିଲେ । ମାଲ୍‌ଗୋଦାମରୁ ସେ ପାମୋଲିଭ୍‌ ଅଏଲ୍‌ କିଣୁଥିବା ବେଳେ କଟକ ସହରର ନିର୍ଦ୍ଦିଷ୍ଟ କିଛି ଗ୍ୟାରେଜ୍‌ରୁ ପୋଡ଼ା ମୋବିଲ୍‌ ସଂଗ୍ରହ କରୁଥିଲା । ନକଲି ଲୋଗୋ, ଷ୍ଟିକର ଏବଂ ସିଲିଂ ଜରି ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ତାକୁ ଯୋଗାଇ ଦେଉଥିଲେ ।

ଏସବୁ କିଣିବା ପରେ ନିଜ ଘରେ ସୁବାସ ନକଲି ଘିଅ ତିଆରି କରି ଭାଇମାନଙ୍କ ସହଯୋଗରେ ମାଲ୍‌ଗୋଦାମ ଏବଂ ଅନ୍ୟ ସ୍ଥାନରେ ଚାଲାଣ କରୁଥିଲା। ମାଲ୍‌ଗୋଦାମର ନିର୍ଦ୍ଦିଷ୍ଟ ୧୦ଟି ଦୋକାନରେ ଏହି ଘିଅ ବିକ୍ରି କରାଯାଉଥିବା ପୁଲିସ ଜେରାରୁ ସୂଚନା ପାଇଛି । ଏହି ଘଟଣାରେ ତା’ ପରିବାର ଲୋକେ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ଯୋଜନା କରୁଛି । ଅନ୍ୟପକ୍ଷରେ ଆବଶ୍ୟକ କଞ୍ଚାମାଲ୍‌ ଏବଂ ମେସିନ୍‌ ଯୋଗାଉଥିବା ଦୁର୍ବୃତ୍ତଙ୍କୁ ଠାବ କରିବାକୁ ମଧ୍ୟ ପୁଲିସ ମାଷ୍ଟରପ୍ଲାନ ତିଆରି କରିଛି। ଡିସିପି ଅଖିଳେଶ୍ୱର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅରୁଣ ସ୍ୱାଇଁ, ଡି.କେ. ଦାସ, ପି.କେ. ଜେନା ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲା ।

ସମ୍ବନ୍ଧିତ ଖବର