କଟକ : କଟକ ମର୍କତନଗର ଥାନା ପୁଲିସ ହାତରେ ଅନ୍ତଃରାଜ୍ୟ ଜାଲ୍ନୋଟ୍ କାରବାରରେ ସମ୍ପୃକ୍ତ ଜଣେ ବିଟେକ୍ ଛାତ୍ର ଧରାପଡ଼ିଛି। ଅଭିଯୁକ୍ତ ଜଣକ ସିଡିଏ ସେକ୍ଟର ୮ରେ ରହୁଥିବା ସତ୍ୟଜିତ ପଣ୍ତା(୨୯)। ପୁଲିସ ସତ୍ୟଜିତ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ୫୩ ଖଣ୍ତ ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି। ଏହି କାରବାରରେ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ର ସମ୍ପୃକ୍ତି ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ତେବେ ପୁଲିସ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଏକ ଟିମ୍ ସହିତ ଜିଲ୍ଲା ବାହାରକୁ ଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମର୍କତନଗର ଥାନା ସିଡିଏ ସେକ୍ଟର ୬ରେ ଏସ୍ବିଆଇର ବିଡାନାସୀ ଶାଖା ଅଧୀନରେ ଥିବା ଏକ ଏଟିଏମ୍ କାଉଣ୍ଟର୍ରେ ବିଟେକ୍ ଛାତ୍ର ସତ୍ୟଜିତ ପଣ୍ତା ୧୭ ତାରିଖରେ ୧ ଲକ୍ଷ ୬ ହଜାର ଟଙ୍କା ଜମା କରିଥିଲା। କିନ୍ତୁ ସତ୍ୟଜିତର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ନହେବାରୁ ୧୮ ତାରିଖରେ ବିଡାନାସୀ ଶାଖାକୁ ଯାଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ବ୍ୟାଙ୍କ୍ରେ ଏଭଳି ଅଭିଯୋଗ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍ କାଉଣ୍ଟର୍କୁ ଯାଇ ଜମା ହୋଇଥିବା ଟଙ୍କା ଯାଞ୍ଚ କରିଥିଲେ। କ୍ୟାସ୍ ବକ୍ସରେ ୧ ଲକ୍ଷ ୬ ହଜାର ଟଙ୍କା ଜାଲି ନୋଟ୍ ଥିବା ଜଣା ପଡ଼ିଥିଲା। ଏ ସମ୍ପର୍କରେ ସନ୍ଦେହ ହେବାରୁ ଶାଖା ପରିଚାଳକ ଦେବକାନ୍ତ ନାଏକ ମର୍କତନଗର ଥାନାରେ ଗଲା ୨୧ ତାରିଖ ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦଫା ୪୮୯-ଏ/୪୮୯-ସିରେ ମାମଲା(୨୫/୨୦୨୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତରେ ପୁଲିସକୁ ଚମକାଇଲା ଭଳି ତଥ୍ୟ ମିଳିଥିଲା। ସିଡିଏ ସେକ୍ଟର ୮ରେ ରହୁଥିବା କଟକ ଟାଙ୍ଗୀ ଅଞ୍ଚଳର ସତ୍ୟଜିତ ଜାଣିଶୁଣି ଏଟିଏମ୍ରେ ଜାଲି ଟଙ୍କା ଜମା କରିଥିଲା। କିନ୍ତୁ ଜାଲି ଟଙ୍କା ଏଟିଏମ୍ ମେସିନ୍ ଯେ ଗ୍ରହଣ କରିବ ନାହିଁ, ଏକଥା ତା କଳ୍ପନା ବାହାରେ ଥିଲା। ସେଥିପାଇଁ ସେ ବ୍ୟାଙ୍କ୍କୁ ୧୮ ତାରିଖରେ ଯାଇ ବୁଝାବୁଝି କରିଥିଲା। ପୁଲିସ ତାକୁ ସ୍କାନର୍କୁ ଆଣିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହି ଜାଲି ନୋଟ୍ କାରବାରରେ ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ର ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।
ବିଟେକ୍ କରିଥିବା ସତ୍ୟଜିତର ଟ୍ରାନ୍ସପୋର୍ଟ ବ୍ୟବସାୟ ଥିବା ବେଳେ ଖୋର୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ପାଖାପାଖି ୨୦ଟି ଟ୍ରକ୍ ଚଳାଚଳ ବି କରୁଛି। ଏବେ ମର୍କତନଗର ଥାନା ପୁଲିସ ସତ୍ୟଜିତ ଟଙ୍କା ଜମା କରିଥିବା ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି। ଆଉ କେଉଁ ବ୍ୟାଙ୍କ୍ରେ ତା’ର ଆକାଉଣ୍ଟ ରହିଛି, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ଏବେ ସତ୍ୟଜିତ ନିଜ ମୋବାଇଲ୍ ଫୋନ୍ରେ ଗଲା ଏକ ମାସ ଭିତରେ କେଉଁମାନଙ୍କ ସହିତ ଯୋଗାଯୋଗ କରିଛି, ସେ ସ˚କ୍ରାନ୍ତରେ ପୁଲିସ ତଥ୍ୟ ହାସଲ ପାଇଁ ଆଜି ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡର୍ଙ୍କ ନିକଟରୁ ସିଡିଆର୍ ମାଗିଛି। ସିଡିଆର୍ ହସ୍ତଗତ ହେଲା ପରେ ଅନ୍ୟ ସହଯୋଗୀଙ୍କ ସଂପୃକ୍ତି ସାମ୍ନାକୁ ଆସିପାରିବ ବୋଲି ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ୭ କୋଟି ଟଙ୍କାର ଜାଲିନୋଟ୍ ଭୁବନେଶ୍ବରରେ ଭଦ୍ରକ ଅଞ୍ଚଳର ଜଣେ ଦୁର୍ବୃତ୍ତଙ୍କ ନିକଟରୁ ଜବତ ହୋଇଥିଲା।