ବାଦାମବାଡ଼ିରେ ନକଲି ଜର୍ଦ୍ଦା କାରଖାନା

ଜଣେ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

କଟକ: ବାଦାମବାଡ଼ି ଅନ୍ତର୍ଗତ ଶଙ୍କରପୁର ଦାସ ସାହିରେ ନକଲି ଜର୍ଦ୍ଦା କାରଖାନାରେ ପୁଲିସ୍‌ ଚଢାଉ କରିଛି। ନକଲି ସାମଗ୍ରୀ ତିଆରି କରୁଥିବା ଅଭିଯୋଗରେ ଏହାର ମାଲିକ ପ୍ରଭାତ କୁମାର ସାହୁ (୫୨)ଙ୍କୁ ପୁଲିସ୍‌ ଗିରଫ କରିଛି। ଏଥିସହିତ ସେହି ସ୍ଥାନରୁ ଗୋପାଳ ୬୦ର ୫୦୦ ଗ୍ରାମର ୮୬ଟି ଖାଲି ପାଉଚ, ୧୫ଟି କାର୍ଟୁନ୍‌, ୩୨ଟି ଖାଲି ପର୍ଫ୍ୟୁମ୍‌ ବୋତଲ, ୧୨ଟି ପୂର୍ଣ୍ଣ ପର୍ଫ୍ୟୁମ୍‌ ବୋତଲ, ଗୋଟିଏ ପ୍ୟାକେଟ୍‌ ସିଲ୍‌ଭର ଜରି, ଗୋଟିଏ ଲେଖାଏଁ ପାଉଚ ପ୍ୟାକିଂ ମେସିନ୍‌ ଓ ଟିନ୍‌ ପ୍ୟାକିଂ ମେସିନ୍‌ ଜବତ ହୋଇଛି।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଫ୍ଲେବରର୍ସ ଏଲ୍‌ଏଲ୍‌ପି (ଗୋପାଳ ଗ୍ରୁପ୍‌) ର ମ୍ୟାନେଜର କୈଳାସ ସିଂହ ଚୌହାନ୍‌ ଅଭିଯୁକ୍ତ ଓ ନକଲି କାରଖାନା ସମ୍ପର୍କରେ ଆଜି ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ କମ୍ପାନୀ ‘ଗୋପାଳ ଜର୍ଦ୍ଦା’ ବ୍ରାଣ୍ଡ ନାମରେ ତମାଖୁ ଉତ୍ପାଦନ କରିଆସୁଛି। ହେଲେ ଅଭିଯୁକ୍ତ ଜଣକ ଦୀର୍ଘଦିନ ଧରି ଏହି ବ୍ରାଣ୍ଡ ନାମରେ ନକଲି ତମାଖୁ ତିଆରି କରିଆସୁଥିଲା। ଏହାକୁ ନେଇ କମ୍ପାନୀର ମ୍ୟାନେଜର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ (ନଂ ୩୬/୧୮) କରିଥିଲାବେଳେ ଦଫା ୪୨୦, ୪୮୨, ୨୭୨, ୨୭୩, ଆଇପିସି ୧୦୨, ୧୦୩, ଟ୍ରେଡ୍‌ ମାର୍କ ଆଇନ୍‌ ଓ ଧାରା ୭୯ ଏବଂ ମର୍ଚ୍ଚାଣ୍ଡାଇଜ୍‌ ମାର୍କ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ପ୍ରଭାତକୁ ଦାସ ସାହିସ୍ଥିତ ନକଲି କାରଖାନା ଭିତରୁ ଗିରଫ କରିଛି। ସୂଚନାରୁ ପ୍ରକାଶ ଯେ, ପୂର୍ବରୁ ଗତ ଡିସେମ୍ବର ମାସରେ ପୁରୀଘାଟ ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରାଯାଇ ଅଭିଯୁକ୍ତମାନଙ୍କୁ ଧରା ହୋଇଥିଲା।

ସମ୍ବନ୍ଧିତ ଖବର