୪୪ ଫ୍ଲାଟ୍‌ ଜବରଦଖଲ ସମ୍ପର୍କରେ ସିଏମ୍‌ସି ନିରବ; ରାଜନୈତିକ ଚାପ ନୁହେଁ ତ?

ଅନ୍ଦରପୁର ପରେ ତଅଁଳାସାହି; ଚୋରାରେ ବିଦ୍ୟୁତ୍‌, ପାଣି ସଂଯୋଗ

କଟକ: ତୁଳସୀପୁର ତଅଁଳାସାହିରେ ସମନ୍ବିତ ଆବାସ ଓ ବସ୍ତି ଉନ୍ନୟନ ଯୋଜନା(ଆଇଏଚ୍‌ଏସ୍‌ଡିପି)‌ରେ ନିର୍ମାଣ ହୋଇଥିବା ଅପାର୍ଟମେଣ୍ଟରେ ଗତ ତିନିବର୍ଷରୁ ଅଧିକ ସମୟ ଧରି ଚୋରାରେ ବିଦ୍ୟୁତ୍‌ ଓ ପାଣି ସଂଯୋଗ ହୋଇଛି। ସିଏମ୍‌ସି, ବିଦ୍ୟୁତ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗର ଉଦାସୀନତା ଯୋଗୁଁ ବସ୍ତିବାସିନ୍ଦା ‌ଚୋରାରେ ବିଦ୍ୟୁତ୍‌ ସଂଯୋଗ ନେଇଛନ୍ତି। ଏନେଇ ପୂର୍ବରୁ ସିଏମ୍‌ସି ନିକଟରେ ଅଭିଯୋଗ ହୋଇଥ‌ିଲେ ବି ସମସ୍ୟାର ସମାଧାନ କରିବା ଦିଗରେ ହାତ ଟେକି ଦେଇଛନ୍ତି ନିଗମ ଅଧିକାରୀ। ଏଥିରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ସେପଟେ ତଅଁଳାସାହି ଆପାର୍ଟମେଣ୍ଟରେ ୪୪ଟି ଫ୍ଲାଟ୍‌ ଜବରଦଖଲରେ ଥିବା ବେଳେ ସବୁ ଜାଣି ସିଏମ୍‌ସି ଅଧିକାରୀ କୌଣସି ପଦକ୍ଷେପ ନନ‌େବା ପଛରେ କାହାର ସ୍ବାର୍ଥ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସହରର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଘର ଯୋଗାଇଦେବା ପାଇଁ ୨୦୧୧ରେ ସମନ୍ବିତ ଆଇଏଚ୍‌ଏସ୍‌ଡିପି ଯୋଜନାରେ ୬ଟି ଆପର୍ଟମେଣ୍ଟରେ ୨୬୪ଟି ଫ୍ଲାଟ୍‌ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଦୀର୍ଘ ୮ବର୍ଷ ପରେ, ଅର୍ଥାତ ୨୦୧୯ ଫେବ୍ରୁଆରି ୧୭ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାପରେ ଏଠାରେ ୨୨୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ, ରହିବା ପାଇଁ ସିଏମ୍‌ସି ତରଫରୁ ଅନୁମତି ମିଳିଥିଲା। ମାତ୍ର, ବସ୍ତିବାସିନ୍ଦାଙ୍କୁ ଫ୍ଲାଟ୍‌ ଦେବା ପୂର୍ବରୁ ସିଏମ୍‌ସି ତରଫରୁ ବିଦ୍ୟୁତ୍‌ କିମ୍ବା ପାଣିର ବ୍ୟବସ୍ଥା କରାଯାଇ ନଥିଲା। ଫ୍ଲାଟ୍‌କୁ ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବା ବେଳେ ଆପାର୍ଟମେଣ୍ଟ ଅଞ୍ଚଳକୁ ଆଲୋକିତ କରିବା ପାଇଁ ସିଏମ୍‌ସି ପକ୍ଷରୁ ଏହାର ରାସ୍ତାରେ ବିଦ୍ୟୁତ ଖୁଣ୍ଟିରେ ଏଲ୍‌ଇଡି ଲଗାଯାଇଥିଲା।

ନିଗମ ପକ୍ଷରୁ ଫ୍ଲାଟ୍‌କୁ ବିଦ୍ୟୁତର ବ୍ୟବସ୍ଥା କରାଯାଇ ନଥିବାରୁ ବସ୍ତିବାସିନ୍ଦା ଚୋରୋରେ ଖୁଣ୍ଟିରୁ ବିଦ୍ୟୁତ ନେବା ସହିତ ଚୋରାରେ ପାଣି ସଂଯୋଗ ନେଲେ। ଆପାର୍ଟମେଣ୍ଟକୁ ପାଣି ଓ ବିଦ୍ୟୁତ ସଂଯୋଗ ଦେବା ପାଇଁ ସିଏମ୍‌ସି ନିକଟରେ ବହୁବାର ଦାବି କରାଯାଇଥିବା ବେଳେ ଏଥିପ୍ରତି ମହାନଗର ନିଗମର ଅଧିକାରୀ ଆଖି ବୁଜି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳସ୍ବରୂପ, ୨୨୦ ପରିବାର ଚୋରାରେ ବିଦ୍ୟୁତ୍‌ ଓ ପାଣି ବ୍ୟବହାର କରୁଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଛି। ସବୁ ଜାଣି ସିଏମ୍‌ସି, ବିଦ୍ୟୁତ ଓ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ନିରବରେ ବସିବା ପଛରେ ରାଜନୈତିକ ଚାପ କିମ୍ବା ଆଉ କିଛି ସ୍ବାର୍ଥ ଥିବାର ସାଧାରଣରେ ଅଭିଯୋଗ ହେଉଛି। ସେପଟେ ୨୬୪ରୁ ୪୪ଟି ଫ୍ଳାଟ୍‌କୁ କିଛି ସ୍ଥାନୀୟ ବାସିନ୍ଦା ନିଜ ଦଖଲରେ ରଖି ବିକ୍ରି କରିଥିବାର ଅଭିଯୋଗ ହେଉଥିବା ବେଳେ ସିଏମ୍‌ସି ଅଧିକାରୀ ଏଥିପ୍ରତି ଆଖି ବୁଜି ଦେଇଛନ୍ତି। ଅନ୍ଦରପୁର ଫ୍ଲାଟ୍‌ କେଳେଙ୍କରୀ ପରେ ବି ସିଏମ୍‌ସି ଅଧିକାରୀ ନିରବରେ ବସିଥିବାରୁ ଏହାକୁ ନେଇ ଏବେ ନିଗମ ଆଡକୁ ଆଙ୍ଗୁଳି ଉଠିବାରେ ଲାଗିଛି।

ସମ୍ବନ୍ଧିତ ଖବର