ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ; କ୍ଷତିପୂରଣ ଅପେକ୍ଷାରେ ଚାଷୀ

ଫୁଲନଖରା: ଗତ ବର୍ଷ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁଁ ବାରଙ୍ଗ ଅଞ୍ଚଳରେ ଖରିଫ ଧାନ ଚାଷ ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ଦିନ ବିଲରେ ପାଣି ଜମି ରହିବାରୁ ଧାନ ଗଛ ପଚି ନଷ୍ଟ ହେଲା, ଏ ନେଇ କ୍ଷତିଗ୍ରସ୍ତ ଚାଷୀମାନେ କୃଷି ବିଭାଗକୁ ଜଣାଇବା ପରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଲା। କିନ୍ତୁ ୮ମାସ ପରେ ବି ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ। ବାରଙ୍ଗ ବ୍ଲକ୍‌ ୩୩ ନଂ ଜୋନ୍‌ ଅନ୍ତର୍ଗତ ହରିଅନ୍ତା ଏକ କୃଷିବହୁଳ ପଞ୍ଚାୟତ। ଏହି ପଞ୍ଚାୟତର ବମ୍ବିଲୋ, ସିମୋଳ, ମହୁରା, ହରିଅନ୍ତା, ଫୁଲର, ଅନ୍ଦ୍ରୋଟୀ, ଖନ୍ଦୋଳ, ଶିଶୋ, ଖଲୋର, ଛତୋଳ, ଉଲାର, ତୋଟାସାହି ଆଦି ଅଞ୍ଚଳରେ ଗତବର୍ଷ ୨ଶହ ୫୦ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିଲା। ସେଥିମଧ୍ୟରୁ ପ୍ରାୟ ୨ଶହ ହେକ୍ଟରରୁ ଅଧିକ ପରିମିତ ଜମିର ଧାନ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା।

ଏ ବାବଦରେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ବାରଙ୍ଗ ତହସିଲଦାରଙ୍କ ସମେତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ପିଇଓ ପ୍ରମୁଖ ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ। ଅଞ୍ଚଳରେ ୭୦ ପ୍ରତିଶତ ଧାନ ଫସଲ ବିଲରେ ନଷ୍ଟ ହୋଇଛି ବୋଲି ଅଧିକାରୀମାନେ ଦର୍ଶାଇ ଥଇଲେ। ଏହାସହ ଜମିର କିସମ ଅନୁଯାୟୀ (ଜଳସେଚିତ/ଅଣ ଜଳସେଚିତ) ଏକର ପିଛା ୬ହଜାରରୁ ୧୨ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଚାଷୀଙ୍କଠାରୁ ଜମି ପଟ୍ଟା, ବ୍ୟାଙ୍କ୍‌ ଜମାଖାତା ଓ ଆଧାର କାର୍ଡ ନକଲ ମଧ୍ୟ ନେଇଥିଲେ। ଏହାସତ୍ତ୍ବେ ଚାଷୀଙ୍କ ଖାତାକୁ କ୍ଷତିପୂରଣ ବାବଦ ଅର୍ଥ ଏ ଯାଏଁ ଆସିପାରି ନାହିଁ। ଏନେଇ ଉଲ୍ଲାସ ମହାପାତ୍ର, ମନୋରଞ୍ଜନ ପଣ୍ତା, ସଂଗ୍ରାମ ସାମନ୍ତରାୟ, ଶମ୍ଭୁନାଥ ଭୋଇ, ଅଶ୍ବିନୀ ସାମନ୍ତରାୟ, କ୍ଷୀରୋଦ ସେଠୀ, ଶିବରଂଜନ ମହାପାତ୍ର, ପ୍ରଶାନ୍ତ ମହାନ୍ତି, ଧନେଶ୍ବର ଖଟୁଆ, ପ୍ରଭାତ ବେହେରା, ଘନଶ୍ୟାମ ସାହୁ, ଅପୂର୍ବ ଦାସ, ଦୁଷ୍ମନ୍ତ ବେହେରା, ବିବେକାନନ୍ଦ ମହାନ୍ତି, ବିଜୟ ପାଣି, ବଳରାମ ବେହେରା, ଅନିଲ ମହାପାତ୍ର ପ୍ରମୁଖ ଚାଷୀ ତହସିଲ, ଆର୍‌ଆଇ ଅଫିସ ଓ କୃଷି ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ପୂର୍ବ ପ୍ରତିଶ୍ରୁତି ମୁତାବକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରିବାକୁ ପଞ୍ଚାୟତର ଚାଷୀମାନେ ଦାବି କରିଛନ୍ତି।

ଚାଷୀଙ୍କ ମତାମତ…
ଭାଗୀରଥି ସ୍ବାଇଁ: ସେତେବେଳେ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ଆମକୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ସରକାର ଜାଣିଶୁଣି ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ଯାହାକୁ ନେଇ ଚାଷୀଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଛି।
ବିନାୟକ ବେହେରା: ଗତ ବର୍ଷ ଖରିଫ ଧାନ ଚାଷ ଭଲ ହୋଇଥିଲା, ମାତ୍ର ବର୍ଷା ତା’କୁ ଉଜାଡ଼ିଦେଲା। ଏନେଇ ଆମେ ଘୋର ଚିନ୍ତାରେ ଥିଲୁ। ପ୍ରାଶାସନିକ ଅଧିକାରୀଗଣ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି କ୍ଷତିପୂରଣ ଘୋଷଣା କରିବା ପରେ ମନରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଅନେକ ମାସ ପରେ ବି କ୍ଷତିପୂରଣ ନମିଳିବାରୁ ଆମେ ନିରାଶ ହେଲୁ।

ସମ୍ବନ୍ଧିତ ଖବର