ନ୍ୟାୟ ପାଇବେ ତ ଡାଲି ବ୍ୟବସାୟୀ ଫାରୁକ୍ ? ହତ୍ୟାକାଣ୍ଡର ୮ ବର୍ଷ ପରେ ୪ ଦୋଷମୁକ୍ତ; ୨ ଫେରାର୍

୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

କଟକ: ବହୁ ଚର୍ଚ୍ଚିତ ଫାରୁକ୍ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ କୋର୍ଟରୁ ୪ ଜଣ ଧଳସାମନ୍ତ ସହଯୋଗୀ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି। ମାଲଗୋଦାମ ଥାନା ପୁଲିସ ୨୦୨୧ ସେପ୍ଟେମ୍ବରରେ ଗିରଫ କରିଥିବା ଆହୁରି ୪ ଦୁର୍ଦ୍ଦାନ୍ତ ସହଯୋଗୀଙ୍କ ବିରୋଧରେ ନିକଟରେ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି।  ଏହି ହତ୍ୟା ମାମଲାରେ ସମ୍ପୃକ୍ତ ଦିୱାନ ବଜାରର ଆହୁରି ଦୁଇ ଅଭିଯୁକ୍ତ ଓାସିମ୍ ଓ ରହିମ୍ ବାବୁ ଏଯାଏ ଗିରଫ ହୋଇପାରିନାହାନ୍ତି। ମୋଟ ଉପରେ ୬ ଜଣ ଏବେ ଜେଲରେ ଅଛନ୍ତି। ୪ ଜଣ ଦୋଷ ମୁକ୍ତ ହୋଇଛନ୍ତି। ଏହି ମାମଲାରେ ଫାରୁକଙ୍କ ପରିବାର ଓ ପ୍ରତ୍ୟେକ୍ଷଦର୍ଶୀ ପ୍ରଭାବିତ ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ ଏଭଳି ପରିସ୍ଥିତିରେ ଏହି ବହୁଚର୍ଚ୍ଚିତ ମାମଲାର ଭାଗ୍ୟ ଆଗାମୀ ଦିନରେ କଣ ହେବ, ସେ ନେଇ ଆଶଙ୍କା ଦେଖା ଦେଇଛି।
ସୂଚନା ଅନୁଯାୟୀ, ୨୦୧୪ ନଭେମ୍ବର ୧୧ ତାରିଖରେ ମାଲଗୋଦାମରେ ବହୁ ଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ କୋର୍ଟରୁ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି। ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ, ସେକ୍‌ ସୋନା, ସେକ୍‌ ବାବୁ, ଜଗତସି˚ହପୁରର ଅସିତ୍‌ ଦାସ କୋର୍ଟରୁ ଦୋଷମୁକ୍ତ ହୋଇସାରିଛନ୍ତି। ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ଓ ଆରିଫ୍ ଖାଁ ଏହି ମାମଲାରେ ଜେଲରେ ଅଛନ୍ତି। ମାଲଗୋଦାମ ଥାନା ପୁଲିସ ୨୦୧୮ ମସିହାରେ ଏହି ହତ୍ୟାକାଣ୍ଡର ଏକ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିବା ବେଳେ ଦ୍ବିତୀୟ ଥର ପାଇଁ ୨୦୨୧ ଡିସେମ୍ବର ୨୭ ତାରିଖରେ ୪ ଜଣ ଦୁର୍ଦ୍ଦାନ୍ତ ଧଳସାମନ୍ତ ସହଯୋଗୀ ମାଛୁଆ ବଜାରର ଚନ୍ଦନ ବେହେରା, ସିଡିଏ ସେକ୍ଟର ୭ର ଲଲନ ଗୁପ୍ତା, ରାଣୀହାଟ ଗୋପାଳ ସାହିର ଶଙ୍କର ଓରଫ ଦୀପକ କୁମାର ନାୟକ ଏବଂ ଲାଲବାଗ ଅଲିଶା ବଜାରର ରଞ୍ଜନ ବେହେରା ଓରଫ ରାଜା ବିରୋଧରେ ଜେଏମଏଫସି ସିଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଶଙ୍କର ସେପ୍ଟେମ୍ବର ୧ ତାରିଖରେ ଅନ୍ୟ ତିନି ଜଣ ୨ ତାରିଖରେ ଗିରଫ ହୋଇଥିଲେ। ତେବେ ୱାସିମ୍ ଓ ରହିମ୍ ଗିରଫ ପରେ ଆଉ ଏକ ଚାର୍ଜସିଟ୍ ପୁଲିସ ଦାଖଲ କରିବ। ବର୍ତ୍ତମାନ ସୁଦ୍ଧା ଗିରଫ ୮ ଜଣଙ୍କ ମଧ୍ୟରୁ ୪ ଜଣ ନିର୍ଦ୍ଦୋଷରେ କୋର୍ଟରୁ ଖଲାସ ହୋଇଥିବାରୁ ମାମଲାର ସ୍ଥିତି କଣ ରହିବ ଏବଂ ଆଗାମୀ ଦିନରେ ସାକ୍ଷୀମାନେ ମୁହଁ ଖୋଲିବା ନେଇ ସନ୍ଦେହ ସୃଷ୍ଟି ହେଲାଣି। ଫାରୁକଙ୍କ ପରିବାର ସଦସ୍ୟ ପ୍ରଭାବିତ ହେଇଥିବା ପୁଲିସ ଅନୁମାନ କରୁଛି। ସେମାନେ ସାମନାକୁ ନଆସିଲେ କୋର୍ଟରେ ଫାରୁକ୍ ମାମଲାରେ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କଟକ କମିସନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଦୀର୍ଘ ୭ ବର୍ଷ ପରେ ସାକ୍ଷ୍ୟ ଓ ପ୍ରମାଣ ଅନେକ ମାତ୍ରାରେ ପ୍ରଭାବିତ ହୋଇସାରିଥିବା କୁହାଯାଉଛି। ସାକ୍ଷୀମାନେ ସାମାନକୁ ନଆସିଲେ ପୁଲିସ କିଭଳି ପ୍ରମାଣ ଯୋଗାଡ଼ କରିବ, ତାହା ଏବେ ସବୁଠାରୁ ବଡ଼ ଆହ୍ବାନ ହୋଇଛି।

ଅନ୍ୟପଟେ ୱାସିମ୍ ଓ ରହିମ ରାଜ୍ୟ ବାହାରକୁ ଫେରାର ହୋଇଯିବା ନେଇ ପୁଲିସ ସନ୍ଦେହ କରୁଛି। ହତ୍ୟାକାଣ୍ଡ ପରେ ଧଳସାମନ୍ତ ଗ୍ୟାଙ୍ଗର ୧୦ ସହଯୋଗୀ ରାଜ୍ୟ ବାହାରେ ହିଁ ଲୁଚିଥିଲେ। କଟକରୁ ଚନ୍ଦନ ଓ ଲଲନ୍‌ ସମେତ ସମସ୍ତ ଅଭିଯୁକ୍ତ ଭାଇଜାଗ୍ ଯାଇଥିଲେ। ଅବଶିଷ୍ଟ ୮ ଜଣ ଭାଇଜାକରୁ ଦେଶର ବିଭିନ୍ନ ରାଜ୍ୟକୁ ଚାଲିଯାଇଥିଲେ। କିନ୍ତୁ ଚନ୍ଦନ ଓ ଲଲନ ଓଡ଼ିଶା ଫେରିଆସି ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଥିଲେ। ୨୦୧୬ ଏପ୍ରିଲ ୧୩ ତାରିଖରେ ତାମିଲନାଡୁର ମଦୁରାଇରୁ ଧଳସାମନ୍ତଙ୍କ ସାର୍ପ ସୁଟର‌୍‌ ଆରିଫ୍‌ ଖାଁକୁ ପୁଲିସ ଗିରଫ କରିଥିଲା। ସେହିଭଳି ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର ଶଙ୍କର ବି ବାଙ୍ଗାଲୁରରେ ଲୁଚି ରହିଥିଲା। ସେଠାରେ ଶ୍ରମିକ କାମ କରୁଥିଲା। ୨୦୨୧ ସେପ୍ଟେମ୍ବର ୧ ତାରିଖରେ ଗିରଫ ହୋଇଥିଲା। ବାହାର ରାଜ୍ୟକୁ ଅପରାଧୀମାନେ ଅଧିକ ସୁରକ୍ଷିତ ସ୍ଥାନ ଭାବୁଥିବାରୁ ଏବେ ସେହି ରାସ୍ତାରେ ଅଛନ୍ତି ୱାସିମ୍ ଓ ରହିମ। ହତ୍ୟାକାଣ୍ଡ ପରେ ଏମାନେ ବି ଭାଇଜାଗ୍ ଚାଲିଯାଇଥିଲେ। ସେଠୁ ଫେରିଆସି ଦିୱାନ ବଜାର ଅଞ୍ଚଳରେ ନିଜ ଘରେ ରହୁଥିଲେ। କିନ୍ତୁ ଗଲା ବର୍ଷ ସେପ୍ଟେମ୍ବର ୧ ତାରିଖରେ ଶଙ୍କର ଗିରଫ ହେବା ପରେ ଗିରଫ ଭୟରେ ସେମାନେ କଟକ ସହରରୁ ଫେରାର ହୋଇଯାଇଥିଲେ। କିନ୍ତୁ ଓଡ଼ିଶାରେ ଥିଲେ। ଏବେ ସେମାନେ ରାଜ୍ୟ ବାହାରେ ଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ପାଇଁ ଫାରୁକ ମାମଲାରେ ୱାସିମ୍ ଓ ରହିମଙ୍କୁ କାର୍ପଟଦାର ଶଙ୍କର ପରେ ପ୍ରମୁଖ ଅଭିଯୁକ୍ତ ଭାବେ ଅଦାଲତରେ ଦର୍ଶାଇଛି। ଶଙ୍କର ଗୁଳି ଫୁଟାଇ ଫାରୁକଙ୍କୁ ହତ୍ୟା କଲା ପରେ ଏହି ଦୁଇ ଜଣ ଗୁଳି ଫୁଟାଇଥିଲେ। ଏବେ ଏମାନେ ବାରମ୍ବାର ମୋବାଇଲ୍ ନମ୍ବର ବଦଳାଇବାରୁ ପୁଲିସ ପାଇଁ ଅଡ଼ୁଆ ହେଉଛି। ପୁଲିସର ଏକ ଟିମ୍ ନିୟମିତ ସେମାନଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ନମ୍ବର ଟ୍ରାକିଂ କରିବା ଆରମ୍ଭ କରିଦେଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏମାନେ ରହୁ ନଥିବାରୁ ପୁଲିସ ରାଜ୍ୟ ବାହାରକୁ ଯିବାକୁ ଗୋଡ଼ କାଢ଼ିପାରୁ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର