‘ସମ୍ବାଦ ଡିଜିଟାଲ୍’ ପକ୍ଷରୁ ପିତୃ ଦିବସ ପୁରସ୍କାର ବିତରଣ ସମାରୋହ

କଟକ: କଟକ-ଭୁବନେଶ୍ବର ଜାତୀୟ ରାଜପଥ ପାର୍ଶ୍ବ ପାହାଳ ନିକଟ ଗ୍ରାଣ୍ଡ ବଜାରରେ ‘ସମ୍ବାଦ ଡିଜିଟାଲ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ପିତୃ ଦିବସ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ପିତୃ ଦିବସରେ ବାପାଙ୍କ ସହ ଫଟୋ, ବାପାଙ୍କ ସହ ଭିଡିଓ ଓ ବାପାଙ୍କ ପାଇଁ ବାର୍ତ୍ତା ଭଳି ୩ଟି ପର୍ଯ୍ୟାୟର ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସମ୍ବାଦ ଡିଜିଟାଲର ପରିଚାଳନା ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସମ୍ବାଦ ଡିଜିଟାଲ ଓ ରେଡିଓ ଚକଲେଟ୍ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ ସାହୁ, ଗ୍ରୁପ୍ ଜିର ମୁଖ୍ୟ ଆଶିଷ ଗର୍ଗ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୧୩୫ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଲକି ଡ୍ର ଜରିଆରେ ପୁରୀର ଅନିନ୍ଦିତା ପଣ୍ଡା ସିଲଭେଲାଇନ୍ ଇ-ବାଇକ୍ ପୁରସ୍କାର ଜିତିଥିଲେ।

ଏହି ଅବସରରେ ଗ୍ରାଣ୍ଡ ଇଣ୍ଟରସ୍କୁଲ୍ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଏମ୍ ପବ୍ଲିକ ସ୍କୁଲ, ପ୍ରଭୁଜୀ ଇଂଲିସ୍ ମିଡିୟମ୍ ସ୍କୁଲ, ବିଜେଇଏମ୍ ଇଂଲିସ୍ ମିଡିୟମ ସ୍କୁଲ, ଡିପିଏସ୍ କଳିଙ୍ଗ, ନାରାୟଣ ଇ ଟେ‌କ୍ନୋ ସ୍କୁଲ, ମଦର୍ସ ପବ୍ଲିକ ସ୍କୁଲ୍ ଭାଗ ନେଇଥିବା ବେଳେ ପ୍ରଭୁଜୀ ଇଂଲିସ ମିଡିୟମ ସ୍କୁଲ ପ୍ରଥମ, ବିଜେଇଏମ୍ ଦ୍ବିତୀୟ ଏବଂ ଡିପିଏସ୍ କଳିଙ୍ଗ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ୨୫ ହଜାର, ୧୫ ହଜାର ଓ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ଜିତିଥିଲେ। ବିଶିଷ୍ଟ ସଂଗୀତକାର ରତିକାନ୍ତ ମହାପାତ୍ର, ମେଘନା ସିଂହଦେଓ ଓ ପ୍ରୀତି ରଏ ବିଚାରକ ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଖ୍ୟାତ ଯୁବ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତିଙ୍କର ଲାଇଭ୍ କନସର୍ଟ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର