‘ଓମିକ୍ରନ୍‌’ ଭୟ: ୧୮ଦିନରେ ଫେରିଲେଣି ୬ଶହ

୫୮୨୧ ପରୀକ୍ଷାରୁ ୧୨ ପଜିଟିଭ୍‌

କଟକ: କାହାର ଫୋନ୍‌ ସୁଇଚ୍‌ ଅଫ୍‌ ତ’ କିଏ ଫୋନ୍‌ ଉଠାଉନି। କାହାର ଠିକଣା ଖୋଜିଲା ବେଳକୁ ସେଭଳି କେହି ଲୋକ ମିଳୁନାହାନ୍ତି। ଏପରିକି ଫୋନ୍‌ ଉଠାଇ ବି ଅନେକ ମିଛ ସତ କହୁଛନ୍ତି….। ସିଧାସଲଖ ଆମର କେହି ବିଦେଶରୁ ଆସିନାହାନ୍ତି କି କେହି ବିଦେଶରେ ନାହାନ୍ତି.. ବୋଲି କହୁଛନ୍ତି। ଏଭଳି ଅନେକ ମିଛ କଥା ଶୁଣି ଶୁଣି ବ୍ୟସ୍ତ ହୋଇ ପଡ଼ିଲେଣି କଣ୍ଟ୍ରୋଲ ରୁମ୍‌ କର୍ମଚାରୀ। ୧୦୪ଜଣଙ୍କୁ ପାଇବା ପାଇଁ ନୟାନ୍ତ ହେଲାଣି ପ୍ରଶାସନ। ସେମାନଙ୍କର କୌଣସି ଖୋଜଖବର ମିଳୁ ନଥିବାରୁ ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ପୁଲିସ ସହାୟତା ନେବ। କେଉଁ ବ୍ଲକ୍‌ ଓ ସହରରେ ଏମାନଙ୍କ ସଂଖ୍ୟା କେତେ ରହିଛି ତା’ର ତାଲିକା ସ୍ବାସ୍ଥ୍ୟବିଭାଗ ପୁଲିସକୁ ପ୍ରଦାନ କରିବ ବୋଲି ଜିଲ୍ଲା କୋଭିଡ୍‌ ନୋଡାଲ୍‌ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଅନ୍ୟପଟେ ଗଲା ୧୮ ଦିନ ଭିତରେ ଅର୍ଥାତ୍‌ ନଭେମ୍ବର ୨୦ରୁ ଆଜି ସୁଦ୍ଧା କଟକ ଜିଲ୍ଲାକୁ ୬୦୧ଜଣ ବିଦେଶ ଫେରନ୍ତା ଆସିଥିବା ବେଳେ ସେଥିରୁ ମାତ୍ର ୨୭୧ଜଣଙ୍କୁ ଚିହ୍ନଟ କରାଯାଇ ଗୃହ ସଙ୍ଗରୋଧରେ ରଖାଯାଇଛି। ସମସ୍ତ ୨୭୧ଜଣଙ୍କ କରାଯାଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। ‘ଓମିକ୍ରନ୍‌’ ଭୂତାଣୁ ଦିନକୁ ଦିନ ବିଭିନ୍ନ ଦେଶରେ କାୟା ବିସ୍ତାର କରୁଥିବା ବେଳେ ଭାରତର ବିଭିନ୍ନ ସ୍ଥାନରେ ଚିହ୍ନଟ ହେଲାଣି। ଓଡ଼ିଶା ପ୍ରତି ବିପଦ ଆସିବାର ମଧ୍ୟ ଆଶଙ୍କା ରହିଛି। ସେହି ଚିନ୍ତାରେ ରାଜ୍ୟ ସରକାର ଆଜି ଭିସିରେ କଟକ ସିଡିଏମ୍‌ଓ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କଟକରେ ବିଦେଶ ଫେରନ୍ତାଙ୍କ ଚିହ୍ନଟ ହୋଇପାରୁ ନଥିବାରୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି।

ଅନ୍ୟପଟେ ଜିଲ୍ଲା‌ରେ ଆଜି ପର୍ଯ୍ୟନ୍ତ ଯେଉଁ ୨୭୧ଜଣ ବିଦେଶ ଫେରନ୍ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ଆଶ୍ବସ୍ତ କରିଛି। ଆଜି ଜିଲ୍ଲାରୁ ୫୮୨୧ ସ୍ବାବ୍‌ ପରୀକ୍ଷାରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ସିଏମ୍‌ସିରୁ ୧୦ଜଣ ଓ ବାରଙ୍ଗ ଓ ମାହାଙ୍ଗାରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୬ରୁ ୧୦ବର୍ଷର ଓ ୧୧ରୁ ୧୮ବର୍ଷ ବର୍ଗରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାକୁ ନଭେମ୍ବର ୨୦ରୁ ଆଜି ସୁଦ୍ଧା ୬୦୧ଜଣ ବିଦେଶ ଫେରନ୍ତା ଘରକୁ ଆସିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ତଥ୍ୟରେ ଅନେକ ମୋବାଇଲ ନମ୍ବର ଲାଗୁନି, କାହାର ସୁଇଚ୍‌ ଅଫ୍ ମଧ୍ୟ ରହିଛି। ଏପରିକି କିଛି ଜାଣି ଶୁଣି ତଥ୍ୟକୁ ଗୋପନ ରଖୁଛନ୍ତି। ଅନ୍ୟପଟେ କଟକକୁ ଆସିଥିବା ତାଲିକାରେ ଅନ୍ୟ ଜିଲ୍ଲାର ଲୋକ ମଧ୍ୟ ରହିଥିବାରୁ ପ୍ରଶାସନକୁ ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟ‌ାରେ ନାକେଦମ୍‌ ହେବାକୁ ପଡ଼ିଛି। ୬୦୧ରୁ ମାତ୍ର ୨୭୧ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବାକି ୨୪୨ଜଣଙ୍କ କଟକ ଆସି ଅନ୍ୟ ଜିଲ୍ଲାକୁ ଯାଇଥାଇପାରନ୍ତି ଓ ସେ ସଂପର୍କରେ ତଥ୍ୟ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ସମ୍ବନ୍ଧିତ ଖବର